ଜାଣନ୍ତୁ କେମିତି ଲୁଟୁଛନ୍ତି ସାଇବର ଠକ, ସାବଧାନ ରହନ୍ତୁ ନ ହେଲେ ଫସିଯିବେ

ସଚେତନତା କି ଆଡଭାଇଜରି ଜାରି କରୁନି ପୁଲିସ

ଭୁବନେଶ୍ବର:  ସାଇବର ଠକ ଦୁଇଟି ଉପାୟରେ ଫେସବୁକ୍‌ରେ ଜାଲ ଅନ୍‌ଲାଇନ୍‌ ମଦ ବିକ୍ରି ବିଜ୍ଞାପନ ଦେଇ ଠକେଇ କରୁଛନ୍ତି। ଏପରି ଅପରାଧୀ ସାଧାରଣତଃ ରାଜ୍ୟ ବାହାରର। ସେମାନେ ରାଜ୍ୟ ବାହାରେ ରହି କୋଟି କୋଟି ଟଙ୍କା ଠକି ନେବାକୁ ସକ୍ଷମ ହେଉଛନ୍ତି।

କୌଶଳ ନଂ ୧: ଏଥିଲାଗି କୌଣସି ସାଇବର ଜ୍ଞାନକୌଶ​ଳର ପ୍ରୟୋଗ କରୁ ନାହାନ୍ତି ଠକ। କେବଳ ଫେସବୁକ୍‌ରେ କୌଣସି ଜଣାଶୁଣା ଦୋକାନ ନାଁରେ ଜାଲ ଆଇଡି ତିଆରି କରୁଛନ୍ତି। ସେଥିରେ ଫୋନ୍ ନମ୍ବର, ହ୍ବାଟସଆପ୍ ନମ୍ବର ଦେଉଛନ୍ତି। ସେହି ଜାଲ୍‌ ବିଜ୍ଞାପନ ଦେଖି ଲୋକଟି ଫେସବୁକ୍ ଆଇଡ଼ିରେ ଦିଆଯାଇଥିବା ମୋବାଇଲ ଫୋନ୍ ନମ୍ବରରେ ଯୋଗାଯୋଗ କରିଥାଏ। ଲୋକଟି ମଦ ଅର୍ଡର କରିବା କ୍ଷଣି ସାଇବର ଠକ ଏକ ଗୁଗୁଲ୍ ପେ’, ଫୋନ୍ ପେ’ରେ ଟଙ୍କା ଜମା କରିବାକୁ କୁହେ। ଲୋକଟି ଠକ ଆକାଉଣ୍ଟରେ ଟଙ୍କା ଜମା କରି ଠକାମିର ଶିକାର ହୋଇଥାଏ।

କୌଶଳ ନଂ ୨: ଏଠି ମଧ୍ୟ ସମାନ ଢଙ୍ଗରେ ସାଇବର ଠକ ଫେସବୁକରେ ଜଣାଶୁଣା ମଦ ଦୋକାନ ନାଁରେ ଜାଲ୍ ଆଇଡି ତିଆରି କରି ବିଜ୍ଞାପନ ଦେଉଛନ୍ତି। ସେହି ବିଜ୍ଞାପନକୁ ଦେଖି ଲୋକ ଫୋନ୍ କରି ମଦ ବୁକିଂ କରୁଛନ୍ତି। ପ୍ରଥମେ ଠକ ଫୋନ୍ ପେ, ଗୁଗୁଲ ପେ ମାଧ୍ୟମରେ କିଛି ଟଙ୍କା ଜମା କରିବାକୁ କହୁଛି। ଟଙ୍କା ପାଇବା ପରେ ସାଇବର ଠକ ଏକ ବାରକୋଡ୍ ପଠାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏହାକୁ ସ୍କାନ୍ କରିବା ପାଇଁ କହୁଛି। ବାରକୋଡ୍ ସ୍କାନ୍ ହେବା ପରେ ଆକାଉଣ୍ଟ ଖାଲି କରି ଦେଉଛି ସାଇବର ଠକ।

ସଚେତନତା କି ଆଡଭାଇଜରି ଜାରି କରୁନି ପୁଲିସ
ଲଗାତାର୍ ଭାବେ ସାଇବର ଠକ ଏକାଧିକ ଠକେଇ ହେଉଥିଲେ ମଧ୍ୟ ସବୁ ଘଟଣା ପୁଲିସ ନଜରକୁ ଆସେ ନାହିଁ। କିଛି ଘଟଣା ଥାନାରେ ପହଞ୍ଚେ। ଏଭଳି ବାରମ୍ବାର ଘଟିବା ସତ୍ତ୍ବେ ସାଇବର ଠକଙ୍କ ଜାଲରୁ ବର୍ତ୍ତିବା ଲାଗି ରାଜ୍ୟ ପୁଲିସ, କ୍ରାଇମବ୍ରାଞ୍ଚ କୌଣସି ଠୋସ୍‌ ପଦକ୍ଷେପ ନେଇପାରି ନ‌ାହିଁ। ଏ ନେଇ ସଚେତନତା କିମ୍ବା ଆଡଭାଇଜରି ଜାରି କରିବା କଥା। ତାହା ମଧ୍ୟ ‌ହେଉନାହିଁ। ସୋସିଆଲ ମିଡ଼ିଆରେ ଜାଲ ଅନ୍‌ଲାଇନ୍ ମଦ ବିଜ୍ଞାପନ ଦେଇ ସାଇବର ଠକ କୋଟି କୋଟି ଟଙ୍କା ଲୁଟି ଚାଲିଥିଲେ ବି ଏ ପର୍ଯ୍ୟନ୍ତ ଆଡଭାଇଜରି ଜାରି କରୁନି ପୁଲିସ। ସାଇବର ଠକ ଝାଡଖଣ୍ଡ, ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ଓଡ଼ିଶାରେ କେହି ଠକ ବ୍ଲୁ ପ୍ରିଣ୍ଟ ତିଆରି କରିଛି କି ନାହିଁ ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର