ସଂସ୍କୃତି ବିଭାଗକୁ ଛାଡ଼ୁନି ଭାରପ୍ରାପ୍ତ ମୋହ : ମତେ ଯେତେ ମାଠିବୁ ମାଠ…

ଭୁବନେଶ୍ୱର : ସଂସ୍କୃତି ବିଭାଗକୁ ଭାରପ୍ରାପ୍ତ ମୋହ ଛାଡ଼ୁନି। ବିଭାଗ ଅଧୀନସ୍ଥ ଏକାଡେମିରେ ଦୀର୍ଘଦିନ ଧରି ସ୍ଥାୟୀ ପଦବି ଖାଲି ପଡ଼ିଥିବା ବେଳେ ବହୁ ପଦବି ଭାରପ୍ରାପ୍ତରେ ଚାଲିଛି। ଏଥିପାଇଁ ସମ୍ପୃକ୍ତ ବିଭାଗ ବିଭିନ୍ନ ମହଲରୁ ନିନ୍ଦିତ ହୋଇଛି। କର୍ତୃପକ୍ଷ କିନ୍ତୁ ଚେତିନାହାନ୍ତି। ସମାଲୋଚିତ ହେବା ପରେ ବି ପୁଣି ଖାଲି ଥିବା ୨ ପଦବିରେ ୨ଜଣଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଦେଇଛନ୍ତି।

ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଭାପତି ଚୌକିର ଦାୟିତ୍ୱ ନେଇଛନ୍ତି ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ରାମକୃଷ୍ଣ ସାହୁ। ଖାଲି ସେତିକି ନୁହେଁ, ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ପଦର ଭାର ନେଇଛନ୍ତି ବିଭାଗୀୟ ନିର୍ଦେଶକ ବିଜୟ ନାୟକ। ଅର୍ଥାତ ଶ୍ରୀ ନାୟକ ସଂସ୍କୃତି ବିଭାଗର ନିର୍ଦେଶକ ଦାୟିତ୍ୱ ସହ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ଭଳି ୩ଟି ଦାୟିତ୍ୱ ମୁଣ୍ଡାଇଛନ୍ତି।

ପ୍ରଶ୍ନ ଉଠୁଛି, ଉଭୟ ବିଭାଗ ପାଇଁ ସର୍ଚ କମିଟି ନାଁ ପଠେଇ ସାରିଥିଲେ ବି କେଉଁ କାରଣରୁ ସରକାର ସେମାନଙ୍କ ଉପରେ ଭରସା କରିପାରୁନାହାନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜୋରଦାର ଲବି ଆରମ୍ଭ ହୋଇଯାଇଛି। ହୁଏତ ଏହା ସରକାରଙ୍କୁ ଦ୍ୱନ୍ଦ୍ୱରେ ପକାଉଥିବ। ତେବେ ଏକଥା ବି ଭୁଲିଯିବା ଉଚିତ୍‌ ହେବନାହିଁ ଯେ, ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଅଧିକାରୀମାନେ କେବେ ବି ଅତିରିକ୍ତ ଦାୟିତ୍ୱ ଠିକ୍‌ ଭାବେ ତୁଲାଇପାରିବେ ନାହିଁ। କେବଳ ଯାହା ଦସ୍ତଖତ ବେଳେ ଲୋଡ଼ା ପଡ଼ିବେ।

ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ ଜେନା, ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ମାନସ ଜେନା, ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଜୟନ୍ତୀ ରଥ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସଂଗୀତା ଗୋସାଇଁ ମଧ୍ୟ ଭାରପ୍ରାପ୍ତ ଦାୟିତ୍ୱରେ ରହିଛନ୍ତି। ତେଣୁ ଏତେ ଜଣ ମୁରବି ଭାରପ୍ରାପ୍ତ ଦାୟିତ୍ୱରେ ଥାଇ ମଧ୍ୟ ସ୍ଥାୟୀ ସଭାପତି, ସଚିବ ନିଯୁକ୍ତି ନଦେଇ ‘ମତେ ଯେତେ ମାଠିବୁ ମାଠ… ଆଳରେ କାମ ଚଳାଇ ନେବାର ମନୋବୃତ୍ତିକୁ ସଂସ୍କୃତି ପ୍ରେମୀ ଗ୍ରହଣ କରିପାରିନାହାନ୍ତି।

ସମ୍ବନ୍ଧିତ ଖବର