ଭିତରକନିକାରେ କୁମ୍ଭୀର ସ˚ଖ୍ୟା ବୃଦ୍ଧି

ବର୍ଷକରେ ବଢିଲେ ୪୪, ସଂଖ୍ୟା ୧୭୪୨

ରାଜନଗର : ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ସ˚ଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧୢରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୬୯୮ଟି ବଉଳା କୁମ୍ଭୀର ଥିବା ବେଳେ ଏ ବର୍ଷ ଏହି ସ˚ଖ୍ୟା ୧୭୪୨କୁ ବୃଦ୍ଧିପାଇଛିି। ଅର୍ଥାତ୍‌ ଗତବର୍ଷଠାରୁ ୪୪ଟି କୁମ୍ଭୀର ଅଧିକ ଥିବା କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି। ଏ ବର୍ଷ ଗଣନା ବେଳେ ଭିତରକନିକାରେ କନିକା ରେଞ୍ଜର ମହିଁଷାମୁଣ୍ତା ନିକଟରେ ବନବିଭାଗ ୨୧ ଫୁଟିଆ କୁମ୍ଭୀର ଠାବ କରିଛି। ଏଥିସହ ଶୁଆଯୋର ଓ ଅଜଗରପାଟିଆ, ଥାନପତି ନିକଟରେ ୨୦ ଫୁଟରୁ ଅଧିକ ୪ଟି କୁମ୍ଭୀର ଠାବ କରାଯାଇଛି ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।

ଚଳିତମାସ ୯ରୁ ୧୪ ତାରିଖ ଯାଏଁ ୫ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା। କୁମ୍ଭୀର ବିଶାରଦ ଡ.ସୁଧାକର କରଙ୍କ ନେତୃତ୍ବରେ ୨୦ଟି ଟିମ୍‌ କୁମ୍ଭୀର ଗଣନା କରିଥିଲେ। ଗଣନା ବେଳେ ୬୧୯ଟି କୁମ୍ଭୀର ଶାବକ ଅର୍ଥାତ୍‌ ୨ ଫୁଟିଆ କୁମ୍ଭୀର, ୩୪୭ଟି ବର୍ଷିକିଆ ଛୁଆ ଅର୍ଥାତ୍‌ ୨ରୁ ୩ ଫୁଟିଆ, ୨୭୩ଟି ଦୁଇ ବର୍ଷିଆ ଛୁଆ ଅର୍ଥାତ୍‌ ୩ରୁ ୬ ଫୁଟ, ୧୭୮ଟି ୪ରୁ ୫ ବର୍ଷର ଅର୍ଥାତ୍‌ ୬ ରୁ ୮ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଥିଲା। ଏଥିସହ ବଡକୁମ୍ଭୀର ୩୨୫ଟି ଗଣନା ବେଳେ ଠାବ କରାଯାଇଛି। ଏହି ୩୨୫ଟି ବଡ଼କୁମ୍ଭୀର ମଧୢରେ ୧୪ ଫୁଟରୁ ୧୬ ଫୁଟ ମଧୢରେ ୨୧ଟି, ୧୬ରୁ ୨୮ ଫୁଟ ମଧୢରେ ୧୩ଟି, ୧୮ରୁ ୨୦ ଫୁଟ ମଧୢରେ ୯ଟି ଓ ୨୦ ଫୁଟରୁ ବଡ କୁମ୍ଭୀର ୪ଟି ଦେଖିବାକୁ ମିଳିଥିଲା।

ଭିତରକନିକା ଭିତରେ ଥିବା ନଦୀ, ନାଳଗୁଡିକରେ ଏ ବର୍ଷ ୧୬୩୬ କୁମ୍ଭୀର ଥିବା ବେଳେ ଭିତରକନିକା ବାହାରେ ଥିବା ନଦୀ, ନାଳଗୁଡିକରେ ୧୦୬ଟି କୁମ୍ଭୀର ଥିବା ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର