ପାଟଣାଗଡ଼ରେ ଚାଞ୍ଚଲ୍ୟ: ବ୍ୟାଙ୍କ ଆକାଉଣ୍ଟ୍‌ରେ ଟଙ୍କା ନ ଥାଇ ଲକ୍ଷାଧିକ ଟଙ୍କା ଉଠାଇଲେ ଖାତାଧାରୀ !

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅଂଚଳରେ ଶନିବାର ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ନିଜ ବ୍ୟାଙ୍କ ଆକାଉଣ୍ଟ୍‌ରେ ଟଙ୍କା ନ ଥାଇ ମଧ୍ୟ ଖାତାଧାରୀମାନେ ଆଜି ଲକ୍ଷାଧିକ ଟଙ୍କା ଉଠାଇଛନ୍ତି। କୁହାଯାଉଛି ଯେ, ଖାତାଧାରୀମାନେ ନିଜ ଆକାଉଣ୍ଟରୁ ଯେତିକି ଟଙ୍କା ଉଠାଉ ଥିଲେ, ସେତିକ ପରିମାଣରେ ଟଙ୍କା ଆପେ ଆପେ ଜମା ହୋଇଯାଉଥିଲା। ତେଣୁ ଖାତାଧାରୀମାନେ ବହୁତ ଖୁସି ହୋଇଯାଉଥିଲେ।

ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକର ତେଣ୍ଡାପଦର ପଞ୍ଚାୟତ ଅନ୍ତର୍ଗତ ସିଆଲବନ୍ଧ ଗାଁରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଏକ ଶାଖା ଖୋଲାଯାଇଛି। ଆଜି ଏହି ବ୍ୟାଙ୍କର ଗ୍ରାହକମାନେ କିଓସ୍କରୁ  ଲକ୍ଷ ଲକ୍ଷ ଟଙ୍କା ଉଠାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଖାତାଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯଥେଷ୍ଟ ଟଙ୍କା ନ ଥାଇ ବି ସେମାନେ ଲକ୍ଷାଧିକ ଟଙ୍କା ଉଠାଇଛନ୍ତି।

ସୂତ୍ର ଅନୁସାରେ ବ୍ୟାଙ୍କର ଗ୍ରାହକମାନେ ଯେତିକି ଟଙ୍କା ଉଠାଉଥିଲେ, ଆପେ ଆପେ ସେତିକ ଟଙ୍କା ପୁଣି ଜମା ହୋଇଯାଉଥିଲା। ତେଣୁ ଗ୍ରାହକମାନେ ଖୁସି ହେବା ସ୍ୱାଭାବିକ।  ଟଙ୍କା ଉଠାଇବା ପାଇଁ ଗ୍ରାହକମାନଙ୍କର ପ୍ରବଳ ଭିଡ଼ ହୋଇଥିଲା। ଅନ୍ୟ ପକ୍ଷରେ ଏଭଳି ଘଟଣା କାହିଁକି ଘଟିଲା ସେ ବାବଦରେ କିଛି ଜଣାପଡ଼ି ନାହିଁ।

ଆଜି ଡିସେମ୍ବର ମାସର ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ଥିଲା। ବ୍ୟାଙ୍କ ବନ୍ଦ ଥିବାରୁ ବ୍ୟାଙ୍କର ଅଧିକାରୀମାନଙ୍କଠାରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଆସନ୍ତାକାଲି ରବିବାର ଥିବାରୁ ଘଟଣା ସଂପର୍କରେ ସୂଚନା ମିଳିବା ସମ୍ଭାବନ କମ୍‌। ତେଣୁ ସୋମବାର ବ୍ୟାଙ୍କ ଖୋଲିବା ପରେ ଘଟଣା ସଂପର୍କରେ ଜଣାପଡ଼ିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ବ୍ୟାଙ୍କ ସର୍ଭରରେ ତ୍ରୁଟି ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥାଏ ପାରେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର