ଚିନ୍ତା ବଢ଼ାଇଲାଣି ସାଇବର ମାଫିଆଙ୍କ କାର୍‌ନାମା : ୨ ବର୍ଷରେ ୩ କୋଟି ଚଳୁ

ଅଭିଯୋଗକାରୀଙ୍କ ମୁଣ୍ଡରେ ଚଡ଼କ

ଭୁବନେଶ୍ୱର : ହାଲୋ…। ମୁଁ ବିଦେଶର ଏକ କମ୍ପାନିରୁ କହୁଛି। ଆମ କମ୍ପାନିରେ ତୁମର ଲକି ଡ୍ର ହୋଇଛି। ତୁମ ନାଁରେ ଏକ ଉପହାର ଆସିଛି। ସେହି ଉପହାର ପାଇବା ପାଇଁ ତୁମକୁ ଆମ ଆକାଉଣ୍ଟ୍‌ରେ ଟଙ୍କା ଜମା କରିବାକୁ ପଡ଼ିବ। ଲୋଭର ବଶବର୍ତୀ ହୋଇ ଅନେକ ଫୋନ୍‌ରେ ଆକାଉଣ୍ଟ ନମ୍ବର ଦେବା ପରେ କିଛି ସମୟ ମଧ୍ୟରେ ଆକାଉଣ୍ଟ୍‌ ଖାଲି ହୋଇ ଯାଉଛି।

ସେହିପରି ମେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସେ ମ୍ୟାନେଜର ବୋଲ୍‌ ରାହା ହୁଁ। ଆପ୍‌ନେ ବ୍ୟାଙ୍କ ମେ’ ଆଧାର କାର୍ଡ ନେହିଁ ଦିଆ ହେ। ଇସ୍‌ଲିଏ ଏଟିଏମ୍‌ ବ୍ଲକ ହୋ ଗୟା ହେ। ଜଲଦି ସେ ଏଟିଏମ୍‌ ଉପର ଲିଖା ହୁଆ ନମ୍ବର ଦିଜିଏ’- ଏତକ ଶୁଣିବା ପରେ ଉପୋଭକ୍ତା ଜଣକ ତରବରିଆ ହୋଇ ଏଟିଏମ୍‌ ଉପରେ ଲେଖା ଥିବା ୧୬ ନମ୍ବର ଡିଜିଟ୍‌ କହୁଛନ୍ତି। ୧୬ ଡିଜିଟ୍‌ ନମ୍ବର କହିବାର ମାତ୍ର କିଛି ସମୟ ମଧ୍ୟରେ ଉପଭୋକ୍ତାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ଗାଏବ ହୋଇ ଯାଉଛି। ଏହି ଭଳି ଭାବେ ସାଇବର ଅପରାଧୀମାନେ ବିଭିନ୍ନ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରୁଛନ୍ତି। ଆଜି କ୍ରାଇମ୍‌ବ୍ରାଞ୍ଚର ସାଇବର ଥାନା ପୁଲିସ ଦୁଇ ଜଣ ଦକ୍ଷିଣ ଆଫିକ୍ରାର ଯୁବକ ଜୁଜୁଆ ଆଲେକ୍ସ ଓ ଏରିକୁମେଙ୍କୁ ଗିରଫ କରିବା ପରେ ଘଟଣାର ପର୍ଦାଫାସ ହୋଇଛି। ଏହି ଦୁଇ ଯୁବକ ନିଜକୁ ଆମେରିକାର ଜଣେ ଡାକ୍ତର ବୋଲି ମିଥ୍ୟା ପରିଚୟ ଦେଇ ଭୁବନେଶ୍ୱରରେ ରହୁଥିବା ଏମ୍‌ ବିଶ୍ୱାଳ ନାମକ ଜଣେ ଅଭିଯୋଗକାରିଣୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିଲେ। ବିଦେଶୀମାନେ ସାଇବର ଅପରାଧରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ଓଡ଼ିଶା ପୁଲିସ ଓ କ୍ରାଇମବ୍ରାଞ୍ଚ ପାଇଁ ଚିନ୍ତା ବଢ଼ି ଯାଇଛି। ଏ ନେଇ ପାଞ୍ଚ ଦିନ ତଳେ ରାଜ୍ୟରେ ବଢ଼ୁଥିବା ସାଇବର ଅପରାଧ ନେଇ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଏକ ବୈଠକ କରାଇଥିଲେ।

ଯାହା ସୂଚନା ମିଳିଛି, ଦୁଇ ବର୍ଷ ହେବ ରାଜ୍ୟର ଏକାଧିକ ବ୍ୟକ୍ତି ବିଶେଷଙ୍କ ନିକଟକୁ ଏଭଳି ଫୋନ୍‌ କଲ ଆସିଛି। ଗତ ୩ ମାସ ହେବ ଏଭଳି ଅଭିଯୋଗ ଏବେ ବଢ଼ିବାରେ ଲାଗିଛି। ଦୁଇ ବର୍ଷରେ ପାଖାପାଖି ୩ କୋଟି ଟଙ୍କା ବିଭିନ୍ନ ଉପୋଭକ୍ତାଙ୍କଠାରୁ ଏହି ସାଇବର ମାଫିଆମାନେ ଚଳୁ କରି ସାରିଲେଣି। ଏ ନେଇ ଥାନାରେ ଅଭିଯୋଗ କରିବାକୁ ଗଲେ ସେମାନଙ୍କୁ କଟକରେ ଥିବା ସାଇବର ଥାନାରେ ଅଭିଯୋଗ କରିବାକୁ କୁହାଯାଉଛି। ସେଠାରେ କୁହାଯାଉଛି ନାଁ ତୁମେ, ତୁମ ଜିଲ୍ଲା ପୁଲିସ ନିକଟରେ ଅଭିଯୋଗ କର। ଏପଟ ସେପଟ ହୋଇ ଉପୋଭକ୍ତା ଜଣକ କେବଳ ହୀନସ୍ତା ହେବା ହିଁ ସାର ହେଉଛି। ଏଣେ ପୁଲିସ କହୁଛି ଲୋକେ ସଚେତନ ହେଉ ନାହାନ୍ତି। ବାରମ୍ବାର ସଚେତନ କରାଇବା ପରେ ମଧ୍ୟ ଏଭଳି ଘଟଣା ଘଟୁଛି।

ଯାହା ସୂଚନା ମିଳିଛି, ଠକମାନେ ରାଜ୍ୟ ବାହାରେ ବସି ବିଭିନ୍ନ ଆକାଉଣ୍ଟଧାରୀଙ୍କ ମୋବାଇଲ୍‌ ଫୋନ୍‌କୁ କଲ କରି ବ୍ୟାଙ୍କ ଅଧିକାରୀ ପରିଚୟ ଦେଉଛନ୍ତି। ଏଟିଏମ୍‌ କାର୍ଡ ଉପରେ ଲେଖାଥିବା ୧୬ ଡିଜିଟ୍‌ ନମ୍ବର, ପାସଓ୍ଵାର୍ଡ, ଆକାଉଣ୍ଟ୍‌ ନମ୍ବର, ପିନ୍‌ ନମ୍ବର ଆଦି କୌଶଳ କରି ମାଗି ନେଉଛନ୍ତି। ଏହାର କିଛି ସମୟ ପରେ ଆକାଉଣ୍ଟ୍‌ରୁ ଟଙ୍କା ଗାଏବ ହୋଇ ଯାଉଛି। ଏନେଇ ଆକାଉଣ୍ଟଧାରୀ ବ୍ୟାଙ୍କ କର୍ତୃପକ୍ଷ ଓ ପୁଲିସକୁ ଜଣାଉଛନ୍ତି।

ଗତ ୩ ବର୍ଷ ହେବ ସାଇବର ମାଫିଆଙ୍କ ନଜର ରାଜଧାନୀ ଭୁବନେଶ୍ୱର ଉପରେ ପଡ଼ିଛି। ପ୍ରତ୍ୟେକ ଥାନା ଅଞ୍ଚଳରେ ଏବେ ଏଭଳି ଅନ୍‌ ଲାଇନ୍‌ ଠକେଇ ଅଭିଯୋଗ ଆସିବାରେ ଲାଗିଛି। ଏଣେ କମିସନରେଟ ପୁଲିସ ପକ୍ଷରୁ ସାଇବର ସେଲ୍‌ ଖୋଲା ଯିବାକୁ ହୋଇଥବା ଯୋଜନା ଏବେ କେବଳ ଯୋଜନା ମଧ୍ୟରେ ରହି ଯାଇଛି।

ସମ୍ବନ୍ଧିତ ଖବର