ଗ୍ରାଉଣ୍ଡ ଜିରୋରୁ : କରୋନା ଉଜାଡ଼ିବ ଚାଷ! ଦୁର୍ଦ୍ଦଶାରେ ଛୋଟ ଚାଷୀ

ଚାଷୀ କହୁଛି ପେଟକୁ ଦାନା ଆଗ, ଫସଲରେ ରୋଗପୋକ, କିଣାବିକାରେ ସହୁଛନ୍ତି କ୍ଷତି

ବଲାଙ୍ଗୀର/କଣ୍ଟାବାଞ୍ଜି : ଜଳସେଚନବିହୀନ ଜିଲ୍ଲା ହେଉଛି ବଲାଙ୍ଗୀର। ଯାହା ବି ଜଳସେଚନ ହାର ସରକାରୀ ତଥ୍ୟରେ ଦେଖାଯାଏ ସେସବୁ କାଗଜପତ୍ରରେ ସୀମିତ। ନିଶ୍ଚିତ ଜଳସେଚନ ହାର ମାତ୍ର ୩ ପ୍ରତିଶତ। ଏଭଳି ସ୍ଥିତିରେ ଚାଷୀକୁଳ ବାରମ୍ବାର ମରୁଡ଼ିର ସାମ୍ନା କରିଥାନ୍ତି। ମରୁଡ଼ି ମାଡ଼ ସହି ଆସୁଥିବା ଚାଷୀ ବିଗତ ଦିନରେ ଜଳପ୍ରଳୟର ସାମ୍ନା କରିଥିଲା। ଏଥର ଚାଷୀକୁ କରୋନା ଭୂତାଣୁ ଚିନ୍ତାରେ ପକାଇଛି। ବାହାରକୁ ବାହାରିଲେ କରୋନାର ଭୟ। ବିଲ ପାଇଁ ସାର କି ଔଷଧ କିଣିବାକୁ ଗମନାଗମନ ନାହିଁ। ଯଦି ବି ଗଲେ ପୁଲିସର ଭୟ। ଏଭଳି ସ୍ଥିତିରେ ଗରିବ ଚାଷୀମାନେ କ୍ଷତିରେ ରହିଲେଣି। ସହର ତଳି ଅଂଚଳର ପନିପରିବା ଚାଷୀ କୌଣସି ପ୍ରକାରେ ଦୁଇପଇସା ରୋଜଗାର କରୁଥିବା ବେଳେ ଉପାନ୍ତ ଅଂଚଳର ଚାଷୀ ଅନେକ କ୍ଷତି ସହୁଛନ୍ତି। ଗ୍ରାଉଣ୍ଡ ଜିରୋରେ ସ୍ଥିତି ଦେଖିଲେ ଚାଷୀଙ୍କ ଗୋଟିଏ କଥା- ‘ପେଟ ପାଇଁ ଦାନା ଆଗ, ପରେ ବିଲର ରୋଗପୋକ ପାଇଁ ଯାହା କରିବୁ।’

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ବେହେରନସିଲେଟ ଗାଁର ୨୦ରୁ ଅଧିକ ପରିବାର ଚାଷ ଉପରେ ନିର୍ଭରଶୀଳ। ଗାଁକୁ ଭଲ ରାସ୍ତାଟିଏ ବି ନାହିଁ। ଏଥର ଗାଁର ଚାଷୀମାନେ ଆଖୁ, ପିଆଜ ଓ କୋବି ବାଇଗଣ ଆଦି ଚାଷ କରିଛନ୍ତି। ଚାଷୀ ଶଶି ପୁଟେଲ ଏଥର କୋବି, ପିଆଜ ସହ ଅନ୍ୟ ପନିପରିବା ଚାଷ କରିଛନ୍ତି। ସେ କହିଛନ୍ତି, ଅଦିନିଆ ବର୍ଷାରେ ତାଙ୍କର ଫସଲ କିଛିଟା ଖରାପ ହୋଇଥିଲା। କୋବି ବଂଚିଥିବା ବେଳେ ଏବେ ବର୍ଷା ଯୋଗୁଁ ସେଥିରେ କୀଟ ଲାଗିଛି। କୀଟ ମାରିବାକୁ ଔଷଧ ଦରକାର। ହେଲେ କିଣିବାକୁ ହାତରେ ଟଙ୍କା ନାହିଁ। ଯାହା ଟଙ୍କା ଥିଲା ଲକ୍‌ଡାଉନ ସମୟରେ ସବୁ ଖର୍ଚ୍ଚ ହୋଇସାରିଲାଣି। କଣ୍ଟାବାଞ୍ଜି ଗଲେ ପୁଲିସର କଡ଼ାକଡ଼ି ଚେକିଂ। ଏଣୁ ଚୁପ୍‌ଚାପ୍‌ ଗାଁରେ ଘରେ ରହୁଥିବା ସେ କହିଛନ୍ତି।

ସେହିପରି ଗାଁର ଆଉ ଜଣେ ଚାଷୀ କମଳ ମାଝୀ ଆଖୁ ସହ ପିଆଜ ଚାଷ କରିଛନ୍ତି। ବିଗତ ବର୍ଷରେ ସେ ନିଜେ ବଜାରକୁ ଯାଇ ଆଖୁରସ ବିକ୍ରି କରି ରୋଜଗାର କରୁଥିଲେ। ଏଥର ବଜାର ଯିବା ବନ୍ଦ ହୋଇଯାଇଛି। ଖରାରେ ଆଖୁ ଶୁଖିବାକୁ ବସିଲାଣି। ଗାଁର ବୟସ୍କ ଚାଷୀ ଶତ୍ରୁଘ୍ନ ପଟେଲ କହନ୍ତି, କେବେ ବି ଏଭଳି ସ୍ଥିତି ଉପୁଜିନଥିଲା। ଏହା ଚାଷୀଙ୍କୁ ବହୁମାତ୍ରାରେ ପ୍ରଭାବିତ କରିବ। ଗାଁର ଚାଷୀଙ୍କ କହିବା ହେଲା, ଏଭଳି ସ୍ଥିତିରେ ନିଜେ ଖାଇବାକୁ ସଂଚୟ କରିଥିବା ଟଙ୍କାରୁ ସାମଗ୍ରୀ କିଣିଛନ୍ତି। ଚାଷ କାମ ପାଇଁ ଖର୍ଚ୍ଚ କରିବାକୁ ବି ଆଉ ସେତେଟା ଟଙ୍କା ନାହିଁ। ଅବଶ୍ୟ ରାଜ୍ୟ ସରକାର ଏହାରି ଭିତରେ ସାର ଓ ଔଷଧ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଲୋକେ ଲକ୍‌ଡାଉନ୍‌ ଯୋଗୁଁ ପଦାକୁ ବାହାରି ପାରୁ ନାହାନ୍ତି। ପୁଲିସ କାଳେ କାର୍ଯ୍ୟାନୁଷ୍ଠାନ ନେବ ଭାବି ଗାଁର ଚାଷୀ ସହରକୁ ଆଉ ଭୟରେ ଆସୁ ନାହାନ୍ତି। ଆଗଭଳି ବସ୍‌ କି ଗାଡ଼ି ମଟର ଚାଲୁନାହିଁ। ତେଣୁ ଛୋଟ ଉପାନ୍ତ ଅଂଚଳରେ ଛୋଟ ଚାଷୀଙ୍କ ଚାଷ କାର୍ଯ୍ୟ ପ୍ରଭାବିତ ହେବାରେ ଲାଗିଛି। ଯାହା ଅମଳ ହେବାର ଆଶା ରଖିଥିଲେ ତାହା ହେବ ନା ନାହିଁ ସନ୍ଦେହ। ମଣିଷ ରୋଗ ଏବେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ଯାହା ବି ହେଉ ଏଭଳି ସମୟରେ ଚାଷୀଙ୍କ ପାଖକୁ କୃଷି ବିଭାଗ କୀଟନାଶକ ଓ ସାର ପହଞ୍ଚାଇବାର ବ୍ୟବସ୍ଥା କରିବା ଦରକାର। ଏପରିକି ଅଧିକାରୀ ପହଞ୍ଚି ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ସଚେତନ କରାଇବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର