କୋର୍ଟ ପରିସରରୁ ଦୁର୍ଦାନ୍ତ ଅପରାଧୀ ଚମ୍ପଟ୍‌

ଅନୁଗୁଳ : ୪ଟି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଅଭିଯୁକ୍ତ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଝସକେତନ ରାଉତ ଓରଫ୍‌ ଝାରୁ ଆଜି ଦିନ ଦ୍ୱିପ୍ରହରେ ପୁଲିସ୍‌କୁ ଚକ୍‌ମା ଦେଇ ଅନୁଗୁଳ କୋର୍ଟ ପରିସରରୁ ଚମ୍ପଟ ମାରିଛି। ଝସକେତନ ୪ ଜଣଙ୍କୁ ହତ୍ୟା କରିଥିବା ନେଇ ତା’ ବିରୁଦ୍ଧରେ ଅଭିଯୋଗ ରହିଥିଲା। ସେ ବିଚାରାଧୀନ କଏଦୀ ଭାବେ ବନ୍ଦୀ ଥିଲା।

ମିଳିଥିଲା ସୂଚନା ଅନୁସାରେ, ଏହି ଦୁର୍ଦାନ୍ତ ହତ୍ୟା ଅଭିଯୁକ୍ତ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଏକ ମାମଲାର ଶୁଣାଣି ଲାଗି ଅନୁଗୁଳ ଦୌରାଜଜ୍‌ଙ୍କ କୋର୍ଟକୁ ଆସିଥିବା ବେଳେ ହାଜତ ଶୌଚାଳୟର ଛାତ କଣା କରି ଫେରାର ହୋଇଯାଇଥିଲା। ଏଥିରେ ପୁଲିସ୍‌ ସହଯୋଗ କରିଥିବା ଅଭିଯୋଗ ହୋଇଛି। ଝସକେତନକୁ ଧରିବା ପାଇଁ ପୁଲିସ୍‌ ଜୋର୍‌ଦାର୍‌ ଉଦ୍ୟମ ଚଳାଇଥିବାବେଳେ ଦାୟିତ୍ୱରେ ଅବହେଳା ପାଇଁ ତିନିଜଣ ପୁଲିସ କର୍ମଚାରୀଙ୍କୁ ତ୍ୱରିତ ନିଲମ୍ବିତ କରାଯାଇଛି। ଅନ୍ୟ ୫ଜଣଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିସ କରାଯାଇଛି।

ପ୍ରକାଶଥାଉକି, ଯେ ଛେଣ୍ଡିପଦା ଥାନା କୁକୁରପେଟା ପଞ୍ଚାୟତ ନୂଆମୌଜା ଗ୍ରାମରେ ରହୁଥିବା ମାଉସୀ ଅବଳା ଗଡ଼ନାୟକ (୬୫)ଙ୍କ ଠାରୁ ୩ ପ୍ରତିଶତ ମାସିକ ସୁଧହାରରେ ଝାରୁ ୩ ଲକ୍ଷ ଟଙ୍କା ଘରୋଇ ଋଣ ନେଇଥିଲା। ସମୂଳସୁଧ ୧୪ ଲକ୍ଷ ଟଙ୍କା ଫେରାଇବାରେ ଅସମର୍ଥ ହେବାରୁ ଝସକେତନ ମାଉସୀ ଅବଳା ଓ ତାଙ୍କ ପୁତୁରା କୁମୁଦ ଚନ୍ଦ୍ର ସାହୁ (୩୦)ଙ୍କୁ କୌଶଳକ୍ରମେ କୁଶକିଳାସ୍ଥିତ ତା’ର ଶିଶୁମନ୍ଦିରକୁ ଡକାଇ ସେଠାରେ ନିର୍ମମ ହତ୍ୟା କରିଥିଲା। ପରେ ଉଭୟଙ୍କ ମୃତଦେହକୁ ମାଟି ତଳେ ପୋତି ଦେଇଥିଲା। ଫଳରେ ଏହି ଘଟଣା ଦୀର୍ଘଦିନ ପର୍ଯ୍ୟନ୍ତ ଲୋକଲୋଚନକୁ ଆସି ପାରିନଥିଲା। ପୁଲିସ କେବଳ ଏକ ନିଖୋଜ ଡାଇରି କରି ଚୁପ୍‌ ବସି ଯାଇଥିଲା।

ତେବେ ପରେ ଝାରୁ ପୁଣି କୁଶକିଳା ଗ୍ରାମର ଦୁଇଭାଇ ଛୋଟୁ ଓରଫ୍‌ ଯୋଗେଶ୍ୱର ସାହୁ(୩୫) ଓ ହିରୋ ଓରଫ୍‌ ହିରଣାକ୍ଷ ସାହୁ (୩୧)ଙ୍କୁ ଅପହରଣ କରି ହତ୍ୟା କରିଥିଲା। ଉଭୟଙ୍କ ମୃତଦେହ ମାଉସୀ-ପୁତୁରା ପୋତା ଯାଇଥିବା ସ୍ଥାନଠାରୁ ମାତ୍ର କିଛି ଦୂରରେ ପୋତି ଦେଇଥିଲା। ଦୀର୍ଘଦିନ ପରେ ଏହି ଘଟଣା ଉପରୁ ପୁଲିସ୍‌ ପରଦା ହଟାଇଥିଲା। ଜମିବାଡ଼ି ଓ ଅର୍ଥ ଦେଣନେଣ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଥିଲା। ପୁଲିସ ଏହି ଘଟଣାରେ ଝାରୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହିଭଳି ୪ ଜଣଙ୍କ ହତ୍ୟାକାରୀ ଚକ୍‌ମା ଦେଇ ଫେରାର୍‌ ହେବା ଘଟଣା ପୁଲିସ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର