ବାତ୍ୟା‌ ଆନ୍ଧ୍ର ମୁହାଁ : ୧୨୦ କିମି ବେଗରେ ସ୍ଥଳ ଭାଗ ଛୁଇଁବ

ଓଡ଼ିଶା ସମେତ ୬ ରାଜ୍ୟ ପାଇଁ ସତର୍କ ସୂଚନା, ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ, ଚାଷୀଙ୍କୁ ପରାମର୍ଶ ଦେଲା ଓୟୁଏଟି

ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଥିବା ଅବପାତ ବାତ୍ୟାର ରୂପ ନେଉଛି। ଏହା ଏବେ ଘଣ୍ଟା ପ୍ରତି ୧୧ କିମି ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆଜି ରାତି ୧୦ଟା ସୁଦ୍ଧା ଏହା ତାମିଲନାଡ଼ୁର ଚେନ୍ନାଇଠାରୁ ୧୦୮୦ କିମି ଓ ଆନ୍ଧ୍ରପ୍ରଦେଶର ମଚ୍ଛଲିପାଟନମ୍‌ଠାରୁ ୧୨୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଶୁକ୍ରବାର ରାତି ସୁଦ୍ଧା ବାତ୍ୟାରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ଆଡ଼କୁ ଅଗ୍ରସର ହେବ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୧୪ ତାରିଖ ସକାଳ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବ। ଏହି ସମୟରେ ଘଣ୍ଟା ପ୍ରତି ୭୫ କିମି ବେଗରେ ପବନ ବୋହିବ। ପୂର୍ବାହ୍ଣ ବେଳକୁ ତାହା ବାତ୍ୟାର ରୂପ ନେଇ ଧୀରେ ଧୀରେ ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହେବ। ୧୫ ତାରିଖ ରାତିରେ ଭୀଷଣ ବାତ୍ୟାରେ ପରିଣତ ହେବ। ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ହେବାର ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ୧୫ ତାରିଖଠାରୁ ଆନ୍ଧ୍ରପ୍ରଦେଶ ଓ ତା‌ମିଲନାଡ଼ୁରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆନ୍ଧ୍ରପ୍ରଦେଶ, ତା‌ମିଲନାଡ଼ୁ ସମେତ ଓଡ଼ିଶା, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ପଶ୍ଚିମବଙ୍ଗ ଓ ପଣ୍ଡିଚେରିରେ ବି ବାତ୍ୟାର ପ୍ରଭାବ ପଡ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଲେଖିଛି ଭାରତୀୟ ପାଣିପାଗ ବିଭାଗ। ୧୬ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ କୁହାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବି ସତର୍କ ସୂଚନା ଜାରି ହୋଇଛି। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ବାତ୍ୟା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। କଟା ଯାଇ ନ ଥିବା ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ଏଥିସହ କଟାଯାଇ ଜମିରେ ଶୁଖାଯାଇଥିବା ଧାନ ବିଡ଼ାକୁ ସୁରକ୍ଷିତ ସ୍ଥାନକୁ ନେବାକୁ ପରାମର୍ଶ ଦିଆଯାଇଛି। ଶୁଖି ଯାଇଥିବା ଧାନକୁ ଅମଳ କରନ୍ତୁ। ଖଳାରେ ରହିଥିବା ବିଡ଼ାକୁ ପାଲ ଘୋଡ଼ାଇ ସୁରକ୍ଷିତ ରଖିବା ସହିତ ମଣ୍ଡିରେ ପଡ଼ି ରହିଥିବା ଧାନକୁ ଘୋଡ଼ାଇ ରଖିବାକୁ କୁହାଯାଇଛି। ତଳି ପଡ଼ିଯାଇଥିବା ଧାନ ଜମିରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିବା କିମ୍ବା ବର୍ଷା ପୂର୍ବରୁ ତଳି ନ ପକାଇବାକୁ ସୂଚନା ଦିଆଯାଇଛି।

ମୁଗ, ବିରି, ବୁଟ, ମଟର, କୋଳଥ ଆଦି ଡାଲି ଜାତୀୟ ଫସଲରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ହରଡ଼ ଫସଲରେ ଫଳବିନ୍ଧା ପୋକ, ବର୍ଷା ଛାଡ଼ିଗଲା ପରେ ସୋରିଷ ଫସଲରେ ଜଉ ପୋକ ଲାଗିବାର ଆଶଙ୍କା ରହିଛି। ଏହାର ନିରାକରଣ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ସିଞ୍ଚନ କରନ୍ତୁ। ସେହିପରି ପନିପରିବା ଜମିରୁ ପାଣି ନିଷ୍କା‌ସନ ପାଇଁ ବ୍ୟବସ୍ଥା କରନ୍ତୁ। ରଞ୍ଜାରେ ମାଡ଼ିଯାଇଥିବା ଲଟା ଜାତୀୟ ପନିପରିବାକୁ ସୁରକ୍ଷିତ ରଖିବା ପାଇଁ ଭଲ ଭାବେ ବାନ୍ଧି ଦିଅନ୍ତୁ। ରଞ୍ଜାଗୁଡ଼ିକର ମୂଳକୁ ମାଟି ଦେଇ ଶକ୍ତ କରନ୍ତୁ। ଅମଳ ଉପଯୋଗୀ ବିଲାତିବାଇଗଣ, ଫୁଲକୋବି, ବନ୍ଧା‌କୋବିକୁ ତୋଳି ଦିଅନ୍ତୁ। ବର୍ଷା ଛାଡ଼ିଗଲା ପରେ ପନିପରିବାରେ ଜଉ ଓ ଝାଉଁଳା ପୋକ ଲାଗିପାରନ୍ତି। ଫୁଲକୋବି, ବନ୍ଧ‌ାକୋବି, ବିଲାତିବାଇଗଣରେ ପତ୍ରଖିଆ ଓ ଫଳବିନ୍ଧା ପୋକ ଲାଗିବାର ସମ୍ଭାବନା ରହିଛି। ଆଳୁ ଫସଲରେ ସହଳ ପତ୍ରପୋଡ଼ା ରୋଗ ଲାଗିଲେ ଔଷଧ ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି। ଅଧିକ ଜାଣିବା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ସମ୍ପ୍ରସାରଣ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର