ଆଖି ବୁଜିଲା ସିଆରପିଏଫ୍‌ର ମାଷ୍ଟର୍ ଡଗ୍ ଆକ୍ସେଲ୍

ଡିଜିଙ୍କ ଦ୍ବାରା ହୋଇଥିଲା ପୁରସ୍କୃତ, ୭ ବର୍ଷରେ ଚିହ୍ନଟ କରିଥିଲା ୮ ଲ୍ୟାଣ୍ଡମାଇନ୍, ୪୦ ଡିଟୋନେଟର୍

ରାୟଗଡା : ଲ୍ୟାଣ୍ଡମାଇନ୍, ଜିଲୋଟିନ୍, ଇଲୋକ୍ଟ୍ରୋନକ୍ସି ଡିଟୋନେଟର୍ ଠାବ କରିବାରେ ଥିଲା ମାଷ୍ଟର୍। ସର୍ଚ ଅପରେସନ୍ ସମୟରେ ନିଭାଉ ଥିଲା ପ୍ରମୁଖ ଭୂମିକା। ବହୁ ଅଘଟଣରୁ ଯବାନଙ୍କୁ ରକ୍ଷା କରିବା ସହ ନିଶ୍ଚିତ ଦୁର୍ଘଟଣାକୁ ବହୁବାର ଏଡ଼ାଇଥିବା ସିଆରପିଏଫ୍ ୪ର୍ଥ ବାଟାଲିୟନର ମାଷ୍ଟର୍ ଡଗ୍ ଆକ୍ସେଲ୍ ଆଜି ଆଖି ବୁଜିଛି। ୭ ବର୍ଷ ୧ ମାସ ୯ ଦିନ କାର୍ଯ୍ୟ କରିବା ପରେ ଅସୁସ୍ଥତା କାରଣରୁ ରାୟଗଡା ପ୍ରାଣୀ ଚିକିତ୍ସାଳୟରେ ଆକ୍ସେଲର ମୃତ୍ୟୁ ହୋଇଛି। ମର୍ଯ୍ୟଦା ଓ ଗାର୍ଡ ଅଫ୍ ଅନର୍ ସହ ଆକ୍ସେଲର ଅନ୍ତିମ ସଂସ୍କାର ଶେଷ ହୋଇଛି।

୨୦୧୨ ଫେବ୍ରୁଆରି ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିବା ଆକ୍ସେଲ୍ ୨୦୧୩ ନଭେମ୍ବର ୧୫ରେ ସିଆରପିଏଫର ୪ର୍ଥ ବାଟାଲିୟନରେ ଯୋଗ ଦେଇଥିଲା। ବେଲଜିୟମ୍ ସେଫାର୍ଡ ପ୍ରଜାତିର ଏହି କୁକୁର ବିଭିନ୍ନ ବିସ୍ଫୋରକ ସାମଗ୍ରୀକୁ ଶୁଙ୍ଘି ଠାବ କରିବାରେ ବେଶ୍ ଦକ୍ଷ ଥିଲା। ସିଆରପିଏଫରେ ଯୋଗ‌ଦେବା ପରଠୁ ଶେଷ ନିଶ୍ବାସ ତ୍ୟାଗ ପର୍ଯ୍ୟନ୍ତ ଆକ୍ସେଲ୍ ନିୟୋଜିତ ହୋଇଥିବା ଅପରେସନରେ କେବେ ମଧ୍ୟ ଫେଲ୍ ମାରିନି। ୨୦୧୪ ଫେବ୍ରୁଆରି ୬ରେ ସିଆରପିଏଫ୍ ଯବାନ ବିଷମକଟକ ଥାନା ନିଶିଖାଲରେ କମ୍ବିଂ ଅପରେସନ୍ କରୁଥିବା ବେଳେ ଆକ୍ସେଲ୍ ୨ଟି ଲ୍ୟାଣ୍ଡମାଇନ୍ ଠାବ କରିଥିଲା। ସେହିବର୍ଷ ମାର୍ଚ ୧ରେ ଶେଷଖାଲ ଥାନା ଲାସିମାରେ ଯବାନଙ୍କ ସର୍ଚ ଅପରେସନ୍ ସମୟରେ ଆକ୍ସେଲ୍ ୨ଟି ଲ୍ୟାଣ୍ଡମାଇନ୍, ଏପ୍ରିଲ୍ ୧୩ରେ ଶେଷଖାଲ ଥାନା ହାସୁକୁ ଗ୍ରାମ ନିକ‌ଟରୁ ୧୦ ଜିଲୋଟିନ୍, ୧୦ କେଜି ୟୁରିଆ, ଇଲୋକ୍ଟ୍ରେନକ୍ସି ଡିଟୋନେଟର ଠାବ କରିବାରେ ଆକ୍ସେଲ୍ ନେଇଥିଲା ପ୍ରମୁଖ ଭୂମିକା। ନିଜ କାର୍ଯ୍ୟକାଳ ଭିତରେ ଆକ୍ସେଲ୍ ସବୁଠୁ ଉଲ୍ଲେଖନୀୟ କାମ କରିଥିଲା ୨୦୧୬ ନଭେମ୍ବର ୩ ତାରିଖରେ। ସିଆରପିଏଫ୍ ୮ମ ବାଟାଲିୟନର ଯବାନ ୫ନଂ ରାଜ୍ୟ ରାଜପଥର ବୁର୍ଜୁଗୁଡା ନିକଟରେ କମ୍ବିଂ ଅପରେସନ୍ କରୁଥିବା ବେଳେ ୨ଟି ଲ୍ୟାଣ୍ଡମାଇନ୍ ଠାବ କରିଥିଲା। ଠାବ ଲ୍ୟାଣ୍ଡମାଇନ୍ ମଧ୍ୟରୁ ଗୋଟିଏ ଜୀବନ୍ତ ଥିଲା। ଯବାନ କମ୍ବିଂରେ ଯାଉଥିବା ରାସ୍ତାରେ ଜୀବନ୍ତ ଲ୍ୟାଣ୍ଡମାଇନ୍ ଲାଗିଥିବାରୁ ଅଘଟଣ ଘଟିବା ପୂର୍ବରୁ ଆକ୍ସେଲ୍ ଠାବ କରି ଯବାନଙ୍କ ମୃତ୍ୟୁମୁଖରୁ ବଞ୍ଚାଇଥିଲା। ଯେଉଁଥି ପାଇଁ ଡିଜି ଆକ୍ସେଲକୁ ପୁରସ୍କୃତ କରିଥିଲେ। ୨୦୧୯ ଫେବ୍ରୁଆରି ୨୧ ଅପରେସନରେ କଲ୍ୟାଣସିଂହପୁର ଥାନା ତୁଳୁଆ ନିକଟରୁ ୧୫ଟି ଜିଲୋଟିନ୍, ୧୫ଟି ଡିଟୋନେଟର୍ ଏବଂ ୨୦୧୯ ମାର୍ଚ ୮ରେ ବିଷମକଟକ ଥାନା ଗତିଗୁଡା ନିକଟରେ ମାଓବାଦୀ ପୋତିଥିବା ୨ଟି ଲ୍ୟାଣ୍ଡମାଇନ୍ ଠାବ କରିଥିଲା ଆକ୍ସେଲ୍। ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ଗତ କିଛି ଦିନ ହେଲା ଆକ୍ସେଲ୍ ଅପରେସନ୍ ସାମିଲ୍ ହୋଇନଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସାଢ଼େ ୫ଟାରେ ଆକ୍ସେଲ୍‌ର ମୃତ୍ୟୁ ହୋଇଛି। ଅନ୍ତିମ ସଂସ୍କାରରେ ସିଆରପିଏଫ୍ ୪ର୍ଥ ବାଟାଲିୟନ୍ ଦୁର୍ଗପତି ୱାଇ. କେ. ରାଜପୁତ, ସେକେଣ୍ଡ-ଇନ୍-କମାଣ୍ଡାଣ୍ଟ୍ ଏସ୍. କେ. ଠାକୁର, ମିତୁ ରାୟ, ଡେପୁଟି କମାଣ୍ଡାଣ୍ଟ୍ ଆର୍.ଏନ୍. ତ୍ୟାଗୀଙ୍କ ସହ ସମସ୍ତ ଯବାନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର