ବ୍ୟାଙ୍କରେ ପଡ଼ିରହିଛି ମଞ୍ଜୁର ଅର୍ଥ

ଯାଜପୁର ଚାଷୀଙ୍କୁ ଧୋକା / ୧୦ ଦିନ ବିତିଲା, ମିଳିନି କ୍ଷତିପୂରଣ

ଯାଜପୁର ଟାଉନ : ଯାଜପୁର ଜିଲ୍ଲାରେ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧୋକ୍କା ଦିଆଯାଇଛି। ଯେତିକି ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ସାମିଲ କରାଯାଇନାହିଁ। କ୍ଷୟକ୍ଷତି ଆକଳନ ଠିକ୍‌ରେ ହୋଇନାହିଁ। ଉପରଠାଉରିଆ ରିପୋର୍ଟ ହୋଇଥିବା ନେଇ ମଧ୍ୟ କେତେକ ଚାଷୀ ଅଭିଯୋଗ କରିଛନ୍ତି। ଯେଉଁମାନଙ୍କୁ ବି ସାମିଲ କରାଯାଇଛି, ସେମାନଙ୍କୁ ଏଯାଏଁ ସହାୟତା ରାଶି ମିଳିନିି। ୧୦ ଦିନ ତଳୁ ଟଙ୍କା ଆସି ବ୍ୟାଙ୍କରେ ରହିଥିବା ଏକ ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରଶାସନର ରିପୋର୍ଟ ଅନୁଯାୟୀ, ୫ ଦିନ ଲଗାଣ ବର୍ଷାରେ ଯାଜପୁର ଜିଲ୍ଲାର ୮ଟି ବ୍ଲକର ୧ ଲକ୍ଷ ୮୦ ହଜାର ୫୨୦ ଜଣ ଚାଷୀଙ୍କର ୪୯ ହଜାର ହେକ୍ଟର ଜମିର ଧାନ ଓ ପନିପରିବା ମଧ୍ୟ ନଷ୍ଟ ହୋଇଥିଲା। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ସରକାର ପାଖାପାଖି ୪୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରଶାସନ ଏବେ କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ଦେବା ପରେ ସରକାର ଆକଳନ ପାଇବାର ୨/୩ ଦିନ ମଧ୍ୟରେ ୪୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଯାଜପୁର ବ୍ଲକ୍‌ରେ ୧୧ ହଜାର ୧୦ ହେକ୍ଟର୍‌ ଧାନ ଓ ୧୦୫୦ ହେକ୍ଟର ପନିପରିବା ଚାଷ ହୋଇଥିବା ବେଳେ ୧୩ ହଜାର ୫୭୦ ଜଣ ଚାଷୀଙ୍କର ୬୩୭୪ ହେକ୍ଟର୍‌ କ୍ଷତିଗ୍ରସ୍ତ ହୋଇଛି। ସେଥିପାଇଁ ପାଖାପାଖି ୫ କୋଟି ଟଙ୍କା ଆସିଛି। ଦଶରଥପୁରରେ ଧାନ ଓ ପରିବା ଚାଷ ଯଥାକ୍ରମେ ୧୨, ୭୬୦ ହେକ୍ଟର ଓ ୨୫୫୦ ହେକ୍ଟର ଚାଷ ହୋଇଥିବା ବେଳେ ୨୭ହଜାର ୧୮୦ ଜଣ ଚାଷୀଙ୍କର ୧୦ହଜାର ୯୪୫ ହେକ୍ଟର କ୍ଷତି ହୋଇଛି। ଏଥିପାଇଁ ସହାୟତା ରାଶି ପାଖାପାଖି ୧୧ କୋଟି ରହିଛି। ବିଂଝାରପୁରରେ ୧୨୫୬୦ ଓ ୧୩୬୦ ହେକ୍ଟର ଚାଷ ହୋଇଥିବା ବେଳେ ୫୮, ୧୦୧ ଜଣଙ୍କର ୧୧, ୨୩୨ ହେକ୍ଟର କ୍ଷତି ହୋଇଥିବା ବେଳେ ପାଖାପାଖି ୯ କୋଟି ଆସିଛି। ବଡ଼ଚଣାରେ ୧୨୪୫୦ ଓ ୧୬୦୪ ହେକ୍ଟର ଚାଷ ହୋଇଥିବା ବେଳେ ୪, ୬୯୪ ଜଣ ଚାଷୀଙ୍କର ୯୪୯.୭୧ହେକ୍ଟର କ୍ଷତିଗ୍ରସ୍ତ ହୋଇଛି। ଏଥିପାଇଁ ୬୪ ଲକ୍ଷ ଆସଛି। ଧର୍ମଶାଳାରେ ୧୨, ୮୨୦ ଓ ୨୨୦୪ ହେକ୍ଟର ଚାଷ ହୋଇଥିବା ବେଳେ ୩୯,୧୬୭ ଜଣ ଚାଷୀଙ୍କର ୭, ୯୦୭ ହେକ୍ଟର କ୍ଷତି ହୋଇଛି।

ସହାୟତା ରାଶି ୫.୫୫ କୋଟି ଆସିଥିବା ସୂଚନା ମିଳିଛି। ରସୁଲପୁରରେ ୮୬୪୦ ଓ ୧, ୬୧୦ ହେକ୍ଟର ଚାଷ ହୋଇଥିବା ବେଳେ ୧୫୪୫ ଜଣ ଚାଷୀଙ୍କର ୪୨୪ ହେକ୍ଟର କ୍ଷତି ହୋଇଥିବାବେଳେ ସହାୟତା ରାଶି ୩୫ ଲକ୍ଷ ମିଳିବାକୁ କୁହାଯାଉଛି। ବରୀରେ ୮, ୦୭୦ ଓ ୨୧୭୦ ହେକ୍ଟର୍‌ ଚାଷ ହୋଇଥିବାବେଳେ ୧୩,୫୫୦ ଜଣ ଚାଷୀଙ୍କର ୫୨୩୫ ହେକ୍ଟର ଜମିର ଚାଷ କ୍ଷତି ହୋଇଛି। ଏମାନଙ୍କ ପାଇଁ ସହାୟତା ରାଶି ପାଖାପାଖି ୪ କୋଟି ଆସିଥିବା ସୂଚନା ମିଳିଛି। ସୁକିନ୍ଦା ବ୍ଲକରେ ୬୧୦୦ ଓ ୩୪୧୦ ହେକ୍ଟର ଓ ଦାନଗଦିରେ ୬୦୭୦ ଓ ୧୭୨୮ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ସେଠାରେ ଲଗାଣ ବର୍ଷାରେ କୌଣସି କ୍ଷତି ହୋଇ ନଥିବା ପ୍ରଶାସନ ପାକ୍ଷରୁ କୁହାଯାଇଛି। କୋରେଇରେ ୧୮୧୩୪ ଓ ୫୫୨ ହେକ୍ଟରରେ ଧାନ ଓ ପରିବା ଚାଷ ହୋଇଥିବାବେଳେ ୨୨୭୧୩ ଜଣ ଚାଷୀଙ୍କର ୬୨୩୧.୯୨ହେକ୍ଟର ଜମିରେ ଚାଷ କ୍ଷତି ହୋଇଛି ଏବଂ ସେମାନଙ୍କୁ ୪.୩୦ କୋଟି ସହାୟତା ମିଳିବ ବୋଲି ଶୁଣାଯାଉଛି।

ଜିଲ୍ଲା କୃଷି ବିଭାଗର ଆକଳନ ଅନୁଯାୟୀ, ଜିଲ୍ଲାରେ ୧ ଲକ୍ଷ ୯ ହଜାର ହେକ୍ଟର୍‌ ଧାନ ଚାଷ ଓ ସାଢ଼େ ୧୮ ହଜାର ହେକ୍ଟର ପରିବା ଚାଷ ନଷ୍ଟ ହୋଇଛି। ୧ଲକ୍ଷ ୮୦ହଜାରରୁ ଅଧିକ ଚାଷୀ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ପାଇଁ ୪୧କୋଟି ଟଙ୍କା ମଞ୍ଜୁର କରାଯାଇଛି। ମାତ୍ର ଏହି ଟଙ୍କା ବ୍ୟାଙ୍କ୍‌ରେ ପଡ଼ିଥିଲେ ହେଁ ତାହାକୁ ବଣ୍ଟନ କରାଯାଉନାହିଁ।

ସମ୍ବନ୍ଧିତ ଖବର