କଟକ ଲୋକସଭା : ବିଜେଡି ଭୋଟ କମିଲା ମାତ୍ର ୧୪୯୩

ବିଜେପି ବଢିଲା ଅଢେଇ ଲକ୍ଷ, କଂଗ୍ରେସ କମିଲା ଲକ୍ଷେ କୋଡିଏ, ଲଗାତର ୬ଷ୍ଠ ବିଜୟରେ ଭର୍ତ୍ତୃହରିଙ୍କ ବିଜୟ ବ୍ୟବଧାନ ହ୍ରାସ

କଟକ : କଟକ ଲୋକସଭା ଆସନରୁ ଲଗାତର ୬ଷ୍ଠ ବିଜୟ ହାସଲ କରି ରେକର୍ଡ କରିଛନ୍ତି ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରିଙ୍କ ବିଜୟ ବ୍ୟବଧାନ ୨୦୧୪ ତୁଳନାରେ ପାଖାପାଖି ଅଧା ହ୍ରାସ ପାଇଥିଲେ ବି ଭୋଟ କିନ୍ତୁ କମିଛି ମାତ୍ର ୧୪୯୩। ଏଭଳି ସ୍ଥିତିରେ ଭର୍ତ୍ତୃହରିଙ୍କୁ କଡା ଚାଲେଞ୍ଜ ମିଳୁଥିବାକୁ ନେଇ ନିର୍ବାଚନ ପୂର୍ବରୁ ଯାହା ଆଲୋଚନା ହେଉଥିଲା, ତାହା ଭୁଲ ସାବ୍ୟସ୍ତ ହୋଇଛି। ଭର୍ତ୍ତୃହରି ୨୦୧୪ରେ ୫ ଲକ୍ଷ ୨୬ ହଜାର ୮୫ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ପାଇଛନ୍ତି ୫ ଲକ୍ଷ ୨୪ ହଜାର ୫୯୨ ଖଣ୍ଡ ଭୋଟ।

ଭର୍ତ୍ତୃହରିଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ପାଇଛନ୍ତି ୪ ଲକ୍ଷ ୩ ହଜାର ୩୯୧ ଖଣ୍ଡ ଭୋଟ। ୧ ଲକ୍ଷ ୨୧ ହଜାର ୨୦୧ ଖଣ୍ଡ ଭୋଟରେ ଭର୍ତ୍ତୃହରି ବିଜୟୀ ହୋଇଛନ୍ତି। ୨୦୧୪ରେ ଭର୍ତ୍ତୃହରିଙ୍କ ବିଜୟ ବ୍ୟବଧାନ ଥିଲା ୩ ଲକ୍ଷ ୬ ହଜାର ୭୬୨। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଅପରାଜିତା ମହାନ୍ତି ପାଇଥିଲେ ୨ ଲକ୍ଷ ୧୯ ହଜାର ୩୨୩ ଖଣ୍ଡ ଭୋଟ। କିନ୍ତୁ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ପଂଚାନନ କାନୁନଗୋ ପାଇଛନ୍ତି ମାତ୍ର ୯୯ ହଜାର ୮୪୭ ଖଣ୍ଡ ଭୋଟ। କଂଗ୍ରେସର ଭୋଟ ୫ ବର୍ଷ ଭିତରେ ୧ ଲକ୍ଷ ୧୯ ହଜାର ୪୭୬ ହ୍ରାସ ପାଇଛି। ଅନ୍ୟପଟେ ବିଜେପି ଭୋଟ କିନ୍ତୁ ବଢିଛି ୨ ଲକ୍ଷ ୫୭ ହଜାର ୨୯୮। ୨୦୧୪ରେ ବିଜେପି ପ୍ରାର୍ଥୀ ଭାବେ ସମୀର ଦେ ୧ ଲକ୍ଷ ୪୬ ହଜାର ୯୩ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ପ୍ରକାଶ ମିଶ୍ର ପାଇଛନ୍ତି ୪ ଲକ୍ଷରୁ ଅଧିକ ଭୋଟ।

କଟକ ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଗୋଟିଏରେ କଂଗ୍ରେସ ବିଜୟୀ (ବାରବାଟୀ-କଟକ) ହୋଇଥିବା ବେଳେ ଗୋଟିଏରେ ଦ୍ବିତୀୟ (ବାଙ୍କି)ରେ ରହିଛି। ଅନ୍ୟ ୫ଟି ଆସନରେ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି। ୬ଟି ବିଧାନସଭା ଆସନ ବିଜେଡି ହାତରେ ରହିଛି। ଏଭଳି ସ୍ଥିତିରେ ପ୍ରକାଶ ମିଶ୍ରଙ୍କ ବିଜୟ ସମ୍ଭାବନାକୁ ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ଭର୍ତ୍ତୃହରି ତାହାକୁ ଭୁଲ ସାବ୍ୟସ୍ତ କରି ‌‌‌ଷଷ୍ଠ ଥର ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର