ଭତ୍ତା ଟଙ୍କା ଉପରେ ଦୁର୍ବୃତ୍ତଙ୍କ ଆଖି

ଅସ୍ତରଙ୍ଗରୁ ଲୁଟିନେଲେ ୨ ଲକ୍ଷ ୮୨ ହଜାର, ବନ୍ଧୁକ ଦେଖାଇ ନିର୍ବାହୀ ଅଧିକାରୀଙ୍କୁ ଲୁଟିଲେ : ବାଇକ୍, ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ନେଇ ଦୁର୍ବୃତ୍ତ ଚମ୍ପଟ

ଅସ୍ତରଙ୍ଗ/କାକଟପୁର : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ତାଳଦା ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ସ୍ୱାଇଁଙ୍କୁ ପିସ୍ତଲ ଦେଖାଇ ଦୁର୍ବୃତ୍ତମାନେ ୨ ଲକ୍ଷ ୮୨ ହଜାର ଟଙ୍କା ଲୁଟି ନେଇଛନ୍ତି। ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟନ କରିବାକୁ ଯାଉଥିବା ବେଳେ ସେ ଲୁଟ୍‌ର ଶିକାର ହୋଇଛନ୍ତି। ଏ ନେଇ କାକଟପୁର ଥାନାରେ ଅଭିଯୋଗ ହୋଇଛି। ସ୍ପଷ୍ଟ ଦିବାଲୋକରେ ଏହି ଲୁଟ୍‌ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ମୁତାବକ, ଆଜି ତାଳଦା ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ପାଇଁ ନିର୍ବାହୀ ଅଧିକାରୀ ଶ୍ରୀ ସ୍ୱାଇଁ ବାଇକ୍‌ରେ ୨ ଲକ୍ଷ ୮୨ ହଜାର ଟଙ୍କା ନେଇ ଯାଉଥିଲେ। ନଦୀ ପାରି ହୋଇ ତାଳଦାରେ ପହଞ୍ଚିଲା ପରେ ସେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିଥାନ୍ତେ। ମାତ୍ର ପୂର୍ବରୁ ନଦୀବନ୍ଧରେ ଛକି ରହିଥିବା ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ପିସ୍ତଲ ଦେଖାଇ ଟଙ୍କା ଓ ମୋବାଇଲ୍ ଝାମ୍ପି ନେଇଥିଲେ। ସକାଳ ୯.୦୫ରେ ଏହି ଲୁଟ୍‌ ହୋଇଥିଲା ବେଳେ ଅପରାହ୍ନ ୩ଟାରେ କାକଟପୁର ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ ହୋଇଥିବା ଆଇଆଇସି ସୁମନ୍ତି କୁମାରୀ ମହାନ୍ତି ସୂଚନା ଦେଇଛନ୍ତି। ଲୁଟ୍‌ ପରେ ଦୁର୍ବୃତ୍ତମାନେ ବାଉରିଆକଣ ରାସ୍ତା ଦେଇ ପଳାଇ ଯାଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ବନ୍ଧୁକ ଦେଖାଇ ନିର୍ବାହୀ ଅଧିକାରୀଙ୍କୁ ଲୁଟିଲେ : ବାଇକ୍, ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ନେଇ ଦୁର୍ବୃତ୍ତ ଚମ୍ପଟ

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ଥାନା ଅରଖପୁର ଗ୍ରାମ ଭଙ୍ଗାଶଙ୍ଖ ନିକଟରେ ତିନି ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅରଖପୁର ପଂଚାୟତ ନିର୍ବାହୀ ଅଧିକାରୀଙ୍କ ମୋଟର ସାଇକେଲ୍‌, ଅଫିସ୍‌ର ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ଲୁଟି ନେଇଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ଥାନାରେ ଏତଲା ହୋଇଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଜି ସକାଳ ୭ଟାରେ ଅରଖପୁର ପଂଚାୟତର ନିର୍ବାହୀ ଅଧିକାରୀ କାଶୀନାଥ ତିଆଡ଼ି ନିଜ ମୋଟର ସାଇକେଲ୍‌ (ଓଡି୦୭ଏଫ୍‌ ୩୯୪୮) ଯୋଗେ ପଂଚାୟତକୁ ଭତ୍ତା ବଣ୍ଟନ ପାଇଁ ଯାଉଥିବା ସମୟରେ ତିନିଜଣ ମୁଖାଧାରୀ ଦୁର୍ବୃତ୍ତ ଗୋଟିଏ ବାଇକ୍‌ରେ ଆସି ଭଙ୍ଗାଶଂଖ ନିକଟରେ ତାଙ୍କୁ ଅଟକାଇଥିଲେ। ତାଙ୍କୁ ବନ୍ଧୁକ ଦେଖାଇ ନିସ୍ତୁକ ମାଡ଼ ମାରି ତାଙ୍କ ବାଇକ୍‌, ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ପତ୍ର ଛଡ଼ାଇନେଇ ଚମ୍ପଟ ମାରିଥିଲେ। ଶ୍ରୀ ତିଆଡ଼ି ଆହତ ଅବସ୍ଥାରେ ସେଠାରୁ ଚାଲି ଚାଲି ଆସି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପୁରୁଷୋତ୍ତମପୁର ଥାନାରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ବିଡିଓଙ୍କୁ ଜଣାଇବା ପରେ ବିଡିଓ ସତ୍ୟ ସୁନ୍ଦର ରାଉତ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର