ବାଲେଶ୍ୱର: ବାତ୍ୟା ଅମ୍ଫାନ ପାରାଦୀପଠାରୁ ବର୍ତ୍ତମାନ ୧୪୦କିମି ଦୂରରେ ରହିଥିବା ବେଳେ ଦୀଘାଠାରୁ ୧୨୫ କିମି ଦୂରରେ ରହିଛି। ସେହିପରି ବାତ୍ୟା ଘଣ୍ଟାକୁ ୨୯କିମି ବେଗରେ ଗତି କରୁଥିବା ବେଳେ ବାଂଲାଦେଶରୁ ୨୭୫କିମି ଦୂରରେ ରହିଛି ।
ସାମୁଦ୍ରିକ ଝଡ ଅମ୍ଫାନ କାରଣରୁ ସମୁଦ୍ର ଅଶାନ୍ତ ହୋଇଉଠିଛି ।ଏହି କାରଣରୁ ଦୀଘାରେ କ୍ରମାଗତ ଭାବେ ସମୁଦ୍ରରେ ଉଚ୍ଚା ଉଚ୍ଚା ଲହଡି ଆସୁଛି । ସମୁଦ୍ରର ଏପରି ଅଶାନ୍ତ ରୂପକୁ ଦେଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଲୋକଙ୍କୁ ଉପକୂଳ ଅଂଚଳକୁ ନଯିବାକୁ ବାରଣ କରିଛନ୍ତି। ମାଇକ ଯୋଗେ ପ୍ରଚାର କରି ସମୁଦ୍ରକୂଳିଆ ଲୋକଙ୍କୁ ଜିଲ୍ଲା ପ୍ରଶାସନ ସତର୍କ କରାଉଛି । ସେପଟେ ଉଚ୍ଚ ଜୁଆର ଉପକୂଳ ଡେଇଁ ଆସିବା ପରେ ସମୁଦ୍ର ଧୀରେ ଧୀରେ ଅଧିକ ଅଶାନ୍ତ ରହୁଥିବା ଜଣାପଡିଛି। ଧୀରେ ଧୀରେ ଦୀଘାରେ ପବନର ବେଗ ବୃଦ୍ଧି ପାଉଥିବାରୁ ସମୁଦ୍ରର ଏପରି ଉଗ୍ରରୂପ ଆଗକୁ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ବାଲେଶ୍ୱରର ଚାନ୍ଦିପୁର ବେଳାଭୂମିରେ ବି ବଡ ବଡ ଜୁଆର ଦେଖିବାକୁ ମିଳିଛି। ସମୁଦ୍ର ଅଶାନ୍ତ ରହୁଥିବା ବେଳେ ଅନେକ ସ୍ଥାନରେ ଘରର ଛପର ବି ଉଡ଼ିଯାଇଛି । ପବନର ବେଗ ସକାଳେ ଯେତିକି ରହିଥିଲା , ସମୟ ବଢିବା ସହ ଏହା ଅଧିକ ହୋଇଛି । ସେପଟେ ସାମୁଦ୍ରିକ ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଛି ।
କେବଳ ବାଲେଶ୍ୱର ନୁହେଁ କେନ୍ଦ୍ରାପଡାରେ ବି ସାମୁଦ୍ରିକ ଝଡ ଅମ୍ଫାନର ପ୍ରଭାବ ଦେଖିବାକୁ ମିଳିଛି । ସମୁଦ୍ର ଉପକୂଳ ଅଞ୍ଚଳରେ ପ୍ରବଳ ଜୋରରେ ପବନ ବହିବା ସହ ବର୍ଷା ମଧ୍ୟ ଲାଗି ରହିଛି । ଅନେକ ଅଞ୍ଚଳରେ ଏବେ ପାଣି ଜମି ରହିଲାଣି । ସେପଟେ ସମୁଦ୍ର ଅଶାନ୍ତ ହେବା ପରେ ଏହାର ପ୍ରଭାବ ମଧ୍ୟ ଉପକୂଳ ଅଂଚଳରେ ପଡିଛି। ସମୁଦ୍ର ଫୁଲିବା ପରେ ଅନେକ ସ୍ଥାନରେ ମାଛ ଧରା ଡଙ୍ଗା ସବୁ କୂଳରେ ମାଡ ହୋଇ କ୍ଷତିଗ୍ରସ୍ତ ହୋଇଛିା