ଚକ୍‌ମା ଦେଇ କଏଦୀ ଫେରାର୍‌, ହାତ କାଟି ଡାକ୍ତରଖାନାରୁ ଚମ୍ପଟ

ବରଗଡ଼ : କୋର୍ଟକୁ ନେବାବେଳେ ନିଜ ହାତ କାଟି ଦେଲା। ରକ୍ତାକ୍ତ ଅବସ୍ଥାରେ ଚିକିତ୍ସା ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଗଲା। ଗୁରୁବାର ରାତି ସାରା ଚିକିତ୍ସା ଚାଲିଲା। କିନ୍ତୁ ଶୁକ୍ରବାର ସକାଳୁ ଉପସ୍ଥିତ ଜେଲ୍ ଏବଂ ପୁଲିସ୍‌ କର୍ମଚାରୀଙ୍କୁ ଚକମା ଦେଇ ବିଚାରାଧୀନ କଏଦୀ ଚମ୍ପଟ ମାରିଲା। ସିନେମା ଷ୍ଟାଇଲ୍‌ରେ ଏଭଳି ଘଟଣା ଘଟିଛି ବରଗଡ଼ ସହରରେ।

ଫେରାର୍‌ ଅଭିଯୁକ୍ତ ଜଣକ ହେଲା ବରପାଲିର ଟୁନୁ ଓରଫ୍‌ ନକୁଳ ମାଝୀ। ମହଦା ସରପଞ୍ଚ ନାରାୟଣ ପ୍ରଧାନଙ୍କୁ ପିସ୍ତଲ ଦେଖାଇ ଧମକ ଦେବା ଘଟଣାରେ ସେ ଜୁଲାଇ ୨୩ ତାରିଖ ଗିରଫ ହୋଇଥିଲା। ପରେ ବହୁ ଚର୍ଚ୍ଚିତ ଜମୁର୍ଡ଼ା ହତ୍ୟାକାଣ୍ଡ ଘଟଣା‌ରେ ବି ସେ ସଂପୃକ୍ତ ଥିବା ପୁଲିସ୍‌ ଖୋଳତାଡ଼ରୁ ଜାଣିବାକୁ ପାଇଥିଲା। ନକୁଳ ଏବଂ ଏହି ମାମଲାର ଅନ୍ୟ ଅଭିଯୁକ୍ତମାନେ ସେହିଦିନ ଠାରୁ ବରଗଡ଼ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଥିଲେ। ଗୁରୁବାର ପୁଲିସ୍‌ ସୁରକ୍ଷା ବଳୟ ଭିତରେ ନକୁଳକୁ କୋର୍ଟକୁ ଅଣାଯାଇଥିଲା। ତେବେ କୋର୍ଟ ପାଖରେ ନକୁଳ ଧାରୁଆ ସାମଗ୍ରୀରେ ନିଜ ହାତ ଏବଂ ଶରୀରର କିଛି ଅଂଶକୁ କାଟି ପକାଇଥିଲା। ତାକୁ ତୁରନ୍ତ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପୁଲିସ୍‌ କର୍ମଚାରୀ ନକୁଳକୁ ରାତି ସାରା ଜଗି ରହିଥିଲେ। ଶୁକ୍ରବାର ସକାଳୁ ଶୌଚ ଯିବା ବାହାନାରେ ସେ ଫେରାର୍‌ ମାରିଥିଲା। ଅନ୍ୟପକ୍ଷରେ ନକୁଳ ଫେରାର ଘଟଣାର ତଦନ୍ତ ଚାଲିଥିବା ଜେଲର୍‌ ନିଲିମା କୁଲ୍ଲୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର