ରାଜ୍ୟରେ ବଢ଼ୁଛି ହାଜତ ମୃତ୍ୟୁ ମାମଲା : ୧୦ ବର୍ଷରେ ୩୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ହାଜତ ମୃତ୍ୟୁ ଜନିତ ମାମଲା ବଢ଼ି ଚାଲିଛି। ୧୦ ବର୍ଷ ମଧ୍ୟରେ ୩୫ ଜଣଙ୍କର ହାଜତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ହାଜତ ମୃତ୍ୟୁ ଭଳି ଅଭାବନୀୟ ଘଟଣା ରାଜ୍ୟର ଗଞ୍ଜାମ, ସମ୍ବଲପୁର, ଭୁବନେଶ୍ୱର, ରାଉରକେଲା, ମୟୁରଭଞ୍ଜ, କଟକ, ମାଲାକାନଗିରି, ଢ଼େଙ୍କାନାଳ, ନୂଆପଡ଼ା, ବଲାଙ୍ଗୀର, କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ଘଟିଛି।

ଏସବୁ ଘଟଣାରେ ଜନଅସନ୍ତୋଷ ପ୍ରକାଶ ପାଇଛି। ଅଧିକାଂଶ କ୍ଷେତ୍ରରେ ପ୍ରତିବାଦରେ ଲୋକେ ଥାନା ଓ ପୁଲିସ ଗାଡି ପୋଡିବା ସହିତ ଆକ୍ରମଣ କରିଛନ୍ତି। ପୁଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ତଥାପି ପୁଲିସ କିନ୍ତୁ ସତର୍କ ହେଉନାହିଁ।

ଏହାକୁ ନେଇ ମାନବାଧିକାର କର୍ମୀମାନେ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଣେ ଅବସରପ୍ରାପ୍ତ ପୁଲିସ ଡିଜି କହିଛନ୍ତି, ସମସ୍ତଙ୍କୁ ଅପରାଧୀ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ। ପୁଲିସ ସନ୍ଦେହରେ ଅନେକଙ୍କୁ ଥାନାକୁ ଆଣି ଅକଥନୀୟ ନିର୍ଯାତନା ଦେଉଛନ୍ତି। ଏଭଳି ଘଟଣା ସଂପୂର୍ଣ ପୁଲିସ ବିଭାଗକୁ ବଦନାମ କରୁଛି।

ମାନବାଧିକାର କର୍ମୀ ତଥା ବରିଷ୍ଠ ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ କହିଛନ୍ତି, ହାଜତ ମୃତ୍ୟୁର କିଛି ଦିନ ପରେ ରାଜ୍ୟ ସରକାର ଘଟଣାର କ୍ରାଇମ୍‌ବ୍ରାଞ୍ଚ, ସିବିଆଇ କିମ୍ବା ମାନବାଧିକାର କମିସନ ତଦନ୍ତ ନିର୍ଦେଶ ଦେଇ ଚୁପ୍‌ ବସି ପଡ଼ୁଛନ୍ତି। ଅନେକ ପୁଲିସ ଅଧିକାରୀ ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ଏଭଳି ଘଟଣା ବାରମ୍ବାର ଘଟି ଚାଲିଛି। ଏହା ଛଡ଼ା ଏବେ ରାଜ୍ୟ ମାନବାଧିକାର କମିସନରେ ଅଧ୍ୟକ୍ଷ ଓ ସଚିବ ପଦ ଦୀର୍ଘ ବର୍ଷ ହେବ ଖାଲି ପଡ଼ିଛି। ଫଳରେ ଏ ସଂକ୍ରାନ୍ତୀୟ ମାମଲା ରୁଜୁ ନେଇ କମିସନରେ ସମସ୍ୟା ସୃଷ୍ଟି ହେଉଛି।

ଅନ୍ୟପକ୍ଷରେ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଯେଉଁଠି ହାଜତ ମୃତ୍ୟୁ ଭଳି ଅଭିଯୋଗ ଆସୁଛି, ସେଠାରେ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ହେଉଛି। ଡିଏସ୍‌ପି ର‍୍ୟାଙ୍କର ଅଧିକାରୀ ଏହିସବୁ ମାମଲାର ତଦନ୍ତ କରୁଛନ୍ତି। ତଦନ୍ତରେ ଅଫିସରମାନେ ଦୋଷୀ ସାବ୍ୟସ୍ତ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ପାଳନ କରିବାକୁ ନିର୍ଦେଶ ମଧ୍ୟ ହୋଇଛି। ଏଥିପାଇଁ ପ୍ରତ୍ୟେକ ପୁଲିସ ଜିଲ୍ଲାରେ ଏକ ହ୍ୟୁମ୍ୟାନ ରାଇଟ ପ୍ରୋଟେକ୍‌ସନ୍‌ ସେଲ୍‌( ଏଚ୍‌ଆର୍‌ପିସି) ମଧ୍ୟ ରହିଛି।

୧୯୯୬-୯୭ ମସିହାରେ ବିକେ ବସୁ ମାମଲାରେ ସୁପ୍ରିମକୋର୍ଟ ଏକ ଗାଇଡଲାଇନ୍‌ ଜାରି କରିଥିଲେ। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଥିଲା କି କୌଣସି ଅଭିଯୁକ୍ତ କିମ୍ବା ସନ୍ଦିଗ୍ଧଙ୍କୁ ଥାନାକୁ ଆଣିଲେ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ବାଧ୍ୟତାମୂଳକ। ୨୪ ଘଣ୍ଟାରୁ କେହି ହେପାଜତରେ ରହି ପାରିବେ ନାହିଁ। ଯେଉଁ ହାଜତରେ ରହିବେ, ସେଠାରେ ପବନ ଓ ଆଲୋକ ଠିକ ଭାବେ ଚଳପ୍ରଚଳ କରୁଥିବ। ମାତ୍ର ଏମିତି ପ୍ରାୟ ହୁଏନାହିଁ।

ପ୍ରକାଶଥାଉକି, ଦୁଇ ସପ୍ତାହ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅବିନାଶ ପାଇଟାଳଙ୍କ ହାଜତ ମୃତ୍ୟୁ ଘଟିଥିବାବେଳେ ୩ ଦିନ ତଳେ ସାଲେପୁରରେ ଜଣେ ଘନଶ୍ୟାମ ପୂର୍ତି ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର