ଚଳଚ୍ଚିତ୍ର ପୁରସ୍କାର ଆୟୋଜନ କରିବ ସଂସ୍କୃତି ବିଭାଗ

ଜାନୁଆରିରେ ସ୍କ୍ରିନିଂ, ଫେବ୍ରୁଆରିରେ ପୁରସ୍କାର

ଭୁବ‌ନେଶ୍ବର: ରାଜ୍ୟ ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ଉତ୍ସବକୁ ନେଇ ଲାଗି ରହିଥିବା ଅଡ଼ୁଆ ତୁଟିଛି। ପୁରସ୍କାର ଉତ୍ସବ ଫେବ୍ରୁଆରିରେ ଆୟୋଜନ ହେବା ନେଇ ସବୁଜ ସଙ୍କେତ ମିଳିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ହିଁ ପୁରସ୍କାର ଉତ୍ସବ ଆୟୋଜନ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଅଭିନେତା କୁନା ତ୍ରିପାଠୀ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ ହେବା ପରେ ଏହି ପୁରସ୍କାର ଆୟୋଜନର ଦାୟିତ୍ବ ଓଏଫ୍‌ଡିସିକୁ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏ ସମ୍ପର୍କିତ ଫାଇଲ୍‌ ତୃତୀୟ ମହଲାରେ ଅନେକ ଦିନ ପଡ଼ି ରହିବା ପରେ ଶେଷରେ ତାହାକୁ ସଂସ୍କୃତି ବିଭାଗ ଆୟୋଜନ କରିବା ନେଇ ‌ସ୍ପଷ୍ଟ ହୋଇଛି।

ଜାନୁଆରି ଶେଷ ସୁଦ୍ଧା ଜୁରି କମିଟି ଗଠନ ହୋଇ ଫେବ୍ରୁଆରିରେ ୨୦୧୭ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଆୟୋଜନ ହେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଯଦିଓ ସଂସ୍କୃତି ବିଭାଗର କ୍ୟାଲେଣ୍ଡରରେ ଚଳଚ୍ଚିତ୍ର ପୁରସ୍କାର ଡିସେମ୍ବରରେ ଆୟୋଜନ ହୁଏ, ମାତ୍ର କୁନା ତ୍ରିପାଠୀ ଏହି ପୁରସ୍କାର ଆୟୋଜନ ଦାୟିତ୍ବ ଓଏଫ୍‌ଡିସିକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିବା ପରେ ଡିସେମ୍ବରରେ ଏହା ଆଉ ଆୟୋଜନ କରାଯାଇ ପାରି ନଥିଲା। କିଏ ଏହାକୁ ଆୟୋଜନ କରିବ ସେନେଇ କିଛି ମାସ ହେବ ଦ୍ବନ୍ଦ୍ବ ଲାଗି ରହିଥିଲା। ପୁରସ୍କାର ଉତ୍ସବ ‌ନେଇ ସିନା ସ୍ପଷ୍ଟ ହୋଇଛି, କିନ୍ତୁ ସ୍ବଚ୍ଛତାକୁ ନେଇ ଯେପରି ପ୍ରଶ୍ନ ନଉଠେ ସେଥିପାଇଁ ଯତ୍ନବାନ ହେବାକୁ ପଡ଼ିବ। ପୂର୍ବଥର ଜୁରି କମିଟିର ଚୟନକୁ ନେଇ ଅଭିନେତ୍ରୀ ମହାଶ୍ବେତା ରାୟ ପ୍ରଶ୍ନ ଉଠାଇଥିଲେ। ତେଣୁ ପୁରସ୍କାର ଘୋଷଣା ହେବା ପରେ ଏନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଚଳିତ ବର୍ଷ ଯେପରି ସଂସ୍କୃତି ବିଭାଗ ଏଥିପ୍ରତି ଯତ୍ନବାନ ହୁଏ ସେଦିଗରେ ଗୁରୁତ୍ବ ଦେବାକୁ ଚଳଚ୍ଚିତ୍ର ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ କହିଛନ୍ତି। ଆଉ ଏକ କଥା ହେ‌ଲା, ୨୭ଟି ବର୍ଗରେ ଚଳଚ୍ଚିତ୍ର ପୁରସ୍କାର ଦିଆଯାଉଛି। ମାତ୍ର ପୂର୍ବବର୍ଷ ଆଦିବାସୀ ଭାଷାରେ କୌଣସି ଚଳଚ୍ଚିତ୍ର ପ୍ରତିଯୋଗିତାକୁ ଆସିପାରି ନଥିଲା। ଶ୍ରେଷ୍ଠ ଶିଶୁ ଶିକ୍ଷା ଭିତ୍ତିକ ଚଳଚ୍ଚିତ୍ର ମଧ୍ୟ ପୂର୍ବଥର ମନୋନୀତ‌ ହୋଇ ପାରି ନଥିଲା। ପୁଣି ଏତେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମିତ ହେଉଥିଲେ ହେଁ ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ପୁରସ୍କାର ପାଇଁ କେହି ମନୋନୀତ ହୋଇ ପାରି ନଥିଲେ। ସେହିପରି ୨୦ଟି ବର୍ଗରେ ରାଜ୍ୟ ଟେଲି ପୁରସ୍କାର ଦିଆଯାଉଥିଲେ ହେଁ ଗତବର୍ଷ ୩ଟି ବର୍ଗରେ ପୁରସ୍କାର ଦିଆଯାଇ ନଥିଲା। ଶ୍ରେଷ୍ଠ ନିର୍ଦେଶକ, ଶ୍ରେଷ୍ଠ କାହାଣୀ ଓ ଶିଶୁ ସମ୍ବନ୍ଧିତ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ବର୍ଗରେ କେହି ବି ପୁରସ୍କାର ପାଇଁ ମନୋନୀତ ହୋଇ ନଥିଲେ। ପୁରସ୍କାର ଚୟନ କମିଟିରେ ଥିବା ବିଚାରକମାନେ କାହାଣୀରେ ମୌଳିକତାର ଅଭାବ ଏବଂ ନକଲର ଧାରାକୁ ନେଇ ‌ପ୍ରଶ୍ନ ଉଠାଇଥିଲେ। ଅବଶ୍ୟ ପୁରସ୍କାର ଅଡ଼ୁଆ ଛିଣ୍ଡିଗଲା, କିନ୍ତୁ ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ଯୋଗ୍ୟତା ବି ଅର୍ଜନ ନକରିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଶୁଭ ଲକ୍ଷଣ ନୁହେଁ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ କହିଛନ୍ତି।

ସମ୍ବନ୍ଧିତ ଖବର