ବଢ଼ୁଛି ଅପରାଧ : ଦିନକୁ ୪ ହତ୍ୟା, ୭ ଦୁଷ୍କର୍ମ

୨୦୧୮ରେ ୧୩୭୮ ହତ୍ୟା, ୨୫୦୨ ଦୁଷ୍କର୍ମର ଶିକାର, ନିୟନ୍ତ୍ରଣରେ ରହିଛି ନକ୍ସଲ ହିଂସାକାଣ୍ଡ, ତଦନ୍ତ ପ୍ରକ୍ରିୟାରେ ବିଳମ୍ବ, ଦଣ୍ଡ ବିଧାନ ହାର କମ୍

ଭୁବନେଶ୍ବର : ପ୍ରତିବର୍ଷ ଗୃହ ବିଭାଗ ପାଇଁ ବଜେଟ ଅର୍ଥ ବୃଦ୍ଧି, ପୁଲିସ ଆଧୁନିକୀକରଣ, ଜନସଚେତନତା ପାଇଁ ବିଭିନ୍ନ ସ୍ଲୋଗାନ୍ କିଛି ବି କାମ ଦେଉନି। ଅପରାଧ ନିୟନ୍ତ୍ରଣ ପାଇଁ ସରକାର େଯତେ ପଦକ୍ଷେପ ନେଉଛନ୍ତି େବାଲି ଦୃଢୋକ୍ତ ପ୍ରକାଶ କରୁଛନ୍ତି,ତାର ସାମାନ୍ୟତମ ପ୍ରଭାବ ପଡୁନାହିଁ। ଅପରାଧ ସଂଖ୍ୟା କମିବା ପରିବର୍ତ୍ତେ ଉଦ୍‌ବେଗଜନକ ଭାବେ ବଢ଼ୁଛି।

ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଗୃହ ବିଭାଗ ସ୍ଥାୟୀ କମିଟି ରିପୋର୍ଟ କହୁଛି, ୨୦୧୮ ମସିହାରେ ରାଜ୍ୟରେ ୧ ଲକ୍ଷ ୭ ହଜାର ୪୦୮ଟି ଧର୍ତ୍ତବ୍ୟ ଅପରାଧ ସଂଘଟିତ ହୋଇଛି। ଯେଉଁଥିରେ ୧୩୭୮ଟି ହତ୍ୟା, ୨୧୨୦ଟି ଦଙ୍ଗା ଓ ୨୫୦୨ଟି ଦୁଷ୍କର୍ମ ମାମଲା ସାମିଲ ଅଛି। ସବୁଠାରୁ ବଡ଼ କଥା ହେଉଛି, ହତ୍ୟା, ଡକାୟତି, ଦୁଷ୍କର୍ମ ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ପୁଲିସ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ରାଜ୍ୟରେ ଦଣ୍ଡ ବିଧାନ ହାର ମଧ୍ୟ କମ୍‌ ହେଉଛି ବୋଲି ଦର୍ଶାଇଛି ଗୃହ ବିଭାଗ ସ୍ଥାୟୀ କମିଟି।

ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ଗୃହ ବିଭାଗ ସ୍ଥାୟୀ କମିଟି ରିପୋର୍ଟ ଦର୍ଶାଇଛି, ୨୦୧୭ରେ ମୋଟ ୧ ଲକ୍ଷ ୩ ହଜାର ୮୬୬ଟି ଧର୍ତ୍ତବ୍ୟ ଅପରାଧ ମାମଲା ଦରଜ ହୋଇଥିଲା।ସେବର୍ଷ ୧୨୬୭ଟି ହତ୍ୟାକାଣ୍ଡ ଘଟିଥିବାବେଳେ ୨୦୧୮ରେ ଏହି ସଂଖ୍ୟା ବଢ଼ି ୧୩୭୮ ହୋଇଛି। ସେହିପରି ୨୦୧୭ରେ ୫୩୪ଟି ଡକାୟତି ହୋଇଥିବାବେଳେ ୨୦୧୮ରେ ଏହା ବଢ଼ି ୫୫୮ରେ ପହଞ୍ଚିଛି।

୨୦୧୭ରେ ୨୨୨୧ ଜଣ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ୨୦୧୮ରେ ୨୫୦୨ଟି ଦୁଷ୍କର୍ମ ମାମଲା ଦରଜ ହୋଇଛି। ଅର୍ଥାତ୍ ସେବେ ଦୈନିକ ୬ଜଣ ଦୁଷ୍କର୍ମର ଶିକାର େହଉଥିଲେ, ୨୦୧୮ରେ ଏହା ୭କୁ ବୃଦ୍ଧି ପାଇଛି। ସେହିପରି ୨୦୧୭ରେ ୨୦୪୮ଟି ଚୋରି ହୋଇଥିବାବେଳେ ୨୦୧୮ରେ ଏହି ସଂଖ୍ୟା ବଢି ୨୧୨ ଛୁଇଁଛି। ମୋଟର ଦୁର୍ଘଟଣା ହାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ମଟର ଦୁର୍ଘଟଣା ରୋକିବାକୁ ସରକାର ଆଧୁନିକ ଟ୍ରାଫିକ ପରିଚାଳନା ବ୍ୟବସ୍ଥା, ବ୍ଲାକ୍‌ସ୍ପଟ୍ ଚିହ୍ନଟ, ଇଣ୍ଟରସେପ୍ଟର ଯନ୍ତ୍ର, ଜନସଚେତନତା ପର୍ଯ୍ୟନ୍ତ ଯେତେ ଯାହା କଲେ ବି ବେପରୁଆ ଗାଡ଼ିଚାଳନା ଥମିବାର ନାଁ ନେଉନି। ୨୦୧୭ରେ ୧୦ ହଜାର ୮୫୫ଟି ରାସ୍ତା ଦୁର୍ଘଟଣା ଘଟିଥିଲା। ୨୦୧୮ରେ ଏହି ସଂଖ୍ୟା ୧୧ ହଜାର ୨୬୨ ଛୁଇଁଛି।

ଅନ୍ୟପକ୍ଷରେ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ହାର କମ୍ ରହିଥିବା ନଜରକୁ ଆସିଛି। ଗତବର୍ଷ ମୋଟ ଦରଜ ହୋଇଥିବା ହତ୍ୟାକାଣ୍ଡ ମଧ୍ୟରୁ ମାତ୍ର ୬୪୫ଟିରେ ଚାର୍ଜସିଟ ଦାଖଲ କରିପାରିଛି ପୁଲିସ। ଏବେ ବି ମୋଟ ୨୯ ହଜାର ୧୨୯ଟି ବିଭିନ୍ନ ଆପରାଧିକ ମାମଲାରେ ତଦନ୍ତ ଚାଲୁ ରହିଛି।

ପୁଲିସର ରେକର୍ଡ଼ କହୁଛି, ୨୦୧୯ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ୨୮ ହଜାର ୬୨୭ରେ ପହଞ୍ଚିଲାଣି। ଏଥିରୁ ଜଣାପଡ଼ୁଛି ପୁଲିସ ବ୍ୟବସ୍ଥାରେ ସରକାରଙ୍କ ସଂସ୍କାର କାର୍ଯ୍ୟକ୍ରମ ଅପରାଧ ନିୟନ୍ତ୍ରଣ କରିବାରେ ସଫଳତା ପାଉନି। ୨୦୦୦-୨୦୦୧ରୁ ୨୦୧୭-୨୦୧୮ ଭିତରେ ପୁଲିସ ଆଧୁନିକୀକରଣ ବାବଦରେ ସରକାର ୮୯୧ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିଲେ। ଅଦ୍ୟାବଧି ବରାଦ ହୋଇଥିବା ଅର୍ଥର ୯୮.୧୮% ଅର୍ଥାତ୍ ୮୭୫ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି।

ଅନ୍ୟପଟେ କମିଟି ରିପୋର୍ଟରେ ଦର୍ଶାଇଛି, ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣରେ ରହିଛି। ଗତବର୍ଷ ଯାଜପୁର, ଢେଙ୍କାନାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ମାଓବାଦୀଙ୍କ ଦ୍ବାରା ଗୋଟିଏ ବି ହିଂସାକାଣ୍ଡ ଘଟିନାହିଁ। ସେହିପରି ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ ଏବଂ ନୂଆପଡ଼ା ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇପାରିଛି। ୨୬ଟି ମାଓ ହିଂସା ଘଟଣାରେ ପୁଲିସ ସହ ଗୁଳିବିନିମୟରେ ୧୯ ଜଣ ସିପିଆଇ(ମାଓବାଦୀ) କ୍ୟାଡରଙ୍କ ମୃତ୍ୟୁ ହୋଇଥିଲା। ୨୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୩୯ ଜଣଙ୍କୁ ଗିରଫ କରାଯାଇଥିଲା।

ରାଜ୍ୟରେ ଦଣ୍ଡ ବିଧାନ ହାର କମ‌୍ ବୋଲି ବିରୋଧୀ ସରକାରଙ୍କୁ ଗୃହ ଭିତରେ ଘେରି ଆସୁଛନ୍ତି। ସମାନକଥା ବିଧାନସଭା ସ୍ଥାୟୀ କମିଟି ମଧ୍ୟ ରିପୋର୍ଟରେ ଦର୍ଶାଇଛି। ଆପରାଧିକ ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟାରେ ଗୁଣାତ୍ମକ ଦିଗଟି ଅବହେଳିତ ହେଉଥିବା ସ୍ଥାୟୀ କମିଟି ଦର୍ଶାଇଛି। ଏହାସହିତ ତଥ୍ୟ ଓ ପ୍ରମାଣ ବ୍ୟବସ୍ଥାରେ ଆହୁରି ଉନ୍ନତି ଆଣିବାକୁ ମଧ୍ୟ ସୁପାରିସ କରାଯାଇଛି। ସରକାରୀ ଓକିଲ ନିଯୁକ୍ତି କ୍ଷେତ୍ରରେ ଦକ୍ଷତାକୁ ଯାଞ୍ଚ କରାଯିବା ଦରକାର। ବିଶେଷକରି ସହରାଞ୍ଚଳରେ ଆପରାଧିକ ମାମଲାରେ ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବା ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ଥିବା ଅଧିକାରୀଙ୍କୁ ପୃଥକ ଭାବେ ଦାୟିତ୍ବ ନ୍ୟସ୍ତ କଲେ ଅପରାଧ ନିଯନ୍ତ୍ରଣ କ୍ଷେତ୍ରରେ ସଫଳତା ମିଳିପାରିବ ବୋଲି କମିଟି ମତ ଦେଇଛି।

ସେହିପରି ରାଜ୍ୟରେ ମୋଟର ଦୁର୍ଘଟଣା ରୋକିବାକୁ ସରକାର ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ଟ୍ରାଫିକ ବ୍ୟବସ୍ଥାରେ ଅଧିକ ମାନବସମ୍ବଳ ନିୟୋଜିତ କରିବାକୁ କମିଟି ସରକାରଙ୍କୁ ସୁପାରିସ କରିଛି। ଜାତୀୟ ରାଜପଥଗୁଡ଼ିକରେ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା ପାଇଁ ଆବଶ୍ୟକ ଗାଡ଼ି ଓ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରିବାକୁ ସୁପାରିସ କରାଯାଇଛି।

ସାଇବର ଅପରାଧ ନିୟନ୍ତ୍ରଣରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରଶିକ୍ଷଣ ଦିଆଯିବା ଦରକାର। ସହରରେ ଥିବା ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ଅଗ୍ନିଶମ ନିରୋଧ ବ୍ୟବସ୍ଥା ନିୟମିତ କଡ଼ାକଡ଼ି ଯାଞ୍ଚ କରାଯିବା ସହ ସପିଂ ମଲ୍‌, ବଡ଼ ଦୋକାନ ଗୁଡ଼ିକରେ ଅଗ୍ନି ନିର୍ବାପକ ଯନ୍ତ୍ର ରହିଛି କି ନାହିଁ ସେଗୁଡ଼ିକ ଅଗ୍ନିଶମ ବିଭାଗ ଡିଜି ସୁନିଶ୍ଚିତ କରିବାକୁ କମିଟି ସୁପାରିସ କରିଛି। ଏହାଛଡ଼ା ଜେଲରୁ ମୁକୁଳିବା ପରେ ବନ୍ଦୀମାନଙ୍କ ଆତ୍ମନିଯୁକ୍ତି ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗୃହ କମିଟି ରିପୋର୍ଟରେ ସୁପାରିସ କରିଛି। ବନ୍ଦ ପଡ଼ିଥିବା ଜେଲଗୁଡ଼ିକୁ ଚିହ୍ନଟ କରି ସେଠାରେ ଥିବା କର୍ମଚାରୀମାନଙ୍କୁ ଅନ୍ୟ ଜେଲରେ ନିୟୋଜିତ କରିବାକୁ ମତ ପ୍ରକାଶ ପାଇଛି।

ଭୋଟର ପଞ୍ଜୀକରଣ ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ଦର୍ଶାଇ ଗୃହ ବିଭାଗ ସ୍ଥାୟୀ କମିଟି ସରକାରଙ୍କୁ ସୁପାରିସ କରି କହିଛି, ଭୂତ ଭୋଟରଙ୍କୁ ହଟାଇବା ପ୍ରକ୍ରିୟାରେ ବହୁ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ କଟିଯାଉଛି। ଏହାର ସାନି ଅନୁଧ୍ୟାନ ଆବଶ୍ୟକ। ଏହାସହିତ ପ୍ରତି ବୁଥ୍‌ରେ ୧୦୦୦ରୁ ୧୨୦୦ ଜଣ ଭୋଟର ଭୋଟ ଦେବା ବ୍ୟବସ୍ଥାରେ ପରିବର୍ତ୍ତନ କରି ସେହି ସଂଖ୍ୟାକୁ ୮୦୦ କରିବାକୁ ସ୍ଥାୟୀ କମିଟି ସୁପାରିସ କରିଛି।

ଖାଲି ସେତିକି ନୁହେଁ, ଯେଉଁ କଲେଜ କିମ୍ବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଭୋଟଦାନ ଓ ଭୋଟଗଣତି ପାଇଁ ବ୍ୟବହାର କରାଯାଉଛି ସେହିସବୁ ଶିକ୍ଷାନୁଷ୍ଠାନରୁ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାର ୩ ଦିନ ଭିତରେ ପୁଣି ଥରେ ସେହି କୋଠାକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଉ।

ଅନ୍ତଃରାଜ୍ୟ ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ସୀମାରେ ସିସିଟିଭି ଲଗାଯିବା ସହ ସତର୍କ ଦୃଷ୍ଟି ରଖିବାକୁ ବ୍ୟବସ୍ଥା କରିବାକୁ ସ୍ଥାୟୀ କମିଟି ସରକାରଙ୍କୁ ସୁପାରିସ କରିଛି। ବିଶେଷକରି ଦୀଘା ଓ ଚନ୍ଦନେଶ୍ବର ସୀମାରେ ଅଧିକ ସଂଖ୍ୟକ ସିସିଟିଭି କ୍ୟାମେରା ଲଗାଇବା ସହ ପୁଲିସ ବ୍ୟବସ୍ଥା କଡ଼ା କରିବାକୁ ସୁପାରିସ କରାଯାଇଛି।

ସମ୍ବନ୍ଧିତ ଖବର