ଅନୁଗୁଳ : ଓଡ଼ିଶାରେ ସାଇବର ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏବେ ରାଜ୍ୟେର ୪ଟି ସାଇବର ଥାନା ରହିଛି। ବାଲେଶ୍ବର ଓ ଜୟପୁରରେ ଆଉ ଗୋଟିଏ ଲେଖାଏଁ ଖୋଲାଯିବ। ତେବେ ସାଇବର ଅପରାଧ ରୋକିବା ପାଇଁ ଓଡ଼ିଶା ପୁଲିସ୍ ଆଗାମୀ ଦିନରେ ସବୁ ଜିଲ୍ଲାରେ ସାଇବର ଥାନା ସ୍ଥାପନ କରିବାକୁ ଯୋଜନା ରଖିଛି। ଏଥିନେଇ ଖୁବ୍ଶୀଘ୍ର ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ପଠାଯିବ ବୋଲି ଆଜି ଏଠାରେ ପୁଲିସ ମହାନିର୍ଦ୍ଦେଶକ ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନୁଗୁଳରେ ସ୍ମାର୍ଟ ସିଟି ସିକ୍ୟୁରିଟି ଆଣ୍ଡ ସର୍ଭିଲାନସ୍ ସିଷ୍ଟମ୍ର ଲୋକାର୍ପଣ ଅବସରରେ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ. ଶର୍ମା କହିଲେ, ଓଡ଼ିଶାରେ ଏବେ ୬ଟି ମହିଳା ଥାନା ରହିଛି। ଗତ ୧୫ ବର୍ଷ ମଧ୍ୟରେ ନୂଆ ମହିଳା ଥାନା ସ୍ଥାପନ ହୋଇ ନାହିଁ କି ବର୍ତ୍ତମାନ ନୂଆ ଥାନା ଖୋଲାଯିବାର ଯୋଜନା ବି ନାହିଁ। ମହିଳା ଥାନା ସ୍ଥାପନ କ୍ଷେତ୍ରରେ ଅନେକ ଫାଇଦା ରହିଥିବାବେଳେ ସେତିକି ସମସ୍ୟା ବି ରହିଛି। ଏହାକୁ ଦୃଷ୍ଟିରେ ରଖି ଥାନାରେ ମହିଳା ଓ ଶିଶୁ ଡେକ୍ସ ସ୍ଥାପନକୁ ଗୁରୁତ୍ବ ଦିଆଯାଉଛି। ଓଡ଼ିଶା ପୁଲିସରେ ମହିଳା ଅଧିକାରୀଙ୍କ ସଂଖ୍ୟା ୩୦ ପ୍ରତିଶତ ରଖାଯିବାର ଯୋଜନା ରହିଛି। ଏବେ ଏହି ସଂଖ୍ୟା କିନ୍ତୁ ବହୁତ କମ୍ ରହିଛି। ତଥାପି ପ୍ରତ୍ୟେକ ଥାନାରେ ଜଣେ ଲେଖାଏଁ ମହିଳା ଅଧିକାରୀ କିମ୍ବା ମହିଳା କନେଷ୍ଟବଳ ନିଯୁକ୍ତ କରାଯାଉଛି।
ଡ.ଶର୍ମା ଆହୁରି କହିଲେ, ଅନୁଗୁଳର ସ୍ମାର୍ଟ ସିଟି ସିକ୍ୟୁରିଟି ଆଣ୍ଡ ସର୍ଭିଲାନସ୍ ସିଷ୍ଟମ୍ ବିଶ୍ବସ୍ତରୀୟ। ଓଡ଼ିଶାରେ କଟକ, ଭୁବନେଶ୍ବର ମହାନଗର ସମେତ ଆହୁରି ୧୦ଟି ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସିସିଟିଭି କ୍ୟାମେରାର ସହାୟତା ନିଆଯାଉଛି। ମାତ୍ର ଓଡ଼ିଶାରେ ଯେତିକି ସ୍ଥାନରେ ବି ରହିଛି, ଅନୁଗୁଳର ଏହି ବ୍ୟବସ୍ଥା ସବୁଠାରୁ ଭଲ ଓ ଉନ୍ନତମାନର। ଏଥିରେ ଥିବା ମୁହଁ ଚିହ୍ନଟ ବ୍ୟବସ୍ଥା ଦ୍ବାରା ଡାଟାବେସ୍ରେ ଥିବା ଅପରାଧିକ ପୃଷ୍ଠଭୂମିର ବ୍ୟକ୍ତିମାନଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ। ପୁଣି ସମନ୍ବିତ ଟ୍ରାଫିକ ପରିଚାଳନା ବ୍ୟବସ୍ଥା(ଆଇଟିଏମ୍ଏସ୍) ଦ୍ବାରା ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ସହଜରେ ଚିହ୍ନଟ ଓ ଜରିମାନା ଆଦାୟ କରାଯାଇପାରିବ। ୨୦୧୪ ମସିହାରେ କମିସନରେଟ୍ ପୁଲିସ ଦ୍ବାରା ଏଭଳି ଉଦ୍ୟମ ହୋଇଥିଲେ ହେଁ ତାହା ଏପର୍ଯ୍ୟନ୍ତ କେତେକ କାରଣରୁ କାର୍ଯ୍ୟକ୍ଷମ ହୋଇ ପାରିନାହିଁ ବୋଲି ସେ କହିଥିଲେ।