ଯୋଗଦେବେ ରାହୁଲଙ୍କ ସମେତ କେନ୍ଦ୍ରୀୟ ନେତା

କଟକରେ ଓବିସି କଂଗ୍ରେସର ରାଜ୍ୟ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ମାସ ଶେଷ ମଧ୍ୟରେ ରାଜ୍ୟ ସମ୍ମିଳନୀ ଆୟୋଜନ କରାଯିବ। ରାଜ୍ୟରେ ଓବିସି ସଂଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏଭଳି ସମ୍ମିଳନୀର ଆୟୋଜନର ନିଷ୍ପତ୍ତି ନିଆଯାଇଛି। କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀଙ୍କ ସମେତ ଦଳର ଅନେକ କେନ୍ଦ୍ରୀୟ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ପଛୁଆ ବର୍ଗ(ଓ.ବି.ସି.) ବିଭାଗର ଅଧ୍ୟକ୍ଷ ବିଷ୍ଣୁଚରଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମକର୍ତାମାନଙ୍କ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିରେ ଅଖିଳ ଭାରତ କଂଗ୍ରେସ କମିଟିର ଓ.ବି.ସି. ସଂଯୋଜକ ସନ୍ଦିପ କୁମାର ସାହୁ, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଆଗାମୀ ଦିନରେ ପଛୁଆବର୍ଗମାନଙ୍କ ସମସ୍ୟାକୁ ସମାଧାନ କରି ତାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆହ୍ଵାନ ଦେଇଥିଲେ। ସେହିଭଳି ପଛୁଆ ଜାତି ଯଥା: ଗୋପାଳ, ବାରିକ, ଗୁଡ଼ିଆ, ବଣିଆ, କୁମ୍ଭାର, କମାର, ତେଲି, ବଢେଇ, ପାଟେରା, ତନ୍ତୀ ଏବଂ ଅନ୍ୟାନ୍ୟ ପଛୁଆ ଜାତିମାନଙ୍କର କୌଳିକ ବୃତ୍ତିକୁ ସହଯୋଗ ଯୋଗାଇଦେବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ପ୍ରସ୍ତାବିତ ରାଜ୍ୟ ସମ୍ମିଳନୀରେ ସଭାପତି ଶ୍ରୀ ଗାନ୍ଧୀ, ଓବିସି ଅଧ୍ୟକ୍ଷ ତାମ୍ରଧ୍ୱଜ ସାହୁ, ପିସିସି ସଭାପତିି ଶ୍ରୀ ପଟ୍ଟନାୟକ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ସଚିନ୍‌ ପାଇଲଟ, ଯତିନ୍‌ ପ୍ରସାଦ, ଅନ୍ୟ ପଛୁଆବର୍ଗ କେନ୍ଦ୍ର ଓ ରାଜ୍ୟ ନେତୃମଣ୍ଡଳୀ ଯୋଗଦେବା ପାଇଁ ସ୍ଥିର ହୋଇଛି। ବୈଠକରେ ଓବିସି ରାଜ୍ୟ କର୍ମକର୍ତା ରାଜକିଶୋର ବାରିକ, ଫକୀର ଖଟୁଆ, କଳିଙ୍ଗ ସାହୁ, ପଂଚାନନ ମହାପାତ୍ର, ପ୍ରକାଶ ରାଉତରାୟ, ସଂଜୟ ରାୟ, ଅନ୍ନପୂର୍ଣ୍ଣା ସାହୁ, ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର