ମଦ ପାଇଁ କି ହିନସ୍ତା ! ରାଜଧାନୀର ଅଧିକାଂଶ ମଦ ଦୋକାନ ସାମ୍ନାରେ ଡହଳବିକଳ ଗ୍ରାହକଙ୍କ ଭିଡ଼

ଭୁବନେଶ୍ୱର : ଦୋକାନ ଖୋଲିବ କି ନାହିଁ, କୌଣସି ସୂଚନା ନଥିଲା। ହେଲେ ସକାଳ ୮ଟା ପୂର୍ବରୁ ପ୍ରବଳ ଭିଡ଼ ଜମିଥିଲା। ଦୋକାନଠାରୁ ଟିକେ ଦୂରରେ ଗାଡ଼ି ଉପରେ କିଛି ବସିଥିଲେ, ଆଉ କିଛି ଦୋକାନ ସାମ୍ନାରେ ଘୂରି ବୁଲୁଥିଲେ। ସମସ୍ତଙ୍କର ନଜର ଦୋକାନ ଉପରେ ରହିଥିଲା। ଦୀର୍ଘ ଦେଢ଼ ଘଣ୍ଟା ପରେ ପାଖାପାଖି ସାଢ଼େ ୯ଟା ବେଳକୁ ଦୋକାନ ଖୋଲିଲା। ଦୋକାନ ଖୋଲୁ ଖୋଲୁ ଯିଏ ଯୁଆଡ଼େ ଥିଲେ, ସବୁ ଆସି ଗଦା ହୋଇଗଲେ। ତା’ ପରେ ବେପାର ସହ ଆରମ୍ଭ ହେଲା ଛକାପଞ୍ଝା। ଯିଏ ପସନ୍ଦର ବ୍ରାଣ୍ଡ ପାଉଥିଲା, ସେ ଗଡ଼ ଜିତିବା ଭଳି ଭିଡ଼କୁ ଠେଲି ବାହାରୁଥିଲା। ଅନ୍ୟମାନେ ପାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଥିଲେ। ଖବର ପାଇ ପୁଲିସ ପହଞ୍ଚି ଗୋଡ଼ାଇ ଗୋଡ଼ାଇ ଦୋକାନ ସାମ୍ନା ଖାଲି କରିଥିଲା। ହେଲେ ପୁଲିସ ଯିବା ପରେ ସେମାନେ ପୁଣି ଦୋକାନ ଆଡ଼କୁ ମାଡ଼ି ଆସୁଥିଲେ। ରାଜଧାନୀର ପ୍ରାୟ ସବୁ ମଦ ଦୋକାନ ସାମ୍ନାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ଅନ୍‌ଲାଇନ୍‌ ମଦ ବିକ୍ରି ହେବା ଆରମ୍ଭର ଆଜି ପ୍ରଥମ ଦିନରେ ପାଖାପାଖି କୋଟିଏ ଟଙ୍କାର ବେପାର ହୋଇଛି। ଅପରପକ୍ଷେ ଦୋକାନ ଆଗରେ ଲୋକ ଗହଳିର ସୁଯୋଗକୁ ହାତଛଡ଼ା କରିନଥିଲେ ଦୋକାନୀ। ଅଫଲାଇନ୍‌ରେ ମଦ ବିକ୍ରି ପାଇଁ ଅନୁମତି ନଥିଲେ ହେଁ ଅଧିକ ଟଙ୍କା ରୋଜଗାର ଆଳରେ ବେପାରୀ ସବୁ ଖୁଲମ୍‌ଖୁଲା କରି ଦେଇଥିଲେ। ମଦ୍ୟପଙ୍କ ଡହଳବିକଳ ଅବସ୍ଥା ଦେଖି କିଛି ଦୋକାନୀ ମଦର କଳାବଜାର ମଧ୍ୟ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର