ବାଲିଯାତ୍ରା ଆଉ ୧୧ଦିନ : ପ୍ରଥମ ଦିନରେ ଗଲା ୮୪ପ୍ଲଟ୍‌

କଟକ : ବାଲିଯାତ୍ରା ପ୍ଲଟ୍ ଫି’ ବିବାଦକୁ ନେଇ ଗଲା ପାଞ୍ଚ ଦିନ ହେବ ଲାଗି ରହିଥିବା ଅଚଳାବସ୍ଥା ଶେ‌ଷରେ ଦୂର ହୋଇଛି। ଗତକାଲି ସଂଧ୍ୟାରେ ପ୍ରଶାସନ-ବ୍ୟବସାୟୀ ସଂଘ ଝାମେଲା ତୁଟିବା ପରେ ଆଜିଠୁ ପ୍ଲଟ୍ ଆବଣ୍ଟନ ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରେ ଆଜି ୮୪ଟି ପ୍ଲଟ୍ ବ୍ୟବସାୟୀଙ୍କୁ ଆବଣ୍ଟନ କରାଯାଇଛି। ପୁରୁଣା ବ୍ୟବସାୟୀଙ୍କୁ ବର୍ତ୍ତମାନ ପ୍ଲଟ୍‌ ଆବଣ୍ଟିତ କରାଯାଉଥିବା ବେଳେ ଆସନ୍ତା ୧୭ରୁ ନୂଆ ବ୍ୟବସାୟୀ ବା ଚଳିତବର୍ଷ ପ୍ରଥମଥର ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ବ୍ୟବସାୟୀଙ୍କ ପ୍ଲଟ୍ ବୁକିଂ କରାଯିବ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୩ରେ ହେବାକୁ ଥିବା ବାଲିଯାତ୍ରା ପାଇଁ ଗତ ୫ତାରିଖରୁ ପ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲି ପ୍ରଶାସନ ସମୟ ଧାର୍ଯ୍ୟ କରିଥିଲା। ହେଲେ ଗତଥର ଅପେକ୍ଷା ଏଥର ପ୍ଲଟ୍ ଫି’ ବୃଦ୍ଧି କରାଯିବାରୁ ବାଲିଯାତ୍ରା ବ୍ୟବସାୟୀ ସଂଘ ଏହାକୁ ବିରୋଧ କରି ଧାରଣା ଦେଇଥିଲା। ଏହାପରେ ଏକାଧିକବାର ପ୍ରଶାସନ ସହ ସଂଘର ଆଲୋଚନା ପରେ ପୁରୁଣା ବ୍ୟବସାୟୀଙ୍କ ପାଇଁ ବର୍ଗଫୁଟ୍ ପିଛା ୩୩ଟଙ୍କା ଏବଂ ନୂଆ ବ୍ୟବସାୟୀଙ୍କ ୪୩ଟଙ୍କା ଧାର୍ଯ୍ୟ କରାଯିବା ପରେ ଗତକାଲି ବିବାଦ ତୁଟି ଯାଇଥିଲା। ଆଜି ଗଡ଼ଗଡ଼େଶ୍ବର ମନ୍ଦିର ପ୍ରାଙ୍ଗଣରେ ତହସିଲ୍ ପକ୍ଷରୁ ହୋଇଥିବା ଅସ୍ଥାୟୀ କ୍ୟାମ୍ପ୍‌ରେ ପ୍ଲଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୮୪ଜଣ ବ୍ୟବସାୟୀ ପ୍ଲଟ୍ ପାଇଁ ପାଉତି କାଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର