ଫସଲ ବୀମା ରାଶି ପୈଠ ଆଶାନୁରୂପ ନୁହେଁ, ୩.୩୯ ଲକ୍ଷ ଚାଷୀଙ୍କୁ ମିଳିଛି ୬୫୦ କୋଟି

ଭୁବନେଶ୍ୱର : ଜୁନ୍‌ ୩୦ ସୁଦ୍ଧା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିର ଅଧିକାଂଶ ଭାଗ ଦେବାକୁ ମୁଖ୍ୟ ଶାସନ ସଚିବ ବୀମା କମ୍ପାନିମାନଙ୍କୁ ନିର୍ଦେଶ ଦେଇଥିଲେ। ସେହି ନିର୍ଦେଶନାମା କାର୍ଯ୍ୟକାରୀ ହେଲାନାହିଁ। ଜୁଲାଇ ୧୫ ସୁଦ୍ଧା ବୀମା ରାଶି ପ୍ରଦାନ ପ୍ରକ୍ରିୟା ସାରିବାକୁ ତାଗିଦ୍‌ କରିଥିଲେ କୃଷି ଉତ୍ପାଦନ କମିସନର। କିନ୍ତୁ ଆଜି ପର୍ଯ୍ୟନ୍ତ ମୋଟ ବୀମା ରାଶିର ପ୍ରାୟ ଏକ ତୃତୀୟାଂଶ ପ୍ରଦାନ କରାଯାଇଛି। ପାଖାପାଖି ୧୫ ଲକ୍ଷ ଚାଷୀ ବୀମା ରାଶି ପାଇବାକୁ ଅପେକ୍ଷା କରିଛନ୍ତି। ସବୁଠାରୁ ବଡ଼ ସମସ୍ୟା ହେଉଛି ଖରିଫ ଧାନ ଚାଷ ଆଗେଇଥିବା ବେଳେ ଅଭାବଗ୍ରସ୍ତ ଚାଷୀମାନଙ୍କୁ ଗତ ଖରିଫ ଋତୁର ବୀମା ପ୍ରାପ୍ୟ ପୈଠ ମିଳିପାରିନାହିଁ।

ସୂଚନା ମୁତାବକ ଆଜି ପର୍ଯ୍ୟନ୍ତ ଏଆଇସି କମ୍ପାନି ପ୍ରାୟ ୧୫୩ କୋଟି ଟଙ୍କାର ବୀମା ରାଶି ପୈଠ କରିଛି। ୩୭୦ ଗ୍ରାମପଞ୍ଚାୟତର ୧.୧୫ ଲକ୍ଷ ଚାଷୀଙ୍କୁ ଦେଇଛି ଏହି ରାଶି। ଏହି କମ୍ପାନି ମୋଟ ୧୫୬.୮୩ କୋଟିର ବୀମା ରାଶି ପ୍ରଦାନ କରିବା ନେଇ ଆକଳନ ହୋଇଛି। ଏହା ହାତରେ ରହିଛି ୬ଟି ଜିଲ୍ଲାର ଦାୟିତ୍ୱ। ସେହିପରି ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ ହାତରେ ରହିଛି ୫ଟି ଜିଲ୍ଲା। ଏହି କମ୍ପାନି ୨୮୧ ଗ୍ରାମପଞ୍ଚାୟତର ୬୮ ହଜାର ଚାଷୀଙ୍କୁ ପୈଠ କରିିଛି ପ୍ରାୟ ୧୯୭ କୋଟି। ଏହି ବୀମା କମ୍ପାନି ସମୁଦାୟ ୮୨୮.୦୯ କୋଟିିର ବୀମା ରାଶି ପୈଠ କରିବ। ଟାଟା ଏଆଇଜି ଅଧୀନରେ ରହିଥିବା ୧୨ଟି ଜିଲ୍ଲାର ୧.୨୫ ଲକ୍ଷ ଚାଷୀଙ୍କୁ ଆଜି ସୁଦ୍ଧା ପ୍ରାୟ ୨୪୫ କୋଟି ପୈଠ କରିଛି। ଆକଳନ ଅନୁସାରେ ଏହି କମ୍ପାନି ମୋଟ ୪୨୭.୭୮ କୋଟି ଚାଷୀମାନଙ୍କୁ ପୈଠ କରିବ। ୭ଟି ଜିଲ୍ଲାର ଫସଲ ବୀମା ଦାୟିତ୍ୱରେ ଥିବା ଚୋଳା ଏମ୍‌ଏସ୍‌ କମ୍ପାନି ମୋଟ ୩୦୬.୬୮ କୋଟିର ବୀମା ରାଶି ପ୍ରଦାନ କରିବ ବୋଲି ଆକଳନ କରାଯାଇଛି। ସେଥିମଧ୍ୟରୁ ଆଜି ସୁଦ୍ଧା ପୈଠ କରିଛି ପ୍ରାୟ ୫୫ କୋଟି। ଏହି ଅର୍ଥ ୮୫ ଗ୍ରାମପଞ୍ଚାୟତର ୩୧ ହଜାର ଚାଷୀଙ୍କୁ ମିଳିଛି।

୨୦୧୭ ଖରିଫ ନିମନ୍ତେ ମୋଟ ବୀମା ରାଶି ୧୭୧୯ କୋଟି ୩୮ ଲକ୍ଷ ୭୯ ହଜାର ଟଙ୍କା ଆକଳନ କରାଯାଇଛି। ଆଜି ସୁଦ୍ଧା ଉପରୋକ୍ତ ୪ଟି ବୀମା କମ୍ପାନି ୧୧୨୧ ଗ୍ରାମପଞ୍ଚାୟତର ୩.୩୯ ଲକ୍ଷ ଚାଷୀଙ୍କୁ ପ୍ରାୟ ୬୫୫ କୋଟି ଟଙ୍କାର ବୀମା କ୍ଷତିପୂରଣ ପ୍ରଦାନ କରିଛନ୍ତିି। ଏଥିରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନରେ ବୀମା କମ୍ପାନିମାନେ ତତ୍ପରତା ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର