‘ମୋମୋ’ ଚାଲେଞ୍ଜ : ସତର୍କ କରାଇଲା କ୍ରାଇମ୍‌ବ୍ରାଞ୍ଚ

ପିଲାମାନଙ୍କ ବ୍ୟବହାର ପ୍ରତି ତୀକ୍ଷ୍ମ ନଜର ରଖ, ଅନ୍‌ଲାଇନ୍‌ କାର୍ଯ୍ୟକଳାପଠୁ ପିଲାଙ୍କୁ ଦୂରେଇ ରଖ

କଟକ : କୌଣସି ଅଜଣା ନମ୍ବରରୁ ଅନ୍‌ଲାଇନ୍‌ ଗେମ୍‌ ଖେଳିବାକୁ ନିମନ୍ତ୍ରଣ ଆସିଲେ ସାବଧାନ। ଏହା ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉଥିବା ଅନ୍‌ଲାଇନ୍‌ ଗେମ୍‌ ‘ମୋମୋ ଚାଲେଞ୍ଜ’ ହୋଇପାରେ। ‘ବ୍ଲୁ ହେ୍ଵଲ୍‌’ ଗେମ୍‌ ଚାଲେଞ୍ଜ ପରେ ‘ମୋମୋ ଚାଲେଞ୍ଜ’ ବର୍ତ୍ତମାନ ସାରା ବିଶ୍ୱରେ ଚହଳ ପକାଇଛି। ବିଶେଷକରି ଛୋଟ ପିଲାମାନେ ଏହି ଗେମ୍‌ର ଅଧିକ ଶିକାର ହେଉଛନ୍ତି। ଯଦିଓ ଓଡ଼ିଶାରେ ସେଭଳି କିଛି ଅଘଟଣ ରେକର୍ଡ ହୋଇନାହିଁ, ତଥାପି ଏଥିପ୍ରତି ସତର୍କ ରହିବାକୁ କୁହାଯାଇଛି। ତେଣୁ ଛୋଟ ପିଲାମାନଙ୍କୁ କିପରି ଅନ୍‌ଲାଇନ୍‌ ଗେମ୍‌ଠୁ ଦୂରେଇ ରଖିହେବ ସେଥିପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପିତାମାତା, ଶିକ୍ଷକ ଓ ଗଣମାଧ୍ୟମକୁ ସତର୍କତାମୂଳକ ପରାମର୍ଶ ଜାରି କରାଯାଇଛି।

‘ମୋମା ଚାଲେଞ୍ଜ’ରେ ଏକ ଅଜଣା ନମ୍ବରରୁ ଗେମ୍‌ ଖେଳିବାକୁ ହ୍ଵାଟ୍ସଆପ୍‌ରେ ଆମନ୍ତ୍ରଣ କରାଯାଇଥାଏ। ଏକ ଅଦ୍ଭୁତ ଓ ଭୟାନକ ଚେହେରା ଥିବା ଫଟୋକୁ ଉକ୍ତ ନମ୍ବରର ପ୍ରୋଫାଇଲ୍‌ରେ ପକାଯାଇଛି। ବଡ଼ ପାଟି ସହ ବାହାରକୁ ବାହାରିଥିବା ବଡ଼ ଡୋଳା ଆଖି ଦେଖାଇ ଉକ୍ତ ଫଟୋ ଛଡ଼ାଯାଇଛି। ହ୍ଵାଟ୍ସଆପ୍‌ରେ ଲିଙ୍କ୍‌ ଦିଆଯିବା ପରେ ଜଣେ ଖେଳିବା ଆରମ୍ଭ କରିଥାଏ। ଯଦି କୌଣସିଠାରେ ସଂପୃକ୍ତ ପିଲା ଗେମ୍‌ ଛାଡ଼ିବାକୁ ଚାହେଁ, ସେତେବେଳେ ସଂପୃକ୍ତ ମୋମା ନମ୍ବରରୁ କଲ୍‌ ଆସିଥାଏ ଓ ଗେମ୍‌ ନଛାଡ଼ିବାକୁ ଧମକ ଦିଆଯାଏ। ଗେମ୍‌ର ବିଭିନ୍ନ ଭୟାନକ ପର୍ଯ୍ୟାୟକୁ ଅତିକ୍ରମ କରିବା ପରେ ଶେଷ ରାଉଣ୍ଡରେ ଖେଳାଳିକୁ ଆତ୍ମହତ୍ୟା କରିବାକୁ ଚାଲେଞ୍ଜ ଦିଆଯାଇଥାଏ। ତେଣୁ ଏଭଳି ଗେମ୍‌ଠୁ ପିଲାମାନଙ୍କୁ ଦୂରେଇ ରଖିବା ପାଇଁ ଯେକୌଣସି ଅଜଣା ନମ୍ବରରୁ ଗେମ୍‌ ଖେଳିବାକୁ ଲିଙ୍କ୍‌ ଆସିଥିଲେ, ତାହାକୁ ତୁରନ୍ତ ଡିଲିଟ୍‌ କରିଦେବାକୁ ନଚେତ୍‌ ଉକ୍ତ ନମ୍ବରକୁ ବ୍ଲକ୍‌ କରିଦେବାକୁ ପରାମର୍ଶ ଦିଆଯାଇଛି।

ମୋମୋ ଚାଲେଞ୍ଜ ଖେଳୁଥିବା ପିଲାମାନେ ସାଙ୍ଗ ସାଥୀ, ପରିବାର ଲୋକଙ୍କ ସହିତ ମିଳାମିଶା କମ୍‌ କରିଦେଇଥାଏ। ସବୁବେଳେ ଗୁମ୍‌ ମାରି ବସୁଥିବା ଲକ୍ଷ୍ୟଣ ଦେଖାଦେଇଥାଏ। ସେହିପରି ବେଳେବେଳେ ଚିଡ୍‌ଚିଡା ହୋଇଯାଉଥିବା ବେଳେ ଖେଳକୁଦ କିମ୍ବା ନିତିଦିନିଆ କାମଠୁ ଦୂରେଇ ରହିଥାନ୍ତି। ଦେହର ବିଭନ୍ନ ସ୍ଥାନରେ ଗଭୀର କ୍ଷତ କରାଯାଇଥିଲେ ତାହାକୁ ମଧ୍ୟ ଏହି ଚାଲେଞ୍ଜ ଖେଳୁଥିବା ପିଲାଙ୍କଠାରେ ଲକ୍ଷଣ ଦେଖାଦେଇଥାଏ। ତେଣୁ ଅଭିଭାବକ ଓ ସ୍କୁଲ୍‌ ଶିକ୍ଷକମାନେ ଏହି ଚାଲେଞ୍ଜଠୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିବାକୁ କୁହାଯାଇଛି। ଅଲ୍‌ଲାଇନ୍‌ କାର୍ଯ୍ୟକଳାପ, ସୋସିଆଲ୍‌ ମିଡିଆରେ ଅଧିକ ସମୟ ଦେବା କିମ୍ବା ଅଧିକ ଫୋନ୍‌ ବ୍ୟବହାର କରିବାକୁ ପିଲାମାନଙ୍କୁ ନିବୃତ ରଖିବାକୁ କୁହାଯାଇଛି। ନିୟମିତ ଭାବେ ପିଲାମାନଙ୍କ ବ୍ୟବହାର ଉପରେ ଦୃଷ୍ଟି ଦିଆଯିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଅନ୍ୟ କେହି ଯଦି ମୋମୋ ଚାଲେଞ୍ଜ ଖେଳୁଥିବା ଜଣାପଡେ ତାହାଲେ ସେ ସଂକ୍ରାନ୍ତରେ ସେମାନଙ୍କ ଅଭିଭାବକ କିମ୍ବା ପୁଲିସ୍‌କୁ ଜଣାଇବାକୁ କୁହାଯାଇଛି। ଅନ୍ୟପକ୍ଷରେ ମୋମୋ ଚାଲେଞ୍ଜକୁ ନେଇ କୌଣସି ଅପପ୍ରଚାର କରାଇବା କିମ୍ବା ଖବର ପରିବେଷଣ କରାଇବାରୁ ନିବୃତ ରହିବାକୁ ଗଣମାଧ୍ୟମକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯଦି କୌଣସି ପିଲାର ମୃତ୍ୟୁ ହୋଇଥିବା ଖବର ମିଳେ, ତାହା ମୋମୋ ଚାଲେଞ୍ଜ ପାଇଁ ହୋଇଛି କି ନାହିଁ ତାହା ଠିକ୍‌ ଭାବେ ଜଣାପଡ଼ିବା ପରେ ଖବର ପରିବେଷଣ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର