କଟକ : କଟକ ବଡ ମେଡିକାଲରେ ଆଜି ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପୁରୀଘାଟ ଥାନା ଅନ୍ତର୍ଗତ ତେଲେଙ୍ଗାବଜାରର ଭରତ ମଣ୍ତଳ (୨୬)। ଆଜି ସକାଳ ପ୍ରାୟ ସାଢେ ୯ଟା ବେଳେ ଭରତଙ୍କର ମୃତ୍ୟୁ ଘଟିଛି। ପୁଲିସ ଭରତଙ୍କୁ ଗିରଫ କରିବା ପରେ ଅମାନୁଷିକ ଭାବେ ମାଡ ମାରିଛି ଏବଂ ସେଥିରେ ଗୁରୁତର ହୋଇ ଭରତଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଭରତଙ୍କ ଶରୀରରେ ଥିବା କ୍ଷତ ଏହାର ପ୍ରମାଣ ବୋଲି ପରିବାର ଲୋକ କହିଛନ୍ତି। କିନ୍ତୁ ପୁଲିସ ଏ ପ୍ରକାର ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛି। ଡିସିପି ଅଖିଳେଶ୍ବର ସିଂହ କହିଛନ୍ତି ଯେ ଏହି ଅଭିଯୋଗ ସଂପର୍କରେ ତଦନ୍ତ ହେବ। ତଦନ୍ତ ଏବଂ ବ୍ୟବଚ୍ଛେଦ ରିପୋର୍ଟରୁ ଘଟଣା ସଂପର୍କରେ ସ୍ପଷ୍ଟ ହେବ। ଭରତଙ୍କ ମୃତ୍ୟୁକୁ ନେଇ ଆଜି ଏସ୍ସିବି ମେଡିକାଲ୍ ଶବ ବ୍ୟବଚ୍ଛେଦ ଗୃହ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିସ୍ଥିତି ଜଟିଳ ହେବାରୁ ସେଠାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହୋଇଥିଲାବେଳେ ତାହାର ଭିଡିଓ ସୁଟି˚ ମଧ୍ୟ କରାଯାଇଥିଲା।
ସୂଚନା ଅନୁଯାୟୀ ପୂର୍ବରୁ ଭରତ ନାମରେ ଏକାଧିକ ମାମଲା ରହିଛି। ମାର୍ଚ୍ଚ ୨୪ ତାରିଖରେ ଭରତକୁ ପୁଲିସ୍ ଘରୁ ଉଠାଇ ନେଇଥିବା ତାଙ୍କ ପରିବାର ଲୋକ କହୁଛନ୍ତି। କିନ୍ତୁ ଭରତକୁ ମାର୍ଚ୍ଚ ୨୭ ତାରିଖ ରାତିରେ ସନ୍ସାଇନ୍ ପଡ଼ିଆ ନିକଟରେ ବ୍ଲକି˚ ବେଳେ ପୁଲିସ୍ ଧରିଥିଲା ଏବଂ ନିକଟରୁ ଗୋଟିଏ ବନ୍ଧୁକ ମିଳିଥିଲା ବୋଲି ପୁଲିସ୍ କହିଛି। ବନ୍ଧୁକ ସହ ଦୁଇ ରାଉଣ୍ତ ଗୁଳି ଏବଂ ୫ ହଜାର ୫୦୦ ଟଙ୍କା ମିଳିବାରୁ ପୁଲିସ୍ ତାକୁ ୨୮ ତାରିଖରେ କୋର୍ଟ ଚାଲାଣ କରିଥିଲା। କିନ୍ତୁ ଭରତଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ୨୪ ତାରିଖରୁ ୨୮ ତାରିଖ ମଧ୍ୟରେ ଭରତକୁ ବିଭିନ୍ନ ଥାନାରେ ଅମାନୁଷିକ ଭାବେ ମାଡ଼ ମରାଯାଉଥିଲା। ଏପରିକି ତାଙ୍କୁ ଦେଖା କରିବାକୁ ପରିବାର ଲୋକଙ୍କୁ ଅନୁମତି ବି ମିଳୁନଥିଲା। ଥାନାକୁ ଥାନା ଦୌଡ଼ିବା ପରେ ଭରତକୁ କୋର୍ଟ ଚାଲାଣ କରାଯିବା ବିଷୟରେ ଜଣାପଡ଼ିଥିଲା। ୨୮ ତାରିଖ ଦିନ ୧ଟା ୨୦ ମିନିଟ୍ରେ ଭରତକୁ ଚୌଦ୍ବାର ଜେଲ୍ ଅଣାଯାଇଥିଲା। ହେଲେ ଭରତଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କର ଚିକିତ୍ସା କରାଇବା ପାଇଁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଥିଲେ। ଗିରଫ ପୂର୍ବରୁ ଭରତଙ୍କ ଦେହରେ କ୍ଷତ ଚିହ୍ନ ରହିଥିଲା। ତେବେ ଜେଲ୍ ପାଖରେ ପହଞ୍ଚିବା ବେଳକୁ ଭରତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶ ମୁତାବକ ଜେଲ୍ କତ୍ତୃର୍ପକ୍ଷ ତାଙ୍କୁ ଗେଟ୍ ପାଖରୁ ତୁରନ୍ତ ହସ୍ପିଟାଲ୍କୁ ପଠାଇ ଦେଇଥିଲେ। ଦିନ ୧ଟା ୪୦ ମିନିଟ୍ରେ ତାଙ୍କୁ ଏସ୍ସିବି ମେଡିକାଲ୍କୁ ଅଣାଯାଇଥିବା ଜେଲର ହେମନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ଏସ୍ସିବିରେ ପ୍ରଥମେ କାଜୁଆଲ୍ଟି ଓ ପରେ ଟ୍ରମା ଆଇସିୟୁ ବେଡ୍ ନ˚ ୮ରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ପ୍ରାୟ ସାଢେ ୯ଟା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ ଭରତଙ୍କ ଦୁଇ ଭଉଣୀ ବିନି ଓ ଚିନ୍ମୟୀ ମଣ୍ଡଳ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି ଏବଂ ଏଥିପାଇଁ ଥାନା ପୁଲିସ ଏମିତିକି ଏସିପି ଓ ଡିସିପିଙ୍କୁ ଏଥିପାଇଁ ସେମାନେ ଦାୟୀ କରିଛନ୍ତି। କିନ୍ତୁ ଡିସିପି ଅଖିଳେଶ୍ବର ସି˚ହ ଏଭଳି ଅଭିଯୋଗକୁ ଖଣ୍ତନ କରିଥିଲାବେଳେ ଭରତ ପୂର୍ବରୁ ଅସୁସ୍ଥ ଥିଲେ ବୋଲି କହିଛନ୍ତି। କିନ୍ତୁ ମାଡ଼ ମରାଯାଇଥିବା ଅଭିଯୋଗର ଯଦି ସତ୍ୟତା ଥାଏ ତେବେ ଏଥିସହିତ ଜଡ଼ିତ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁକିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି।