ଚାଷୀଙ୍କୁ ଫସଲ ବୀମା କ୍ଷତିପୂରଣ ପ୍ରଦାନ ବୈଠକ : ବୀମା କମ୍ପାନିମାନଙ୍କ ଉପରେ ବର୍ଷିଲେ

୩୦ ସୁଦ୍ଧା ବୀମା ରାଶି ପୈଠ କର: ମୁଖ୍ୟ ସଚିବ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କମ୍ପାନିମାନେ ବିଭିନ୍ନ ଆଳ ଦେଖାଇ ଚାଷୀମାନଙ୍କୁ କ୍ଷତିପୂରଣ ଦେବା ପରିବର୍ତେ ଅହେତୁକ ଭାବେ ବିଳମ୍ବ କରୁଥିବାର ଅଭିଯୋଗ ଦିନକୁ ଦିନ ଆନ୍ଦୋଳନର ରୂପ ନେଉଛି। ଏ ନେଇ ବୀମା କମ୍ପାନିମାନଙ୍କ ଉପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଅସନ୍ତୋଷ ଝାଡ଼ିଛନ୍ତିି। କେବଳ ସେ ନୁହଁନ୍ତି, କୃଷି, ସମବାୟ ବିଭାଗ ସଚିବ ଏପରି କି କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରାଳୟର ପଦାଧିକାରୀମାନେ ମଧ୍ୟ ବିଳମ୍ବ ପାଇଁ ବୀମା କମ୍ପାନିମାନଙ୍କୁ ଦାୟୀ କରିଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ଚାଷୀମାନଙ୍କୁ ବୀମା କ୍ଷତିପୂରଣ ରାଶିର ଅଧିକାଂଶ ଭାଗ ପୈଠ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ସେହି କମ୍ପାନିମାନଙ୍କୁ ତାଗିଦ୍‌ କରିଦେଇଛନ୍ତି।

ଆଜି ସଚିବାଳୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବୀମା କମ୍ପାନିମାନଙ୍କ ଉପରେ ଏଭଳି କଠୋର ଆଭିମୁଖ୍ୟ ନିଆଯାଇଛି। ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଲେ, ବୀମା କମ୍ପାନିମାନେ ବର୍ତମାନ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି, ସେ କଥା ପୂର୍ବରୁ ଉଠାଇ ପାରିଥାନ୍ତେ। ଏବେ ଚାଷୀମାନଙ୍କୁ ସେମାନେ ଆଉ ବିପର୍ଯ୍ୟୟକୁ ଠେଲିଦେବା ଉଚିତ ହେବ ନାହଁ। ଏଣୁ ଶସ୍ୟକାଟ ପରୀକ୍ଷା ନେଇ କମ୍ପାନିମାନେ ବିବାଦ ନ ଉଠାଇ ନିର୍ଧାରିତ ୩୦ ତାରିଖ ସୁଦ୍ଧା କ୍ଷତିପୂରଣ ଅର୍ଥ ପୈଠ କରିବାକୁ ସେ ତାଗିଦ୍‌ କରି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ରାଶି ପ୍ରଦାନର ଶେଷ ତାରିଖ ହେଉଛି ଆସନ୍ତା ଜୁନ୍‌ ୩୦।

ଏହି ପ୍ରସଙ୍ଗରେ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଥିଲେ, ଶସ୍ୟକାଟ ଫଳାଫଳକୁ କେହି ବୀମା କମ୍ପାନି ବିରୋଧ କରୁନାହାନ୍ତି। ଗତବର୍ଷ ବୀମା ଦେୟ ରାଶି ଜମା ତୁଳନାରେ କମ୍‌ ଥିବାରୁ କେହି ବୀମା କମ୍ପାନି ପାଟି ଖୋଲିନଥିଲେ। ଏଥର ଅଧିକ ବୀମା ରାଶି ପୈଠ କରିବାକୁ ପଡ଼ୁଥିବାରୁ ଅଯଥାରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ସମବାୟ ବିଭାଗ ସଚିବ ରଂଜନା ଚୋପ୍‌ଡ଼ା ପଚାରିଥିଲେ, ଶସ୍ୟକାଟ ଫଳାଫଳରେ କୌଣସି ବ୍ୟତିକ୍ରମ ଥିଲେ ୩ ମାସ ପରେ କାହିଁକି ସେ କଥା ବୀମା କମ୍ପାନିମାନେ ଉଠାଉଛନ୍ତି? କେନ୍ଦ୍ର କୃଷି ମନ୍ତ୍ରାଳୟର ପଦାଧିକାରୀ ସୁନୀଲ କୁମାର ସ୍ପଷ୍ଟି କରିଦେଇଥିଲେ ଯେ ଜୁନ୍‌ ୩୦ ତାରିଖର ସମୟ ସୀମା ସୁଦ୍ଧା ଫସଲ ବୀମା ପୈଠ କରିବା ନିୟମାବଳୀରେ ଉଲ୍ଲେଖ କରାଯାଇଛି।

ବୈଠକର ସୂଚନା ମୁତାବକ ରାଜ୍ୟରେ ୨୦୧୭ ଖରିଫ ଫସଲ ବୀମା ନିମନ୍ତେ ୩୩ ହଜାର ଶସ୍ୟକାଟ ପରୀକ୍ଷା କରାଯାଇଛି। ଏଥିମଧ୍ୟରୁ ୨୬ ହଜାର ଅର୍ଥାତ୍‌ ପ୍ରାୟ ୮୦ ପ୍ରତିଶତ ପରୀକ୍ଷା ବେଳେ ବୀମା କମ୍ପାନିମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସେତେବେଳେ ସ୍ମାର୍ଟ ମୋବାଇଲ୍‌ ଫୋନ ଯୋଗେ ଶସ୍ୟକାଟ ତଥ୍ୟ ନେଇ ଅପ୍‌ଲୋଡ୍‌ କରାଯାଇଥିଲା। ଏହା ପରେ ସେହି ପରୀକ୍ଷାକୁ ନେଇ ସେମାନେ ଆପତ୍ତି ଉଠାଇବା କେତେଦୂର ଗ୍ରହଣଯୋଗ୍ୟ ସେ ନେଇ ବୈଠକରେ ବୀମା କମ୍ପାନିମାନଙ୍କୁ ଘେରିଥିଲେ ବିଭାଗୀୟ ପଦାଧିକାରୀମାନେ।

ସୂଚନାଯୋଗ୍ୟ, କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୧୯୨୨ କୋଟି ୯୨ ଲକ୍ଷ ଟଙ୍କାର ମୋଟ ଫସଲ ବୀମା କ୍ଷତିପୂରଣ ରାଶି ମିଳିବ ବୋଲି ଆକଳନ ହୋଇଛି। ଏଥିମଧ୍ୟରୁ ବର୍ତମାନ ସୁଦ୍ଧା ୪୧୯ଟି ଗ୍ରାମପଞ୍ଚାୟତର ୧ ଲକ୍ଷ ୫୪ ହଜାର ୬୯୫ଜଣ ଚାଷୀଙ୍କୁ ମିଳିଛି ୨୮୭ କୋଟି ୯ ଲକ୍ଷ ୧୫ ହଜାର ଟଙ୍କା। ବୀମା ରାଶିର ସିଂହଭାଗ ଅର୍ଥାତ୍‌ ୧୬୩୫ କୋଟି ୮୨ ଲକ୍ଷ ୮୬ ହଜାର ଟଙ୍କା ପୈଠ ବାକି ରହିଛି। ୨୦୧୭ ଖରିଫ ଧାନ ଚାଷ ନିମନ୍ତେ ପ୍ରାୟ ୧.୩୦ ଲକ୍ଷ ଅଣଋଣୀଙ୍କ ସମେତ ପ୍ରାୟ ୧୮.୪୨ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି। ବୀମା ପ୍ରିମିୟମ୍‌ ବାବଦରେ ସେମାନେ ଜମା କରିଛନ୍ତି ୧୪୪.୨୪ କୋଟି। ଚାଷୀଙ୍କ ପ୍ରିମିୟମ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମାନ ଅଂଶଧନ(୫୦:୫୦ ଅନୁପାତ) ମିଶାଇ ମୋଟ ଜମା ରାଶି ହେଉଛି ୮୩୯.୬୮ କୋଟି। ବୀମା କମ୍ପାନି ଟାଟା ଏଆଇଜି ୧୨ଟି ଜିଲ୍ଲା ଦାୟିତ୍ୱରେ ଥିବା ବେଳେ ଏଆଇସି ୬ଟି ଜିଲ୍ଲା, ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ ୫ଟି ଓ ଚୋଲ ଏମ୍‌ଏସ୍‌ ଉପରେ ୭ଟି ଜିଲ୍ଲାର ଫସଲ ବୀମା ଦାୟିତ୍ୱନ୍ୟସ୍ତ।

ଗତ ଖରିଫ ଋତୁରେ ମରୁଡ଼ି ଯୋଗୁଁ ୩ ଲକ୍ଷ ୨୧ ହଜାର ୪୨୧.୨୪ ହେକ୍ଟର ଜମି, ଚକଡ଼ା ପୋକରେ ୧ ଲକ୍ଷ ୩୮ ହଜାର ୧୬୮.୪୯ ହେକ୍ଟର ଜମି, ଅଦିନିଆ ବର୍ଷାରେ ୪ ଲକ୍ଷ ୪ ହଜାର ୫୧୩.୫୦୧ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ନେଇ ରହିଥିବା ମାର୍ଗଦର୍ଶିକା ଅନୁଯାୟୀ କୃଷି, ରାଜସ୍ୱ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶାଳୟ କର୍ମଚାରୀ ଏବଂ ବୀମା କମ୍ପାନିଙ୍କ ପ୍ରତିନିଧିମାନେ ମିଳିତ ଭାବେ କ୍ଷେତ୍ରସ୍ତରୀୟ କ୍ଷୟକ୍ଷତି ଆକଳନ କରିଛନ୍ତି। ୨୦୧୬ ଖରିଫ ଚାଷ ବେଳେ କୌଣସି ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ହୋଇନଥିଲା। ସେତେବେଳେ ମାତ୍ର ୧ ଲକ୍ଷ ୬୫ହଜାର ୭୯୮ଜଣ ଚାଷୀଙ୍କୁ ୪୨୪ କୋଟି ୨୧ ଲକ୍ଷ ୭୩ ହଜାର ଟଙ୍କାର କ୍ଷତିପୂରଣ ମିଳିଥିଲା।

ସମ୍ବନ୍ଧିତ ଖବର