ମାଇକ୍ରୋ ଫାଇନାନ୍ସ କମ୍ପାନୀ ଅର୍ଥ ହଡ଼ପ, କଷ୍ଟମ ସର୍ଭିସ୍‌ ଅଫିସର ଗିରଫ

ଛତ୍ରପୁର : ଛତ୍ରପୁର ସ୍ଥିତ ମାଇକ୍ରୋ ଫାଇନ୍ସାନ କମ୍ପାନି ସାଟିନ୍ କ୍ରେଡିଟ୍ କେର ନେଟସ୍ବାର୍କ ଲିମିଟେଡ୍ କଷ୍ଟମ ସର୍ଭିସ ଅଫିସର ଚନ୍ଦ୍ରଶେଖର ସାହୁଙ୍କୁ ଛତ୍ରପୁର ଥାନା ପୁଲିସ ଗିରଫ କରିଛି। କମ୍ପାନିର ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ପୁଲିସ ଶ୍ରୀ ସାହୁଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ଅଧିକାରୀଙ୍କ ଘର ପୁରୀ ଅଞ୍ଚଳରେ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଷ୍ଟମ ସର୍ଭିସ ଅଫିସର ଚନ୍ଦ୍ରଶେଖର କମ୍ପାନିର ୨୬ ଜଣ ଗ୍ରାହକଙ୍କ ଠାରୁ ଋଣ ଟଙ୍କା ବାବଦରେ ଲକ୍ଷାଧିକ ଟଙ୍କା ଆଦାୟ କରିଛନ୍ତି। ଟଙ୍କା ଆଦାୟ ବେଳେ ସେମାନଙ୍କ ଜମାଖାତାରେ ସ୍ବାକ୍ଷର ନେଇଛନ୍ତି। କିନ୍ତୁ ଆଦାୟ ଅର୍ଥକୁ କମ୍ପାନିରେ ଜମା ନକରି ହଡପ କରିଛନ୍ତି। ଏ ସଂକ୍ରାନ୍ତରେ କମ୍ପାନିର ଶାଖା ପରିଚାଳକ ସ୍ମୃତିରଞ୍ଜନ ମିଶ୍ର ଛତ୍ରପୁର ଥାନାରେ ଚନ୍ଦ୍ରଶେଖରଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ଛତ୍ରପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସବ୍ ଇନ୍ସପେକ୍ଟର ଭାଗ୍ୟଶ୍ରୀ ସ୍ବାଇଁ ଏହି କେଶର ତଦନ୍ତ ଦାୟିତ୍ବ ନେଇଥିଲେ। ଶେଷରେ ପୁଲିସ ଆଜି ଅଭିଯୁକ୍ତ ଶ୍ରୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର