ଗଞ୍ଜାମ ପୁଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ଜଖମ

ବ୍ରହ୍ମପୁର : ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ କୋକୋ ଏନ୍‌କାଉଣ୍ଟରର ୨୪ ଘଣ୍ଟା ନ ବିତୁଣୁ ଗଞ୍ଜାମ ପୁଲିସ ଅପରେସନ ‘କ୍ରିମିନାଲ କ୍ଲିନ’ରେ ଆଉ ଜଣେ ଅପରାଧୀକୁ ଏନ୍‌କାଉଣ୍ଟର କରିଛି। ପୁଲିସର ୫୮ତମ ଏନ୍‌କାଉଣ୍ଟରର ଶିକାର ହୋଇଛି ପ୍ରମୋଦ ବାରିକ (୨୯)। ତା’ର ଡାହାଣ ଗୋଡ଼ରେ ଗୁଳି ଲାଗିଛି। ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହାସହ ତା’ଠାରୁ ଏକ ବାଇକ୍, ଗୋଟିଏ ମାଉଜର ଓ ଦୁଇଟି ଗୁଳି ଜବତ ହୋଇଛି।

ଗଞ୍ଜାମ ବ୍ଲକ ଓ ଥାନା ଅଧୀନ ପୁଇଁତଳା ଗ୍ରାମର ମୂଳବାସିନ୍ଦା ପ୍ରମୋଦ ନାଁରେ ଆସିକା, ଚମାଖଣ୍ଡି ଓ ଗଞ୍ଜାମ ଥାନାରେ ଡକାୟତି, ଛିନତାଇ ଏବଂ ‌ବୋମାମାଡ ଭଳି ସଙ୍ଗିନ ମାମଲା ରହିଛି। ସେ ଦୀର୍ଘଦିନ ଧରି ଫେରାର ଥିବା ସହ ଗଞ୍ଜାମ ଥାନା ଇଲାକାରେ ତା’ର ପଲଟଣ ସହ ଅପରାଧ ନେଟୱର୍କକୁ ସକ୍ରିୟ କରିଥିଲା। ତାକୁ ଗିରଫ କରିବା ପାଇଁ ଗଞ୍ଜାମ ପୁଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା।

ଆଜି ଭୋର ପ୍ରାୟ ୩ଟା ୫୦ ମିନିଟରେ ପ୍ରମୋଦ ପାଲୁର-କୃଷ୍ଣପ୍ରସାଦ ରାସ୍ତା ଦେଇ ଯାଉଥିବା ନେଇ ଗଞ୍ଜାମ ପୁଲିସକୁ ସୂଚନା ହସ୍ତଗତ ହୋଇଥିଲା। ଏହାପରେ ଏକ ଟିମ୍ ଉକ୍ତ ରାସ୍ତାରେ ତାକୁ କାବୁ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ପୁଲିସ ଟିମ ଉପରକୁ ପ୍ରମୋଦ ଗୁଳି ଚଳାଇଥିଲା। ପୁଲିସ ପକ୍ଷରୁ ପାଲଟା ଗୁଳିଚାଳନାରେ ତା’ର ଡାହାଣ ଗୋଡ ଜଖମ ହେବାରୁ ସେ ପଡ଼ି ଯାଇଥିଲା। ଗୁଳି ବିନିମୟ ବେଳେ ଦୁଇ ଜଣ କନ‌ଷ୍ଟେବଳ ସାମାନ୍ୟ ଆହତ ହୋଇଥିବା ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର