ଦୁର୍ଦ୍ଦାନ୍ତ ଅପରାଧୀ ବଳରାମକୁ ଏନ୍‌କାଉଣ୍ଟର୍‌ , ଟିଟୋ ଗ୍ୟାଙ୍ଗ୍‌ ସଦସ୍ୟ ବୋଲି ପୁଲିସ୍‌ର ସୂଚନା

ନୟାଗଡ଼ : ଦୁର୍ଦ୍ଦାନ୍ତ ଅପରାଧୀ ବଳରାମ ମଲ୍ଲିକ (୩୪) ଓରଫ୍‌ ଚଗଲାକୁ ଆଜି ନୟାଗଡ଼ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ଗତ ଏପ୍ରିଲ୍‌ ମାସରେ ରଣପୁର ଥାନା ଅଧୀନ ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲାର ମୁଖ୍ୟ ଆସାମୀ ଥିଲା ଏହି ଚଗଲା। ଆଜି ନୟାଗଡ଼ ସହରରେ ଚଗଲା ବୁୁଲୁଥିବା କଥା ରଣପୁର ଥାନା ଅଧିକାରୀ ଗିରିଜା ଶଙ୍କର ରଥ ଖବର ପାଇଥିଲେ। ଏହା ପରେ ନୟାଗଡ଼ ଏସ୍‌ପିଙ୍କୁ ସୂଚନା ଦିଆଯିବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ରଣପୁର ଥାନା ପୁଲିସ୍‌ ଓ ନୟାଗଡ଼ ଟାଉନ୍‌ ଥାନା ଅଧିକାରୀ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାତି ପ୍ରାୟ ୧୧ଟା ୪୦ରେ ଚଗଲାକୁ ଏନ୍‌କାଉଣ୍ଟର୍‌ କରାଯାଇଥିଲା। ନରଣପୁର ନିକଟରେ ପୁଲିସ୍‌ ଓ ଚଗଲାର ଦୁଇ ସହଯୋଗୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ପୁଲିସ୍‌ର ଦୁଇଟି ଗୁଳି ଚଗଲାର ଦୁଇ ଆଣ୍ଠୁରେ ବାଜିଥିଲା। ଚଗଲା ନିକଟରୁ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ଜବତ ହୋଇଛି। ଚଗଲାର ଦୁଇ ଜଣ ସହଯୋଗୀ ଅନ୍ଧାରର ସୁଯୋଗ ନେଇ ପୁଲିସ୍‌ ହାତରୁ ଖସି ଯାଇଛନ୍ତି। ଚଗଲା ନାମରେ ତିନିଟି ହତ୍ୟା ମାମଲା ସହ, ଡକାୟତି, ବୋମା ମାଡ଼ ଆଦି ରାଜ୍ୟର ବିଭିନ୍ନ ଥାନାରେ ବହୁ ସଙ୍ଗିନ ମାମଲା ରହିଛି। ଚଗଲା ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ପୁଲିସ୍‌ ସୂଚନା ଦେଇଛି। ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ପରେ ଅଧିକ ଚିକିତ୍ସା ପାଇଁ ଚଗଲାକୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଚଗଲାର ଘର କଟକର ନିଆଳି ଅଞ୍ଚଳରେ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ଜିଲ୍ଲା ପୁଲିସ୍‌ର ଏହ ପଞ୍ଚମ ଏନ୍‌କାଉଣ୍ଟର୍‌।

ସମ୍ବନ୍ଧିତ ଖବର