ମଦ ପାଇଁ ବାଉଳା : ସଟର୍‌ ଖୋଲୁ ଖୋଲୁ ଝାମ୍ପିନେଲେ, ସାମାଜିକ ଦୂରତ୍ୱକୁ ଫୁ

ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁରରେ ଅଭାବନୀୟ ଚିତ୍ର

ଜୀବନ, ଜୀବିକା ସଂଘର୍ଷ ବେଳେ ସରକାରଙ୍କ ରାଜସ୍ବ ନିଶା
ବୁଦ୍ଧିଜୀବୀ, ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜୀବନ ଓ ଜୀବିକାକୁ ନେଇ ସଂଘର୍ଷ ଜାରି ରହିଛି। ବିକାଶ ତଳମୁହାଁ ହୋଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥିକ ଦୁଃସ୍ଥିତି ଭିତରକୁ ଟାଣି ହୋଇଯାଉଛନ୍ତି। ଖାଦ୍ୟାଭାବ ଏବେ ଧୀରେ ଧୀରେ ସାମ୍ନାକୁ ଆସିବା ଆରମ୍ଭ କଲାଣି।

ଠିକ୍ ଏମିତି ଏକ ସାଂଘାତିକ ସମୟରେ ରାଜ୍ୟ ସରକାର ଅନ୍‌ଲାଇନ୍ ମଦ ବିକ୍ରି ପାଇଁ ଅନୁମତି ଦେଇଥିବାବେଳେ ଆଜି ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମଦକୁ ନେଇ ଆସିଥିବା ଅଭାବନୀୟ ଦୃଶ୍ୟ ବୁଦ୍ଧିଜୀବୀ ଓ ସମାଜସେବୀଙ୍କୁ ବିଚଳିତ କରିଦେଇଛି। କିଏ ଦୋକାନର ସଟର୍ ଖୋଲୁଖୋଲୁ ମଦ ଝାମ୍ପି ଆଣିଛି ତ ଆଉ େକଉଁଠି ସାମାଜିକ ଦୂରତ୍ବକୁ ଭୁଲିଯାଇ ଲୋକେ ଅସମ୍ଭାଳ ଭିଡ଼ ସୃଷ୍ଟି କରିଛନ୍ତି। କଟକ ଗଣ୍ଡରପୁର, ଖପୁରିଆ, ପ୍ରତାପନଗରୀ, ବ୍ରହ୍ମପୁର ଟାଉନ, ଭୁବନେଶ୍ବର ବାପୁଜୀନଗର ଓ ପୁରୁଣା ଷ୍ଟେସନ, ସମ୍ବଲପୁର ପାନ୍ଥନିବାସ, ରାଉରକେଲାରେ କାଉଣ୍ଟର ବାହାରେ ଗଣ୍ଡଗୋଳ ହୋଇଥିବା ଖବର ଆସିଛି। ଅନେକ ସ୍ଥାନରେ ପୁଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଲାଠିଚାର୍ଜ କରିବା ସହିତ ସଟର୍‌ ବନ୍ଦ କରିିଦେବାକୁ ବାଧ୍ୟ ହୋଇଛି।

ମଦ ପାଇଁ ଲୋକଙ୍କ ଏଭଳି ପାଗଳାମିକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି। ରାଜନୈତିକ ଦଳମାନେ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଅନ୍‌ଲାଇନ୍ ମଦ କାରବାର ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଲକ୍‌ଡାଉନ୍‌ ଶେଷ ପର୍ଯ୍ୟନ୍ତ ମଦ ବିକ୍ରି ବନ୍ଦ କରିଥିଲେ ସରକାରଙ୍କର କ’ଣ କ୍ଷତି ହୋଇଥାନ୍ତା? ଲକ୍‌ଡାଉନ୍‌ ସମୟରେ ଏତେ କ୍ଷତି ହେଲାଣି, ଆଉ ୪/୫ ଦିନ ମଦ ବିକ୍ରି ବନ୍ଦ କରିଥିଲେ କ’ଣ ପ୍ରଳୟ ହୋଇଯାଇଥାନ୍ତା? ଏହି ସମୟରେ ସରକାରଙ୍କୁ ଏକ ସୁଯୋଗ ମିଳିଥିଲା ଯେ ଲୋକଙ୍କୁ ବିନା ମଦରେ ରଖି ଭବିଷ୍ୟତରେ ରାଜ୍ୟକୁ ସଂପୂର୍ଣ୍ଣ ନିଶା ନିବାରଣ କରିପାରିଥାନ୍ତେ। ହେଲେ ସରକାର ସେ ସୁଯୋଗ ହାତଛଡ଼ା କରିଦେ‌େ‌ଲ।

ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ରାଜ୍ୟ ସରକାରଙ୍କ କଥା ଓ କାମ ଭିତରେ ଦୂରତା ବଢ଼ିବାରେ ଲାଗିଛି। ରାଜସ୍ବ ଆସିବ ବୋଲି ମହାମାରୀ ସମୟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ଗାନ୍ଧୀବାଦ କଥା କହୁଛନ୍ତି, କିନ୍ତୁ ନିଶା ନିବାରଣ କଥା ପଡ଼ିଲେ ପଛଘୁଞ୍ଚା କାହିଁକି?

କେବଳ ସେତିକି ନୁହେଁ, ସରକାର ନିଜେ ସ୍ବୀକାର କରିଛନ୍ତି ଯେ ଯେତିକି ଦୁର୍ଘଟଣା ଘଟୁଛି, ତାର ୬୦ ପ୍ରତିଶତର କାରଣ ନିଶା। ଏବେ ନିଶା କାରବାର ବନ୍ଦ ଥିଲା ବୋଲି ପୁଲିସ ତୁହାକୁ ତୁହା ଜଣାଇଛି ଯେ ଅପରାଧ କମିଛି। ଘରୋଇ ହିଂସାକୁ ପ୍ରତିହତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ଏହା ପଛର ମଧ୍ୟ ଏକ ବଡ଼ କାରଣ ହେଉଛି ନିଶା।

ଗୋଟିଏ ପଟେ ଅପରାଧ, ଦୁର୍ଘଟଣା, ଘରୋଇ ହିଂସା କାରବାର ରୋକିବା ଲାଗି ସ୍ଲୋଗାନ ଦିଆଯିବ, ଦାରିଦ୍ର୍ୟ ହ୍ରାସ କରିବା ଲାଗି ସରକାର ଟଙ୍କିକିଆ ଚାଉଳ ଭଳି ମେଗା ଯୋଜନା କାର୍ଯ୍ୟକାରୀ କରିବେ, ଅନ୍ୟପକ୍ଷରେ ଅଳ୍ପ କେତେ ହଜାର କୋଟିର ଟଙ୍କା ପାଇଁ ମଦକୁ ଅନୁମତି ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି। ସରକାରଙ୍କ ବାମ ହାତ କଣ କରୁଛି, ଡାହାଣ ହାତ ଜାଣିପାରୁନି ନା ସରକାର ଜାଣିଶୁଣି ଏଭଳି ଭେଳିକି ଲଗାଉଛନ୍ତି ବୋଲି ମତ ପ୍ରକାଶ ପାଇଲାଣି।

ଉଲ୍ଲେଖ ଥାଉ କି, ନିଶା କାରଣରୁ ଗତ ୧୨ ବର୍ଷ ମଧ୍ୟରେ ପ୍ରାୟ ୩୨ ହଜାର ଲୋକ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ବାର୍ଷିକ ପ୍ରାୟ ୨୬୦୦ରୁ ଅଧିକ ଓ ଦିନକୁ ପ୍ରାୟ ୭ରୁ ଅଧିକ ଜୀବନହାନି ଘଟୁଛି। ଗୋଟିଏ ବେସରକାରୀ ସର୍ଭେ କହୁଛି, ରାଜ୍ୟରେ ବିଭିନ୍ନ ଜେଲରେ ଯେତିକି ଅପରାଧୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୮୨% ନିଶାସକ୍ତ। ବିଭିନ୍ନ ଜେଲ୍ ଚଢ଼ଉ ବେଳେ ଏ ପ୍ରମାଣ ସରକାର ପାଇଛନ୍ତି। ଅର୍ଥାତ୍ ଅପରାଧ ପଛରେ ବି ନିଶା ଏକ ବଡ଼ କାରଣ।

ସମ୍ବନ୍ଧିତ ଖବର