ଦେବଗଡ଼ : ଦେବଗଡ଼ ବନଖଣ୍ଡ ଓ ଦେବଗଡ଼ ବନାଞ୍ଚଳର କଂସର ସେକ୍ସନ ଅନ୍ତର୍ଗତ ହିରଣ ଗାଁରେ ଦେଢ଼ମାସ ଧରି ଚିକିତ୍ସିତ ହେଉଥିବା ଅସୁସ୍ଥ ମାଈହାତୀଟି ସାମାନ୍ୟ ସୁସ୍ଥ ହେବା ପରେ ନିଜର ୩ମାସର ଛୁଆ ସହିତ ବୁଧବାର ରାତିରେ ବାମରା ବନଖଣ୍ଡ ଅନ୍ତର୍ଗତ ଖଳାଶୁଣି ବନ୍ୟପ୍ରାଣୀ ବନାଞ୍ଚଳକୁ ପ୍ରତ୍ୟାବର୍ତ୍ତନ ପାଇଁ ବାହାରିଥିଲା। ମାତ୍ର ହିରନ ଗ୍ରାମରୁ ପାହାଡ଼ ରାସ୍ତାରେ ମାତ୍ର ୩ ଶହ ମିଟର ଦୂରକୁ ଯିବା ପରେ ଖଳାଶୁଣି ବନ୍ୟାପ୍ରାଣୀ ବନାଞ୍ଚଳର ଏକ ଗାତରେ ପଡ଼ି ଯାଇଥିଲା। ବନ କର୍ମଚାରୀ ଓ ହିରଣ ଗ୍ରାମବାସୀଙ୍କର ଉଦ୍ୟମ ସତ୍ତ୍ବେ ହାତୀଟି ଅଦ୍ୟାବଧି ଉଠିପାରି ନାହିଁ। ଫଳରେ ବନବିଭାଗ ଓ ହିରନ ଗ୍ରାମବାସୀଙ୍କ ମଧ୍ୟରେ ଘୋର ନୈରାଶ୍ୟଭାବ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କୁନି ଶାବକଟି ମା’ ହାତୀକୁ ଉଠାଇବା ନିମନ୍ତେ ଦିନ ରାତି ଜାରି ରଖିଥିବା ଉଦ୍ୟମ ଗ୍ରାମବାସୀଙ୍କ ମଧ୍ୟରେ ଏକ ଭାବାବେଗମୟ ପରିସ୍ଥିତି ସୃଷ୍ଟି କରିଛି। ଦେବଗଡ଼ ଓ ଖଳାଶୁଣି ବନାଞ୍ଚଳର ବନ ବିଭାଗ କର୍ମଚାରୀ ଏବଂ ହିରନ ଗ୍ରାମବାସୀ ଗୁରୁବାର ସକାଳୁ ଶୁକ୍ରବାର ସଂଧ୍ୟା ପର୍ଯ୍ୟନ୍ତ ହାତୀଟିକୁ ଉଠାଇବାକୁ ନିରବଛିନ୍ନ ଭାବେ ଉଦ୍ୟମ ଜାରି ରଖିଥିଲେ। ଶନିବାର ମଧ୍ୟ ହାତୀ ଉଠି ପାରି ନଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ତିଲେଇବଣି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସତ୍ୟବ୍ରତ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ସେଠାକୁ ଯାଇ ହାତୀଟିର ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ପଡ଼ିଯାଇଥିବା ମାଈ ହାତୀଟି ବର୍ତ୍ତମାନ ପର୍ଯ୍ୟନ୍ତ ଉଠି ପାରି ନାହିଁ। ପ୍ରାଣୀ ଚିକିତ୍ସକ ଦଳ ହାତୀଟିର ରକ୍ତ ନମୁନା ସଂଗ୍ରହ କରି ଭୁବନେଶ୍ୱର ଓୟୁଏଟି ସ୍ଥିତ ପରୀକ୍ଷାଗାରକୁ ପଠାଇଥିବା ବନବିଭାଗ ସୂତ୍ରରୁ ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଏପ୍ରିଲ ୨୫ ତାରିଖରେ ଶିମିଳିପାଳ ସ୍ଥିତ ସ୍ୱତନ୍ତ୍ର ବ୍ୟାଘ୍ର ପ୍ରକଳ୍ପରେ କାର୍ଯ୍ୟରତ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ମା’ ହାତୀଟିର ଚିକିତ୍ସା ଆରମ୍ଭ କରାଯିବା ସହ କଦଳୀ ମଧ୍ୟରେ ଓୗଷଧ ବଟିକା ପୁରାଇ ହାତୀଟିକୁ ଖାଇବାକୁ ଦିଆଯାଉଥିଲା। ମାତ୍ର ଉକ୍ତ ବୟସ୍କ ମାଈ ହାତୀଟିର ସ୍ୱାସ୍ଥ୍ୟରେ ଆଶାନୁରୂପ ଉନ୍ନତି ଘଟି ନଥିଲେ ମଧ୍ୟ ସେ ସାମାନ୍ୟ ସୁସ୍ଥ ହୋଇଥିଲା। ଉକ୍ତ ହାତୀଟି ପଡ଼ିରହିବା ଓ ବହୁ ଉଦ୍ୟମ ସତ୍ତ୍ବେ ଉଠି ନପାରିବା ଯୋଗୁଁ ବର୍ତ୍ତମାନ ବନବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏହା ସତ୍ତ୍ବେ ବନ ବିଭାଗ କର୍ମଚାରୀ ମାନେ ଆଶା ନହରାଇ ହାତୀଟିକୁ ଜଗି ରହିଛନ୍ତି। ଉଭୟ ଦେବଗଡ଼ ଓ ବାମରା ବନଖଣ୍ଡର କର୍ମଚାରୀ ମାନେ ମିଳିତ ଭାବେ ହାତୀ ଉପରେ ନଜର ରଖିଛନ୍ତି।