ହିତାଧିକାରୀ ବର୍ଷକୁ ନେଉଛନ୍ତି ୩ ସିଲିଣ୍ଡର

ରିଫିଲ୍‌ ଭରିବାକୁ ଅର୍ଥ ନାହିଁ / ପ୍ରଚଳନ ହେବ ୪ କିଲୋଗ୍ର‌ାମ ସିଲିଣ୍ଡର

ଅନୁଗୁଳ : ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା (ପିଏମୟୁୱାଇ) ପରେ ଗ୍ୟାସ୍‌ ସଂଯୋଗ ସଂଖ୍ୟା ଯଥେଷ୍ଟ ବଢ଼ିଛି। ଏହାକୁ ଦେଖି ଯୋଜନା ସଫଳ ହୋଇଛି ବୋଲି କେନ୍ଦ୍ର ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବତା କିନ୍ତୁ ଭିନ୍ନ। ଅର୍ଥାଭାବରୁ ହିତାଧିକାରୀ ରିଫିଲ୍ ସିଲିଣ୍ଡର ନେଇ ପାରୁନାହାନ୍ତି। ରିହାତି ଦରରେ ବର୍ଷକୁ ୧୨ଟି ରିଫିଲ ନେବାର ସୁବିଧା ଥିଲେ ମଧ୍ୟ ଅନୁଗୁଳ ଜିଲ୍ଲାରେ ଏହି ଯୋଜନାର ହିତାଧିକାରୀମାନେ ବଷର୍କୁ ମାତ୍ର ୩ଟି ରିଫିଲ୍ ନେଉଥିବା ସରକାରୀ ତଥ୍ୟ କହୁଛି। ଲୋକମାନେ ରୋଷଇ ପାଇଁ ପୂର୍ବ ଭଳି କାଠ, ଘଷି ଆଦି ବ୍ୟବହାର କରୁଛନ୍ତି। ଏହା ବାଦ୍‌ ଆବେଦନ ପରେ ବି ଗ୍ୟାସ ସଂଯୋଗ ମିଳିପାରୁନଥିବା ଅନେକ ହିତାଧିକାରୀ ମଧ୍ୟ ଅଭିଯୋଗ ଆସିଛି।

ପିଏମ୍‌ୟୁୱାଇରେ ଅନୁଗୁଳ ଜିଲ୍ଲାରେ ଏପର୍ଯ୍ୟନ୍ତ ୧,୧୬,୪୫୯ ସଂଯୋଗ ଦିଆଯାଇଛି। ଏଥିରୁ ୨୦୧୬-୧୭ ଆର୍ଥିକ ବର୍ଷରେ ୫୪,୦୬୨, ୨୦୧୬-୧୭ରେ ୩୭,୮୨୯ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ୨୪,୫୬୮ଟି ସଂଯୋଗ ପ୍ରଦାନ କରାଯାଇଛି। ପ୍ରଥମେ ବିପିଏଲ୍ ହିତାଧିକାରୀମାନଙ୍କୁ କେବଳ ଏହି ଯୋଜନାରେ ସାମିଲ କରାଯାଇଥିଲା। ଗ୍ୟାସ ସଂଯୋଗ ନିମନ୍ତେ ଆବଶ୍ୟକ ଖର୍ଚ ବାବଦକୁ ୧୬୦୦ ଟଙ୍କା ଋଣ ଆକାରରେ ମଧ୍ୟ ଯୋଗାଇ ଦିଆଯାଉଛି। ସଂଯୋଗ ନେବା ବେଳେ ହିତାଧିକାରୀମାନଙ୍କୁ ଚୁଲା ଓ ରିଫିଲ ସିଲିଣ୍ଡର ବାବଦକୁ ଅର୍ଥ ଦେବାକୁ ପଡ଼ିଥାଏ। ତେବେ ଅର୍ଥାଭାବ ଥିଲେ, ସେହି ଅର୍ଥ ମଧ୍ୟ ଋଣ ଆକାରରେ ଗ୍ୟାସ ସଂଯୋଗ ଦେଉଥିବା କଂପାନି ପକ୍ଷରୁ ହିତାଧିକାରୀମାନଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି।

ଗ୍ୟାସ୍‌ ସଂଯୋଗ ନେଇଥିବା ଛେଳିଆପଡ଼ା ଗାଁର ହିତାଧିକାରୀଣୀ ନେକୁରି ସାହୁ(୫୫) କହିଛନ୍ତି, ପାଖାପାଖି ୨ ବର୍ଷ ତଳେ ଆମେ ଏହି ଗ୍ୟାସ ସଂଯୋଗ ନେଇଥିଲୁ। ଅର୍ଥାଭାବ ଯୋଗୁଁ ଆଉ ରିଫିଲ ସିଲିଣ୍ଡର ଆଣିବା ସମ୍ଭବ ହେଉ ନାହିଁ ବୋଲି ସେ କହିଛନ୍ତି। ଗ୍ୟାସ ସଂଯୋଗ ଆଣିବା ବେଳେ ୩୨୦୦ ଟଙ୍କା ଖର୍ଚ କରିବାକୁ ପଡ଼ିଥିଲା ବୋଲି ସେ କହନ୍ତିି। ସେହିପରି ଜାନକୀ ସାହୁ କହନ୍ତି, ଗ୍ୟାସ ସଂଯୋଗ ପାଇଁ ୨୦୦ ଟଙ୍କା ଦେବାକୁ ପଡ଼ିଥିଲା। ଗରିବ ଲୋକ ଗ୍ୟାସ ସିଲିଣ୍ଡର ପାଇଁ ମାସକୁ ୮୦୦/୯୦୦ ଟଙ୍କା କେଉଁଠୁ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସଂକ୍ରାନ୍ତରେ ପିଏମୟୁୱାଇ ଜିଲ୍ଲା ନୋଡାଲ ଅଫିସର ଆଶିଷ କୁମାର କହନ୍ତି, ଅନୁଗୁଳ ଜିଲ୍ଲାରେ ହିତାଧିକାରୀମାନେ କିନ୍ତୁ ବାର୍ଷିକ ହାରାହାରି ୩ଟି ଲେଖାଏଁ ସିିଲିଣ୍ଡର ବ୍ୟବହାର କରୁଛନ୍ତି। ୧୪ କିଲୋଗ୍ରାମ ଓଜନର ରିଫିଲ ସିଲିଣ୍ଡର କିଣିବାରେ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଏବେ ୪ କିଲୋଗ୍ରାମ ଓଜନ ସିଲିଣ୍ଡର ଯୋଗାଇବା ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର