ସିଏସ୍‌ଓ ଏବଂ ଏସିଏସ୍‌ଓ ନିଲମ୍ବିତ

ଝାରସୁଗୁଡ଼ା କଷ୍ଟମ୍‌ ମିଲିଂ ଚାଉଳ ଘୋଟାଲା

ଝାରସୁଗୁଡ଼ା : ଝାରସୁଗୁଡ଼ା କଷ୍ଟମ ମିଲିଂ ଚାଉଳ ଘୋଟାଲାରେ ଝାରସୁଗୁଡ଼ା ଜିଲ୍ଲା ଯୋଗାଣ ଅଧିକାରୀ ପିଡିଏମ୍‌ ଖୋସଲା ଓ ଏସିଏସ୍‌ଓ ସନ୍ଦୀପ ଗୁରୁଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାଯାଇଛି। ଏ ନେଇ ଶନିବାର ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନ୍ୟ ଜଣେ ଏସିଏସ୍‌ଓଙ୍କୁ ଆଜି ସିଏସ୍‌ଓ ଦାୟିତ୍ୱ ଦିଆଯାଇଛି। ଝାରସୁଗୁଡ଼ା ଠାରେ ହୋଇଥିବା ସାଢ଼େ ୮ କୋଟି ଟଙ୍କାର କଷ୍ଟମ ରାଇସ୍‌ ହଡ଼ପ ଘଟଣାରେ ଗତ ୪ ତାରିଖ ଦିନ ଜଣେ ସିନିୟର ଆକାଉଣ୍ଟସ୍‌ ସୁପରଭାଇଜର ଚିନ୍ତାମଣି ନାୟକ ନିଲମ୍ବିତ ହୋଇଥିଲେ। ଗତ ୬ ତାରିଖ ଦିନ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ସିଏସ୍‌ଓ ଏବଂ ଏସିଏସ୍‌ଓଙ୍କୁ ନିଲମ୍ବନ କରିବାକୁ ଯୋଗାଣ ବିଭାଗୀୟ ସଚିବଙ୍କୁ ସୁପାରିସ କରିଥିଲେ।

ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ସରକାର ଏହି ଦୁଇ ଅଧିକାରୀଙ୍କୁ ଆଜି କାଯ୍ୟର୍ରୁ ନିଲମ୍ବନ କରିଛନ୍ତି। ଝାରସୁଗୁଡ଼ା ପଣ୍ଡରିପଥର ଠାରେ ଥିବା ବଜରଙ୍ଗବଲି ରାଇସ୍‌ ମିଲର ମାଲିକ ଦିଲୀପ ଅଗ୍ରଓ୍ଵାଲ ଗତ ୨୦୧୬-୧୭ ଖରିଫ ଋତୁରେ ୩୪୫୭୫ କୁଇଣ୍ଟାଲ କଷ୍ଟମ ମିଲିଂ ଚାଉଳ ଯୋଗାଣ ବିଭାଗକୁ ନଦେଇ ହଡ଼ପ କରି ଦେଇଥିବା ବେଳେ ଯୋଗାଣ ବିଭାଗକୁ ପ୍ରଦାନ କରିଥିବା ଏକ କୋଟି ୧୦ ଲକ୍ଷ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ମଧ୍ୟ ନକଲି ହୋଇଥିବା ଘଟଣାରେ ରାଜ୍ୟ ଯୋଗାଣ ନିଗମ ସିଧାସଳଖ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ପିଡ଼ିଏମ୍‌ ଖୋସଲା,ଏସିଏସ୍‌ଓ ସନ୍ଦୀପ ଗୁରୁ ଓ ସିନିୟର ଆକାଉଣ୍ଟସ୍‌ ସୁପରଭାଇଜର ଚିନ୍ତାମଣି ନାୟକଙ୍କୁ ଦାୟୀ କରିଥିଲେ।

ମିଲର ଯୋଗାଣ ବିଭାଗକୁ ଯୋଜନାବଦ୍ଧ ଭାବରେ ଚୁନ ଲଗାଇବା ପାଇଁ ବହୁ ଦିନରୁ ବ୍ୟବସ୍ଥା କରିଥିଲେ ମଧ୍ୟ ଯୋଗାଣ ଅଧିକାରୀ ଏ ସଂପର୍କରେ ଜାଣି ମଧ୍ୟ ନିରବ ରହିଥିବାରୁ ନିଗମର କ୍ଷତି ଘଟିଲା ବୋଲି କୁହାଯାଉଛି। ମିଲର ଯୋଗାଣ ବିଭାଗକୁ ସିକ୍ୟୁରିଟି ବାବଦରେ ୩ ଗୋଟି ବ୍ୟାଙ୍କ ଗ୍ୟାରେଣ୍ଟିରେ ୧କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ୟୁନିୟନ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଏହି ଗ୍ୟାଙ୍କ ଗ୍ୟାରେଣ୍ଟିରେ ଗୋଟିଏ ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଅସଲି ଥିବା ବେଳେ ୬୦ ଲକ୍ଷର ଗୋଟିଏ ଓ ୫୦ ଲକ୍ଷର ଗୋଟିଏ ବ୍ୟାଙ୍କ ଗ୍ୟାରେଣ୍ଟି ନକଲି ଥିବା ଜଣାପଡ଼ିବା ପରେ ଏହି ଘଟଣା ଆହୁରି ରହସ୍ୟ ଘେରକୁ ଚାଲି ଯାଇଥିଲା। ପୂର୍ବରୁ ସଂପୃକ୍ତ ମିଲର କେବଳ ୩୪୫୭୫ କୁଇଣ୍ଟାଲ ଚାଉଳ ବାବଦରେ ବଜାର ଦର ଅନୁସାରେ ଟଙ୍କା ଆଦାୟ କରାଯିବା ପାଇଁ ଯୋଗାଣ ବିଭାଗ ହିସାବରେ ସାଢ଼େ ୮ କୋଟି ଟଙ୍କା ଦେବାକୁ ଥିବା ବେଳେ ସେଥିରୁ ଦେଢ଼ କୋଟି ସିକ୍ୟୁରିଟି ଜମା ଅଛି ବୋଲି କହୁଥିଲା। ମାତ୍ର ସିକ୍ୟୁରିଟି ଦେଢ଼ କୋଟିରୁ ୧ କୋଟି ୧୦ ଲକ୍ଷ ନକଲି ବୋଲି ଜାଣିବା ପରେ କାଯ୍ୟାର୍ନୁଷ୍ଠାନକୁ କଡ଼ାକଡ଼ି ହୋଇଥିଲା।।

ନିୟମ ଅନୁଯାୟୀ ବ୍ୟାଙ୍କ ଗ୍ୟାରେଣ୍ଟି ଗ୍ରହଣ କରିବାର ୧୫ ଦିନ ମଧ୍ୟରେ ସଂପୃକ୍ତ ବ୍ୟାଙ୍କର ଉଚ୍ଚ ଅଧିକାରୀଙ୍କ ଠାରେ ଏହାର ଯାଞ୍ଚ କରାଯିବା କଥା ମାତ୍ର ଏହି ଘଟଣାରେ ଯୋଗାଣ ଅଧିକାରୀ ଏହାର ଯାଞ୍ଚ କରାଇନଥିଲେ। ୨୦୧୬-୧୭ ଖରିଫ ପାଇଁ ଧାନ ସଂଗ୍ରହ ପାଇଁ ଏହି ମିଲରକୁ ନିଯୁକ୍ତି ଦିଆଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଯୋଗାଣ ବିଭାଗ ଅଧିକାରୀ ମାନେ କିପରି ଆରାମ୍‌ରେ ବସି ରହିଥିଲେ ବୋଲି ପ୍ରଶ୍ନ ଉଠିଥିଲା। ରାଜ୍ୟ ଯୋଗାଣ ନିଗମ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାୟି କରି କାରଣ ଦର୍ଶାଅ ନୋଟିସ ପଠାଇଥିଲେ। ଏହି ବିଭାଗରେ ଆହୁରି ଅନିୟମିତତା ହୋଇଥିବା ସଂଦେହରେ ରାଜ୍ୟ ଯୋଗାଣ ନିଗମ ରାଉରକେଲାର ଏକ ସଂସ୍ଥାକୁ ସ୍ୱତନ୍ତ୍ର ଅଡିଟ କରିବାକୁ ଦାୟିତ୍ୱ ଦେଇଥିବା ବେଳେ ତଦନ୍ତ ବଳବତ୍ତର ରହିଛି।

ସମ୍ବନ୍ଧିତ ଖବର