ହଜାରରୁ ଊର୍ଦ୍ଧ୍ୱ ଶାଳ ଗଛ କାଟିନେଲେ, ଟେର୍‌ ପାଉନି ବନବିଭାଗ

କରଂଜିଆଗୋଲେଇ : ଗ୍ରାମ ଜଙ୍ଗଲରୁ ହଜାରରୁ ଊର୍ଦ୍ଧ୍ୱ ଶାଳ ଗଛ କଟା ହୋଇ ଲୁଟ୍‌ ହୋଇଗଲା। ୬ ଦିନ ଯାଏ ଏହି ଗଛ କଟା ପ୍ରକିୟା ଚାଲିଲା। ମୟୂରଭଞ୍ଜ କରଂଜିଆ ବନଖଣ୍ଡ ଅଧିନ ବଡ଼ଦେଉଳି ପଞ୍ଚାୟତର ଭଉଁରା ଗ୍ରାମ ହୁଡିସାହି ଗ୍ରାମ୍ୟ ଜଙ୍ଗଲରୁ ଏହି ଅବାଧ ଗଛ କଟା ହୋଇଛି। କିନ୍ତୁ ବନ ବିଭାଗ କୌଣସି ସୁରାକ୍‌ ପାଇଲା ନାହିଁ। ଏବେ ଖସିଯିବାକୁ ଉଦ୍ୟମ କରି ଅନ୍ୟ ଉପରେ ବନବିଭାଗ ଦୋଷ ଦେଉଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ହୁଡ଼ିସାହି ସଂରକ୍ଷିତ ଜଙ୍ଗଲ ଦେଇ ଦେଓ ଜଳସେଚନ କେନାଲ ଯିବାକୁ ସର୍ଭେ କାମ ସରିଥିଲା। କେନାଲ ଖନନ ପାଇଁ ବନ ବିଭାଗରୁ ଅନୁମତି ମଧ୍ୟ ଲୋଡ଼ା ଯାଇଥିଲା। କରଂଜିଆ ରେଞ୍ଜ କାର୍ଯ୍ୟାଳୟ ଚିଠି ନଂ. ୩୨୮୬/୨୬.୬.୧୭ ମୁତାବକ, ଏଥିପାଇଁ ଉଭୟ ବିଭାଗ ପକ୍ଷରୁ ଯାଞ୍ଚ ହୋଇଥିଲା। କଟାଯିବାକୁ ପ୍ରାୟ ୬ ହଜାର ଶାଳ ଗଛ ଚିହ୍ନଟ ହୋଇଥିଲା। ମାତ୍ର ଦୁର୍ବୃତ୍ତମାନେ ଏହାର ସୁଯୋଗ ନେଇଥିଲେ। ଚିହ୍ନଟକୁ ଛାଡ଼ି ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ଶାଳଗଛକୁ କାଟି ନେଲେ। ଘଟଣାର ୫ ଦିନ ପରେ ବନବିଭାଗ ଅଧିକାରୀ ଗାଁକୁ ଯାଇ ତନାଘନା କରିଥିଲେ। ଗାଁର ମହିଳାଙ୍କୁ ବନବିଭାଗ ଦୋଷ ଦେଉଛି।

ଏନେଇ ବନପାଳ ଧ୍ରୁବେନ୍ଦ୍ର ନାଏକ କହିଛନ୍ତି, କାହାଠାରୁ କୁମନ୍ତ୍ରଣା ପାଇ ମହିଳାମାନେ ଗଛ କାଟି ନେଇଛନ୍ତି। ତେବେ ଲୁଟ୍‌ ଗଛର ମୂଲ୍ୟ ପଚାରିବାରୁ ସେ ଏହାକୁ ଏଡେଇ ଦେଇ ଯାଇଥିଲେ। କିନ୍ତୁ ଦେଓ କେନାଲ ଡିଭିଜନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ଜୟନ୍ତ କୁମାର ସାହୁ ଏନେଇ ଭିନ୍ନ ମତ ପୋଷଣ କରିଛନ୍ତି। କହିଛନ୍ତି, ବିଭାଗରୁ ଚିଠି ପାଇବା ପରେ ୬ ହଜାର ଗଛ ଚିହ୍ନଟ କରାଯାଇଥିଲା। ମାତ୍ର ଚୋରକୁ ନ ଧରି ଏବେ ବନବିଭାଗ ନିଜ ଦୋଷ ଲୁଚାଉଥିବା ଇଂ. ସାହୁ ପ୍ରକାଶ କରିଛନ୍ତି। ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି।

ସମ୍ବନ୍ଧିତ ଖବର