ଭୁବନେଶ୍ୱର: ମଙ୍ଗଳବାର ବିଳମ୍ବିତ ରାତ୍ରୀରେ କଟକ ସହର ଉପକଣ୍ଠ ମର୍କତ ନଗରର ସେକ୍ଟର୍‌ ୧୩ ଅଞ୍ଚଳରେ ପୁଲିସ ସହ ଏନ୍‌କାଉଣ୍ଟର୍‌ ଘଟି ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି।

Advertisment

ଆହତ ହୋଇଥିବା ଅପରାଧୀ ହେଉଛି ବୁଦ୍ଧିଆ ଦାସ। ବୁଦ୍ଧିଆ ନାଁରେ ବିଭିନ୍ନ ଥାନାରେ ଅନ୍ୟୂନ ୩୦ ଭିନ୍ନ ଭିନ୍ନ ମାମଲା ରହିଛି। ସେ ଗ୍ୟାଙ୍ଗ୍‌ଷ୍ଟର୍‌ ଟିଟୋର ସହଯୋଗୀ ବୋଲି ପୁଲିସ କହିଛି।

ସେ ମର୍କତ ନଗରରେ ଉପସ୍ଥିତ ଥିବା କଥା ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ କମିସନ୍‌ରେଟ୍‌ ପୁଲିସ୍‌ର ଏକ ଟିମ୍‌ ସେ ଅଞ୍ଚଳକୁ ଯାଇଥିବା ବେଳେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା। ବୁଦ୍ଧିଆର ଡାହାଣ ଗୋଡ଼ରେ ଗୁଳିଚୋଟ ଲାଗିବାରୁ ସେ ଆହତ ହୋଇଛି। ଚିକିତ୍ସା ନିମନ୍ତେ ତାକୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଛି।

ଗୁଳି ବିନିମୟରେ ବିଶ୍ୱଜିତ ମହାନ୍ତି ନାମକ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ଘଟଣାସ୍ଥଳରୁ ପୁଲିସ ଗୋଟିଏ ପିସ୍ତଲ ଏବଂ ଦୁଇ ରାଉଣ୍ଡ୍‌ ଗୁଳି ଉଦ୍ଧାର କରିଛି।