ସଂସ୍କୃତି ବିଭାଗର ଏକାଡେମିରେ ମୁରବି ମରୁଡ଼ି, ନାଁ ଯାଇଛି, ଅନୁମୋଦନ ହେଉନି

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବେ ସରକାରଙ୍କ ଏଜେଣ୍ଡାର ଶୀର୍ଷ ଭାଗରେ ରହିଛି। ଅଥଚ ଏହାକୁ ସମ୍ଭାଳୁଥିବା ଏକାଡେମିଗୁଡ଼ିକରେ ଏବେ ମୁରବିଙ୍କ ମରୁଡ଼ି ପଡ଼ିଛି। ପଚାରିଲେ ପଦାଧିକାରୀ କହୁଛନ୍ତି, ଫାଇଲ୍‌ ୩ ମାସ ତଳୁ ଗଲାଣି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଚୂଡ଼ାନ୍ତ ମୋହର ବାଜି ପାରୁନି। ବାସ୍ତବରେ ସଂସ୍କୃତି ବିଭାଗ ପଠେଇଥିବା ନାମ ମୁଖ୍ୟମନ୍ତ୍ରୀଙ୍କ ମନକୁ ପାଉନାହିଁ ନା ସେ ଆଉ କାହା ମୁଣ୍ଡରେ ସୁନା କଳସ ଢାଳିବାକୁ ଚିନ୍ତା କରୁଛନ୍ତି, ତାହା ଜଣାପଡ଼ୁନି। ବରିଷ୍ଠତା ଓ ପ୍ରତିଷ୍ଠା ଭିତ୍ତିରେ ନାମଗୁଡ଼ିକୁ ପଠାଯାଇଛି। ପ୍ରତ୍ୟକ୍ଷ ଓ ପରୋକ୍ଷରେ ଲବି ବି ଜୋର୍‌ଦାର ହୋଇଛି। ମାତ୍ର ଚୌକି ସମ୍ଭାଳିବା ପାଇଁ ସରକାର କାହାକୁ ଛାଡ଼ିବେ ତାହା ଏଯାଏଁ ସ୍ପଷ୍ଟ କରୁନାହାନ୍ତି।

ସଭାପତି ଓ ଉପସଭାପତି କଥା ଛାଡ଼ନ୍ତୁ, ସାଧାରଣ ପରିଷଦ ଗଠନ ପାଇଁ ବି ମାସ ମାସ ବିତିଗଲାଣି। ନୃତ୍ୟ, ସଂଗୀତ ଓ ନାଟକର ଭାର ନେଇଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମିରେ ଫେବ୍ରୁଆରି ମାସରୁ ସଭାପତି ଓ ଉପସଭାପତିଙ୍କ କାର୍ଯ୍ୟକାଳ ସରିଗଲାଣି। ସାଧାରଣ ପରିଷଦ କାର୍ଯ୍ୟକାଳ ବି ପୂରିଗଲାଣି। ତୃପ୍ତି ଦାସ ଓ ରାମହରି ଦାସଙ୍କ କାର୍ଯ୍ୟକାଳ ସରିବା ପରେ ସରକାର ଯେତିକି ତତ୍ପରତା ଦେଖାଇବା କଥା ଦେଖାଇନଥିଲେ। ତେଣୁ ବିଳମ୍ବରେ ନାଁ ଚୟନ କରାଯାଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ପଠାଯାଇଥିଲା। ପ୍ରଥମତଃ ଏଠୁ ଫାଇଲ୍‌ ଘୁଞ୍ଚିବାକୁ ୩ ମାସ ଲାଗିଗଲା, ଏବେ ତୃତୀୟ ମହଲାରୁ ଘୁଞ୍ଚିବ ଘୁଞ୍ଚିବ ବୋଲି ୩ ମାସ ବିତିଗଲାଣି। ସାଧାରଣ ପରିଷଦ ନ ଥିବାରୁ ଏକାଡେମି ପୁରସ୍କାର ବି ଘୋଷଣା ହୋଇପାରୁନାହିଁ। କାର୍ଯ୍ୟକ୍ରମ କ୍ୟାଲେଣ୍ଡରରୁ ମଧ୍ୟ ଅନେକ ସାଂସ୍କୃତିକ ଉତ୍ସବ ହଜିଗଲାଣି।

ସବୁଠୁ ବଡ଼ ବିଡ଼ମ୍ବନା ଏହି ଯେ, ଓଡ଼ିଶା ଉର୍ଦୁ ଏକାଡେମିର ସାଧାରଣ ପରିଷଦ ୧୯୯୮ ମସିହାରୁ ନାହିଁ। ଖୋଦ ମୁଖ୍ୟମନ୍ତ୍ରୀ ଏହାର ସଭାପତି ଥାଇ ବି ଏଯାଏଁ ସାଧାରଣ ପରିଷଦଟିଏ ଗଠନ ହୋଇପାରୁନି କି ପୁରସ୍କାର ଦିଆଯାଇପାରୁନାହିଁ। ଓଡ଼ିଶା ସାହିତ୍ୟ ଏକାଡେମିର ଉପସଭାପତି ପଦରେ ଥିବା ଗାୟତ୍ରୀ ସରାଫ୍‌ ମଧ୍ୟ ଗତ ଫେବ୍ରୁଆରିରୁ ପଦ ଛାଡ଼ିଲେଣି। ତାଙ୍କ ସ୍ଥାନରେ କାହାକୁ ବସାଇବାକୁ ବି ସରକାର ଉଚିତ୍‌ ମଣିନାହାନ୍ତି। ସଚିବ ପଦରେ ସ୍ଥାୟୀ ନିଯୁକ୍ତି ହୋଇନଥିବାରୁ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥ ଅତିରିକ୍ତ ଦାୟିତ୍ୱ ସମ୍ଭାଳିଛନ୍ତି। ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ରାଜ୍ୟସଭାକୁ ମନୋନୀତ ହେବା ପରେ ଏହି ପଦବିରୁ ସେ ଇସ୍ତଫା ଦେଇଥିବା ବେଳେ ଉପସଭାପତି ଡିଏନ୍‌ ରାଓଙ୍କ ମୃତ୍ୟ ପରେ ସେ ପଦବି ବି ଫାଙ୍କା ପଡ଼ିଛି। ଉତ୍କଳ ସଂଗୀତ ମହାବିଦ୍ୟାଳୟଠୁ ଆରମ୍ଭ କରି ରାଜ୍ୟ ମହତାବ ପାଠାଗାର ମଧ୍ୟ ଭାରପ୍ରାପ୍ତରେ ଚଳେଇ ନିଆଯାଉଛି। ସ୍ଥାୟୀ ପଦବି ସୃଷ୍ଟି କରିବାକୁ ସରକାର ଏଯାଏଁ ମନ ବଳାଇନାହାନ୍ତି।

ସମ୍ବନ୍ଧିତ ଖବର