ସୀମାନ୍ତରେ ପିଏଲ୍‌ଏଫ୍‌ଆଇ-ସିଆର୍‌ପିଏଫ୍‌ ଗୁଳି ବିନିମୟ : ବନ୍ଧୁକ, ଗୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବନ୍ଧଗାଓଁ ଥାନା ଅନ୍ତର୍ଗତ ସିଙ୍କୋ ପାହାଡ଼ରେ ସିଆର୍‌ପିଏଫ୍‌ ଯବାନ ଓ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ‌ହୋଇଛି। ଉଭୟ ପଟୁ ବେଶ୍‌ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା। ସ୍ଥାନୀୟ ପୁଲିସ ଓ ସିଆର୍‌ପିଏଫ୍‌ ଯବାନ ଜଣେ ପିଏଲ୍‌ଏଫ୍‌ଆଇ ସଦସ୍ୟକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଅନ୍ୟମାନେ ଘଟଣାସ୍ଥଳରୁ ଫେରାର‌ ହୋଇଯାଇଥିଲେ। ପରେ ସ୍ଥାନୀୟ ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ଘଟଣାସ୍ଥଳରୁ ଯବାନମାନେ ୯ ଏମ୍‌ଏମ୍‌ ପିସ୍ତଲ, ବନ୍ଧୁକ, କିଛି ଅଫୁଟା ଗୁଳି, ଦୈନନ୍ଦିନ ବ୍ୟବହାର କରୁଥିବା କିଛି ସାମଗ୍ରୀ, ପୋଷାକ ଓ ଖାଦ୍ୟ ଜବତ କରିଛନ୍ତି। ଚାଇବସା ଏସ୍‌ପି ପ୍ରଣବ ଆନନ୍ଦ ଝାଙ୍କ ନେତୃତ୍ବରେ ଅତିରିକ୍ତ ଏସ୍‌ପି ନାଥୁ ସିଂହ ଓ ସିଆର୍‌ପିଏଫ୍‌ ୬୦ ବାଟାଲିୟନର ଯବାନମାନେ ଏହି ସର୍ଚ୍ଚ ଅପରେସନ୍‌ରେ ସାମିଲ ହୋଇଥିଲେ।

ଆଜି ପୂର୍ବାହ୍ନରେ ପିଏଲ୍‌ଏଫ୍‌ଆଇ ସଙ୍ଗଠନର ଏକ ଦଳ ସିଙ୍କୋ ପାହାଡ଼ରେ ବଡ଼ ଧରଣ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ସମ୍ପର୍କରେ ଚାଇବସା ଏସ୍‌ପିଙ୍କୁ ଗୁପ୍ତ ସୂଚନା ମିଳିଥିଲା। ସୂଚନା ଆଧାରରେ ଏସ୍‌ପିଙ୍କ ‌ନେତୃତ୍ବରେ ଗଠିତ ଟିମ୍ ପାହାଡ଼କୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ପିଏଲ୍‌ଏଫଆଇ ସଦସ୍ୟମାନେ ଏହା ଜାଣି ପାରି ସେଠାରୁ ଖସିଯିବାକୁ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଉତ୍ତରରେ ଯବାନମାନେ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ।

ସମ୍ବନ୍ଧିତ ଖବର