ସହିଦ୍‌ଙ୍କ ପରିବାରକୁ ଅନୁକମ୍ପା ରାଶି ୨୫ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ସରକାର

୨ ସହିଦ୍‌ ପଢ଼ୁଥିବା ସ୍କୁଲର ନାମ ସହିଦଙ୍କ ନାମାନୁସାରେ ନାମିତ କରାଯିବ

ଭୁବନେଶ୍ୱର: ଗତ ଗୁରୁବାର ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ଦୁଇ ଓଡ଼ିଆ ଯବାନ ଜଗତସିଂହପୁର ଜିଲ୍ଲା ନୂଆଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲ୍ଲା ନିଆଳି ରତନପୁର ଗ୍ରାମର ମନୋଜ କୁମାର ବେହେରାଙ୍କ ପରିବାରକୁ ପ୍ରଦାନ କରାଯିବାକୁ ଥିବା ଅନୁକମ୍ପା ରାଶିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବୃଦ୍ଧି କରିଛନ୍ତି। ତେବେ ଦୁଇ ସହିଦ୍‌ଙ୍କ ପରିବାର ପିଛା ୨୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ଦେବାକୁ ଘୋଷଣା କରାଯାଇଛି। ପୂର୍ବରୁ ଦୁଇ ଓଡ଼ିଆ ସହିଦ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାରଙ୍କ ପରିବାରକୁ ୧୦-୧୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ।

ଏଥିସହିତ ଦେଶମାତୃକା ପ୍ରତି ଦୁଇ ଓଡ଼ିଆ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରା ବଳିଦାନକୁ ସମ୍ମାନ ଜଣାଇ ସେମାନଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ସେହିପରି ଯେଉଁ ସ୍କୁଲରେ ସହିଦ୍‌ ପଢ଼ୁଥିଲେ ସେହି ସ୍କୁଲ ନାମ ସହିଦ୍‌ଙ୍କ ନାମରେ ନାମିତ କରାଯିବ । କେବଳ ଏତିକି ନୁହେଁ, କଟକ ଜିଲ୍ଲା  ନିଆଳି ବ୍ଲକ ରତନପୁର ଗାଁକୁ ଏବଂ ଜଗତସିଂହପୁରର ସହିଦ ପ୍ରସନ୍ନ ସାହୁଙ୍କ ଗାଁ  ପାରିଶିଖରପୁରକୁ  ଆଦର୍ଶ ପଞ୍ଚାୟତର ମାନ୍ୟତା  ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର