ଗଞ୍ଜାମ ପୁଲିସ୍‌ର ଏନ୍‌କାଉଣ୍ଟର ନଂ-୬୨ : ସିରିଜ୍‌ ବୋମାମାଡ଼ର ମୁଖ୍ୟ ଅଭିଯୁକ୍ତ ଜଖମ

ପିସ୍ତଲ, ଗୁଳି, ୫ଟି ବୋମା ଜବତ

ଭଞ୍ଜନଗର : ଗଞ୍ଜାମ ପୁଲିସ୍‌ ଆଉ ଜଣେ ଅପରାଧୀକୁ ଏନ୍‌କାଉଣ୍ଟର କରିଛି। ଏହା ହେଉଛି ୬୨ ନମ୍ବର ଏନ୍‌କାଉଣ୍ଟର। ଏଥିରେ ଅଭିଯୁକ୍ତର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ତା’ ନିକଟରୁ ୫ଟି ଅଫୁଟା ବୋମା, ଗୋଟିଏ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରିଛି।

ଏନ୍‌କାଉଣ୍ଟରରେ ଶିକାର ହୋଇଥିବା ଅପରାଧୀ ହେଉଛି ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ ଓରଫ ଇମୁ(୨୬)। ଗତ ୭ ତାରିଖରେ ଭଞ୍ଜନଗରରେ ସିରିଜ୍ ବୋମାମାଡ଼ କରି ଥରହର କରି ଦେଇଥିଲା। ସେହିଦିନଠାରୁ ପୁଲିସ୍‌ ତାକୁ ଖୋଜୁଥିଲା। ଗତକାଲି ରାତିରେ ସେ ଫୁଲବାଣୀରୁ ଭଞ୍ଜନଗର ଫେରୁଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା।

ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ବରେ ୭ ଜଣିଆ ଟିମ୍‌ ସୋରାଦୋବୀ ମନ୍ଦିର ନିକଟରେ ଛପି ରହି ଇମୁର ଗତିବଧି ଅନୁଧ୍ୟାନ କରୁଥିଲେ। ତା’ର ସହଯୋଗୀ କେଶବ ସାହାଣୀ ବାଇକ୍‌ ଚଳାଉଥିବାବେଳେ ଇମୁ ପଛରେ ବସିଥିଲା। ଭୋର ୬ଟା ୨୦ମିନିଟ ବେଳେ ଗଣ୍ଡିଶୂଳା ନିକଟରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରଥିଲା। କିନ୍ତୁ ଇମୁ ପୁଲିସ ଉପରକୁ ବୋମାମାଡ଼ କରିବା ସହ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା। ଏଥିରେ ଏସଆଇ ସବ୍ୟସାଚୀ ମଲ୍ଲ ଓ ନିରଞ୍ଜନ ଦାସ ଆହତ ହୋଇଥିଲେ। ପୁଲିସର ପାଲଟା ଗୁଳିରେ ଇମୁ ତଳେ ଖସି ପଡ଼ିଥିଲା। ଏହାପରେ ପୁଲିସ୍‌ ତାକୁ କାବୁ କରିନେଇଥିଲା। ତେବେ, ସହଯୋଗୀ କେଶବ ଖସି ଚାଲିଯିବାକୁ ସକ୍ଷମ ହୋଇଛି।

ଗୁରୁତର ଅବସ୍ଥାରେ ଇମୁକୁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର