କେନ୍ଦ୍ରାପଡ଼ାରେ ପୁଣି ଏନ୍‌କାଉଣ୍ଟର : ସୁଲେମାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ାରେ ଆଜି ପୁଣି ଏକ ଏନ୍‌କାଉଣ୍ଟର ହୋଇଛି। ୧୦ ଦିନ ବ୍ୟବଧାନ ପରେ ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକ ଆହତ ‌େହାଇଛି। ବିଜୟ ସୁଲେମାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଆଜି ଭୋର ପ୍ରାୟ ସାଢେ଼ ୩ଟା ବେଳେ ବିଜୟ ସଦର ଥାନା ପୁଲିସ୍‌ ଓ ଏସ୍‌ପିଙ୍କ ସ୍ବତନ୍ତ୍ର ପୁଲିସ୍‌ ସ୍କ୍ବାଡ ହାବୁଡ଼ରେ ପଡ଼ି ଯାଇଥିଲା। ପୁଲିସ୍‌କୁ ଦେଖି ବିଜୟ ପ୍ରଥମେ ଦୌଡ଼ି ପଳାଇବାକୁ ଉଦ୍ୟମ କରିବା ସହ ପୁଲିସ୍‌ ଉପରକୁ ୨ ରାଉଣ୍ତ ଗୁଳି ଫୁଟାଇ ଥିଲା। ପୁଲିସ୍‌ର ପାଲଟା ଗୁଳି ତାର ବାମ ଗୋଡ଼ରେ ବାଜିଥିଲା। ପୁଲିସ୍‌ ବିଜୟକୁ କାବୁ କରି ନେଇ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ପରେ ତାକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବିଜୟ ବ୍ୟବହାର କରିଥିବା ଏକ ପିସ୍ତଲକୁ ପୁଲିସ୍‌ ଜବତ କରିଛି।

ଗ୍ୟାଙ୍ଗଷ୍ଟର ସୁଲେମାନକୁ ୨୦୦୯ରେ ହତ୍ୟା କରିବାରେ ବିଜୟ ଥିଲା ମୁଖ୍ୟ କାର୍ପଟଦାର। କିନ୍ତୁ କୌଣସି ଲିଖିତ ଅଭିଯୋଗ ତା’ ବିରୋଧରେ ନ ହେବାରୁ ପୁଲିସ୍‌ ନିଜ ଆଡ଼ୁ ମାମଲା ରୁଜୁ କରି ତାକୁ ଗିରଫ କରିଥିଲା।

ଏ ସଂପର୍କରେ କେନ୍ଦ୍ରାପଡ଼ା ଏସ୍‌ପି ନିତି ଶେଖର କହିଛନ୍ତି ଯେ,କୋଲକାତା, ହାଇଦ୍ରାବାଦ, କେନ୍ଦ୍ରାପଡ଼ା ସମେତ କଟକ, ସମ୍ବଲପୁର, ବ୍ରହ୍ମପୁର, ଜଗତସିଂପୁର ଜିଲ୍ଲାର ବିଭିନ୍ନ ଥାନାରେ ୫୦ରୁ ଅଧିକ ଅପରାଧ ଘଟଣାରେ ବିଜୟ ସଂପୃକ୍ତ ଥିବା ଅନୁମାନ କରାଯାଉଛି। ଏହି ମାମଲା ଗୁଡ଼ିକର ଯାଞ୍ଚ କରାଯାଉଛି।

କେବେ ବିଜୟ ତ କେବେ ଗଣେଶ

ପୁଲିସ୍‌କୁ ଚକମା ଦେଖାଇ ଘୂରି ବୁଲୁଥିଲା ଦୁର୍ଦ୍ଦାନ୍ତ ବିଜୟ। ନିଜ ପରିଚୟକୁ ଗୋପନ ରଖିବାକୁ ଯାଇ ଆଧାର, ଭୋଟର ପରିଚୟପତ୍ରରେ ନିଜ ନାମକୁ ବଦଳାଇ ଗଣେଶ ଦାସ ରଖିଥିଲା। ପରିଚୟ ପତ୍ରରେ ଗଣେଶ ଦାସ ପିତା କୃଷ୍ଣ ଦାସ ଓ ଜନ୍ମ ତାରିଖ ୧-୯-୮୦ ଦର୍ଶାଇଛି। ଘର ଠିକଣା ଅଛି କରବାର, ବାଙ୍କି, ଜିଲ୍ଲା କଟକ। ଅନେକ ସମୟରେ ବେଶ ବଦଳାଇ ବୁଲୁ ଥିବାରୁ ପୁଲିସ୍‌ ହଠାତ୍ ତାକୁ ଚିହ୍ନିବା ମୁସ୍କିଲ ଥିଲା। ନିର୍ଦ୍ଦିଷ୍ଟ ଭାବେ ତାର ଗ୍ୟାଙ୍ଗ୍ ନଥିଲେ ହେଁ ନିଜେ ଅପରାଧ ଘଟାଇ ସାମ୍ରାଜ୍ୟ ବିସ୍ତାର କରି ରଖିଥିଲା।

ସମ୍ବନ୍ଧିତ ଖବର