ବଲାଙ୍ଗୀରରେ ପୁଣି ଏନ୍‌କାଉଣ୍ଟର : କ୍ରିଷ୍ଣା ଗୁରୁତର, ବନ୍ଧୁକ ଜବତ

ବଲାଙ୍ଗୀର/ସଇଁନ୍ତଲା/ଦେଓଗାଁ : ଏକ୍ସନ ମୁଡ୍‌ରେ ଅଛି ବଲାଙ୍ଗୀର ପୁଲିସ। ବବ୍‌ଲୁ ଏନ୍‌କାଉଣ୍ଟର ପରେ ରବିବାର ଦିନ ସେହି ଗ୍ୟାଙ୍ଗର ଆଉ ଜଣେ ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଅପରାଧୀ କ୍ରିଷ୍ଣା କଟା(୩୦)କୁ ପୁଲିସ ଏନକାଉଣ୍ଟର କରି ଧରିବାରେ ସଫଳ ହୋଇଛି। କ୍ରିଷ୍ଣା ନୂଆପଡ଼ା‌ ଜିଲ୍ଲାର ଓ ସେ ବଲାଙ୍ଗୀରରେ ବହୁ ଅପରାଧରେ ସଂପୃକ୍ତ ବୋଲି ସୂଚନା ମିଳିଛି। କ୍ରିଷ୍ଣାର ଗୋଡ଼ରେ ଗୋଟିଏ ଗୁଳି ବାଜିଛି। ତାକୁ ବଲାଙ୍ଗୀର ସନ୍ଥକବି ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଧୀନସ୍ଥ ଦେଓଗାଁ-ସଇଁନ୍ତଲା ରାସ୍ତାର ତୁଷୁରାଛକ ମେର୍ଲିମୁଣ୍ଡା ନିକଟରେ ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ନିଜେ ଏସ୍‌ପି କେ.ଶିବା ସୁବ୍ରମଣି ଏହି ଅପରେସନର ନେତୃତ୍ବ ନେଇଥିଲେ। ବବଲୁର ଅନ୍ୟତମ ମୁଖ୍ୟ ସହଯୋଗୀ କ୍ରିଷ୍ଣା ସଂପର୍କରେ ଖବର ପାଇବା ପରେ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍‌ ତୁଷୁରା ଛକଠାରେ ଚଢଉ କରିଥିଲେ। ଚଢ଼ଉ ସମୟରେ କ୍ରିଷ୍ଣା ପୁଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରି ଫେରାର ମାରିବାକୁ ଉଦ୍ୟମ କରିଥିଲା। ଜବାବରେ ପୁଲିସ କ୍ରିଷ୍ଣା ଉପରକୁ ଗୁଳି ଚଲାଇଥିଲା। ଗୋଡ଼ରେ ଗୋଟିଏ ଗୁଳି ବାଜିବା ପରେ କ୍ରିଷ୍ଣା ତଳେ ପଡ଼ି ଯାଇଥିଲା। ଏସ୍‌ପିଙ୍କ ନେତୃତ୍ୱରେ ଯାଇଥିବା ଟିମ୍‌ କ୍ରିଷ୍ଣାକୁ ପ୍ରଥମେ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାକୁ ବଲାଙ୍ଗୀର ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଛି। ବଡ଼ବନ୍ଧ ଆନ୍ଧ୍ରା ବ୍ୟାଙ୍କ କର୍ମଚାରୀଙ୍କଠାରୁ ୧୯ ଲକ୍ଷ ଟଙ୍କା ଲୁଟ ମାମଲାରେ ସେ ସାମିଲ ଥିଲା। ସଇଁନ୍ତଲା ଥାନା ମଦଭାଟି ମ୍ୟାନେଜରଙ୍କ ଉପରକୁ ଗୁଳି ଚଳାଇ ୬ ଲକ୍ଷ ଲୁଟ ମାମଲାରେ ମଧ୍ୟ ସଂପୃକ୍ତ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର