ଭୁବନେଶ୍ୱର : ଓଡ଼ିଶାର ବଢେଇ ଜାତିକୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କେନ୍ଦ୍ରୀୟ ତାଲିକାରେ ସାମିଲ କରିବା ସହ ଗେଜେଟ ବିଜ୍ଞପ୍ତି ପ୍ରକାଶ କରିବାକୁ କଟକ ସାଂସଦ ଭର୍ତ୍ତୃହରି ମହତାବ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ଵର ଚନ୍ଦ ଗେହଲୋଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମନ୍ତ୍ରୀ ଶ୍ରୀ ଗେହଲୋଟଙ୍କୁ ଏକ ପତ୍ର ଲେଖି ମହତାବ କହିଛନ୍ତି ଯେ ଓଡ଼ିଶାର ବଢେଇ ଜାତିକୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କେନ୍ଦ୍ରୀୟ ତାଲିକାରେ ସାମିଲ କରିବାକୁ ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ପକ୍ଷରୁ ଜାତୀୟ ପଛୁଆ ବର୍ଗ ଆୟୋଗଙ୍କୁ ଦୁଇଟି ଦାବିପତ୍ର ପ୍ରଦାନ କରାଯାଇଥିଲା ।

Advertisment

୨୩ ଡିସେମ୍ବର ୨୦୧୫ରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ଓ ତା’ପରେ ୩୧ ମାର୍ଚ୍ଚ ୨୦୧୬ରେ ଓଡ଼ିଶା ସରକାରଙ୍କ ପଛୁଆ ବର୍ଗ ଉନ୍ନୟନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହାକୁ ଭିତ୍ତିକରି ସମିତି ପକ୍ଷରୁ ଉପରୋକ୍ତ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ରକୁ ଜାତୀୟ ପଛୁଆ ବର୍ଗ ଆୟୋଗ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ନିକଟକୁ ପଠାଇଦେଇଥିଲେ ଓ ଓବିସି କେନ୍ଦ୍ରୀୟ ତାଲିକାରେ ଆବଶ୍ୟକ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସତ୍ତ୍ୱେ ଏ ନେଇ ଏପର୍ଯ୍ୟନ୍ତ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇପାରିନାହିଁ । ଏ ବାବଦରେ ଆବଶ୍ୟକ ଦୃଷ୍ଟି ଦେବାକୁ ମହତାବ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।