ଘୁ.ଉଦୟଗିରି ଜିଏନ୍‌ଆଇ ହାଉସ୍‌ ଉପରେ ଚଢ଼ାଉ : ୧୪୧ ନାବାଳକ, ନାବାଳିକା ଉଦ୍ଧାର

ହାଉସକୁ ସିଲ୍ କଲା ପ୍ରଶାସନ, ଜଣେ ମେଡିକାଲରେ ଭର୍ତ୍ତି

ଘୁ.ଉଦୟଗିରି : ସ୍ଥାନୀୟ ଏନଏସି ଅନ୍ତର୍ଗତ ୧୩ନଂ ୱାର୍ଡର ବୁଲୁସୁଗାଠାରେ ଥିବା ଜିଏନ୍‌ଆଇ (ଗୁଡ୍‌ ନିଉଜ୍‌ ଇଣ୍ଡିଆ) ଡ୍ରିମ ହାଉସ ଉପରେ ଆଜି କନ୍ଧମାଳ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଅଶୋକ ବେହେରାଙ୍କ ନେତୃତ୍ବରେ ଚଢ଼ାଉ କରାଯାଇ ୧୪୨ ଜଣ ନାବାଳକ ଏବଂ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୧୧୩ ଜଣ ଝିଅ ଏବଂ ୨୯ ଜଣ ପୁଅ ଅଛନ୍ତି। ୧୧୨ ଜଣ ଝିଅଙ୍କୁ ସ୍ଥାନୀୟ ସୁଭଦ୍ରା ମହତାବ ସେବା ସଦନରେ ରଖାଯାଇଥିବା ବେଳେ ୨୯ ଜଣ ପୁଅଙ୍କୁ କଳିଙ୍ଗାସ୍ଥିତ ଭିଜନ ଇଣ୍ଡିଆରେ ରଖାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ ଢେ଼ଙ୍କାନାଳରେ ଥିବା ଗୁଡ୍‌ ନିଉଜ୍‌ ଇଣ୍ତିଆର ସେଲଟର ହୋମ୍‌ରେ ଯୌନ ନିର୍ଯାତନା ଘଟଣା ପର୍ଦ୍ଦାଫାଶ ହେବା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଚେତିଛି। ଢେଙ୍କାନାଳ ଗୁଡ ନିଉଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟରର ଏହା ଏକ ଶାଖା ବୋଲି ଜଣାପଡିଛି। ଦୀର୍ଘବର୍ଷ ହେଲା ଏଠାରେ ଏହି ଡ୍ରିମ ହାଉସ ଚାଲିଥିଲା। ଗତକାଲି କନ୍ଧମାଳ ସିଡବ୍ଲ୍ୟୁସି ଦଳ ଆସି ବୁଲି ଖବର ନେଇଥିଲେ। ଏହି ଜିଏନ୍‌ଆଇ ସେଣ୍ଟରରେ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବା, ପାଚେରି ନଥିବା, ୮୦ ଜଣ ପିଲା ରଖିବା ନିମନ୍ତେ ସରକାରୀ ଅନୁମତି ଥିବାବେଳେ ସେଠାରେ ୧୪୨ ଜଣ ରହୁଥିବା ଯୋଗୁଁ ଆଜି ତାକୁ ସିଲ୍‌ କରିଦିଆଯାଇଥିବା ସୂଚନା ମିଳିଛି।

ଡିସିିପିଓ ରଶ୍ମିତା କରଣଙ୍କ ସମେତ ସିଡବ୍ଲ୍ୟୁସି ସଭ୍ୟ ନିରୋଦ ପାତ୍ର, ସୁଧାକର ସେନାପତି, ଜୟନ୍ତି ପାଣିଗ୍ରାହୀ, କଳ୍ପାନ ମହାନ୍ତି ପ୍ରମୁଖ ଚଢଉ ସମୟରେ ଉପସ୍ଥିତ ଥିଲେ। ଦୀର୍ଘବର୍ଷ ହେଲା ବେଆଇନ ଭାବେ ଚାଲିଥିବା ଏହି ଜିଏନ୍‌ଆଇ ସେଣ୍ଟର ବିଷୟରେ ଜିଲ୍ଲା ପ୍ରଶାସନ ପାଖରେ କିଭଳି ଖବର ନଥିଲା ତାହା ଆଶ୍ଚର୍ଯ୍ୟର ବିଷୟ । ଢେଙ୍କାନାଳ ଘଟଣା ପରେ ପ୍ରଶାସନର ନିଦ ଭାଙ୍ଗିଛି ସତ ହେଲେ କନ୍ଧମାଳ ଜିଲ୍ଲାରେ ଏଭଳି ଶହ ଶହ ସେଣ୍ଟର ବେଆଇନ ଭାବେ ଚାଲିଛି। ଛୋଟ ପିଲାଙ୍କୁ ରଖି ସେବା ନାମରେ ବ୍ୟବସାୟ ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର