ବାଲେଶ୍ବର : କାର୍ଯ୍ୟାଳୟକୁ ସଫେଇ କରିବା ନାଁରେ ବଳି ପଡ଼ିଛି ୫୦ରୁ ଊର୍ଧ୍ବ ମୂଲ୍ୟବାନ ଗଛ। ବାଲେଶ୍ବର ଜିଲ୍ଲା ଜଳସେଚନ ବିଭାଜନ କାର୍ଯ୍ୟାଳୟର ଏହି ଦୃଶ୍ୟକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଛି। ଗଛ କାଟିବା ପୂର୍ବରୁ କାର୍ଯ୍ୟାଳୟ ଅଧିକାରୀ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ବନ ବିଭାଗ ଅଧିକାରୀଙ୍କ ଅନୁମତି ନେଇନଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାଲେଶ୍ବର ଜିଲ୍ଲା ଜଳସେଚନ ବିଭାଜନ କାର୍ଯ୍ୟାଳୟ ପଛପଟେ ଏକ ବିଶାଳ ପୋଖରୀ ରହିଛି। ଏହି ପୋଖରୀ ଚାରିପଟେ କାର୍ଯ୍ୟାଳୟ ପକ୍ଷରୁ ଶହଶହ ମୂଲ୍ୟବାନ ଗଛ ଲଗାଯାଇଥିଲା। ଏବେ ସେହି ଗଛଗୁଡ଼ିକ ବିଶାଳ ରୂପ ଧାରଣ କରିଥିବା ବେଳେ ଚତୁଃପାର୍ଶ୍ବ ପରିବେଶ ସବୁଜିମାରେ ଭରି ଦେଇଥିଲେ। ତେବେ ଦୀର୍ଘଦିନ ଧରି ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ଥିବା ବେଳେ ସଫାସୁତୁରା ଅଭାବରୁ ଅନାବନା ଗଛରେ ପୂରି ଯାଇଥିଲା। ଏଥିପାଇଁ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ହୃଷୀକେଶ ଧଳଙ୍କୁ ଏହାର ସଫେଇ ଦାୟିତ୍ବ ଦିଆଯାଇଥିଲା। ତେବେ ସେ ପୋଖରୀ ଓ ଏହାର ଆଖାପାଖ ପରିବେଶକୁ ସଫା କରିବା ସହ ସେଠାରୁ ଜାମୁ, ଆକାଶିଆ, ଆମ୍ବ, ନିମ ଭଳି ୫୦ରୁ ଉର୍ଧ୍ବ ଗଛ କାଟି ସଫା କରି ପକାଇଛନ୍ତି। ଏପରିକି, ଡାଳ ଓ କଟା ଗଛର ମୂଳଗଣ୍ଡିଗୁଡ଼ିକୁ ନିଆଁ ଲଗାଇ ପୋଡ଼ିଦିଆଯାଇଛି। ଏହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ଶ୍ରୀ ଧଳ କହିଛନ୍ତି ଯେ, କାର୍ଯ୍ୟାଳୟ ପଛପଟ ଦୀର୍ଘଦିନ ଧରି ଅନାବନା ଗଛରେ ଭର୍ତ୍ତି ହୋଇଥିଲା। ସେଗୁଡ଼ିକୁ ସଫା କରିବା ଲାଗି କିଛିଦିନ ପୂର୍ବରୁ ଜିଲ୍ଲା ଜଳସେଚନ ବିଭାଗର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ନିରଂଜନ ମହାଳିକ ତାଙ୍କୁ କହିଥିଲେ।
ଅନ୍ୟପକ୍ଷରେ, ବତ୍ରର୍ତ୍ତମାନର ଭାରପ୍ରାପ୍ତ ଜିଲ୍ଲା କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ଆର୍ତ୍ତତ୍ରାଣ ଧଳ ସମ୍ପୂର୍ଣ୍ଣ ଅନ୍ଧାରରେ ଥିବା ଜଣାପଡ଼ିଛି। ସେ କହିଛନ୍ତି ଯେ, ଏ ସମ୍ପର୍କରେ ସେ କିଛି ଜାଣିନାହାନ୍ତି କି ଗଛ କାଟିବା ପାଇଁ ତାଙ୍କଠାରୁ କେହି ଅନୁମତି ନେଇନାହାନ୍ତି।
ଅନ୍ୟପକ୍ଷରେ ଗଛକଟାକୁ ନେଇ ବନ ବିଭାଗ କର୍ତ୍ତୃପକ୍ଷଠାରୁ ବୁଝିବାରୁ ତାଙ୍କଠାରେ ମଧ୍ୟ ଖବର ନଥିବା କହିଥିଲେ। ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଆଜି ଅପରାହ୍ନରେ ବନ ବିଭାଗର ଏକ ଟିମ୍ ଘଟଣା ସ୍ଥଳ ବୁଲି ଅନୁଧ୍ୟାନ କରିଥିବା ଜଣାପଡ଼ିଛି।