ନକ୍ସଲ ସହ ମୁହାଁମୁହିଁ, ଯବାନ ସହିଦ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଆଜି ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଘଟଣା ଅନୁଯାୟୀ ଆଜି ସୁକମା ଜିଲ୍ଲାର କିଷ୍ଟରାମ ଅଞ୍ଚଳରେ ଅବସ୍ଥାପିତ ୨୧୨ ସିଆର୍‌ପିଏଫ୍‌ ବାଟାଲିୟନର ଯବାନ କମ୍ବିଂ ଅପରେସନରେ ବାହାରିଥିଲେ। ସର୍ଚ୍ଚ ଅପରେସନ ସମାପ୍ତ କରି ଫେରୁଥିବା ବେଳେ ପୂର୍ବରୁ ଯବାନଙ୍କ ଗତିବିଧି ସମ୍ପର୍କରେ ନକ୍ସଲ ସୂଚନା ପାଇ ସାରିଥିଲେ। ତେଣୁ ରାସ୍ତାରେ ଆମ୍ବୁସ୍‌ ଲଗାଇ ବସିଥିବା ନକ୍ସଲ ସୁରକ୍ଷାକର୍ମୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଯାହାଫଳରେ ସିଆର୍‌ପିଏଫ୍‌ ଏଏସ୍‌ଆଇ ତଥା ଉତ୍ତର ପ୍ରଦେଶ ବାସିନ୍ଦା ଅନିଲ କୁମାର ମୋର୍ଯ୍ୟା ଘଟଣା ସ୍ଥଳରେ ସହିଦ ହୋଇଯାଇଥିଲେ। ଏନେଇ କ୍ୟାମ୍ପକୁ ସୂଚନା ଦିଆଯିବାରୁ ଘଟଣା ସ୍ଥଳରେ ହେଲିକପ୍ଟର ପହଞ୍ଚି ଶବ ଉଦ୍ଧାର କରି ରାୟପୁର ଯାଇଥିଲା। ଶେଷ ଖବର ସୁଦ୍ଧା ଘଟଣା ସ୍ଥଳରେ ଗୁଳି ବିନିମୟ ଚାଲିଥିଲା।

ସମ୍ବନ୍ଧିତ ଖବର