‘ଫନି ସହାୟତା କେଳେଙ୍କାରୀ : ଏସ୍‌ଆରସିଙ୍କ ତଦନ୍ତ ନିର୍ଦ୍ଦେଶକୁ ଚାପି ଦେଉଛି ପ୍ରଶାସନ

କୋଠାଘରକୁ ଦର୍ଶାଯାଇଛି ଚାଳଛପର, ତାଲିକାରେ ସରକାରୀ କର୍ମଚାରୀ, ୱାର୍ଡ ମେମ୍ବର

କଟକ/ ନିଶ୍ଚିନ୍ତକୋଇଲି : ଏସ୍‌ଆରସିଙ୍କ ଚିଠିକୁ ବି ଖାତିର କରୁନି କଟକ ଜିଲ୍ଲା ପ୍ରଶାସନ। ‘ଫନି ସହାୟତା ପ୍ରଦାନରେ ହୋଇଥିବା ବ୍ୟାପକ କେଳେଙ୍କାରୀକୁ ନେଇ ମାହାଙ୍ଗାଠାରୁ ସାଲେପୁର ପର୍ଯ୍ୟନ୍ତ ସବୁଠୁ ମାଳ, ମାଳ ଅଭିଯୋଗ। ଅଭିଯୋଗ ଉପରେ ଏସ୍‌ଆରସି ତଦନ୍ତ ନିର୍ଦ୍ଦେଶ ଦେଉଥିଲେ ବି ତଦନ୍ତ ରିପୋର୍ଟକୁ ଚାପି ଦିଆଯାଉଛି। ଏହାକୁ ନେଇ ଅସନ୍ତୋଷ ଦାନା ବାନ୍ଧିଲାଣି।

ନିଶ୍ଚିନ୍ତକୋଇଲି ବ୍ଲକ୍‌ ତିଳକଣା ପଞ୍ଚାୟତରେ ପ୍ରକୃତ ଘର ଭାଙ୍ଗିଥିବା ହିତାଧିକାରୀ ‘ଫନି ସହାୟତା ପାଇବାରୁ ବ‌ଞ୍ଚିତ ହୋଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ରାଜ୍ୟର ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ନିକଟରେ ଲିଖିତ ଅଭିଯୋଗ କରି ତଦନ୍ତ ଦାବି କରିଥିଲେ। ସ୍ବତନ୍ତ୍ର ରିଲିଫ କମିସନର ମଧ୍ୟ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୧୦ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ନିମନ୍ତେ ନିଶ୍ଚିନ୍ତକୋଇଲି ତହସିଲଦାର ଓ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ବି ଆଜି ସୁଦ୍ଧା ଆସି ପାରିଲାନି ତଦନ୍ତ ରିପୋର୍ଟ। ଏସ୍‌ଆରସିଙ୍କ ପାଖରେ ହେଉଥିବା ମାଳ ମାଳ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ କଟକ ଜିଲ୍ଲା ପ୍ରଶାସନକୁ ଦିଆଯାଉଥିଲେ ସୁଦ୍ଧା ତଦନ୍ତ ହେଉନି, ବରଂ ତଦନ୍ତକୁ ଚାପି ଦିଆଯିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ହିତାଧିକାରୀ। ନିଶ୍ଚିନ୍ତକୋଇଲି ତିଳକଣା ପଞ୍ଚାୟତର ମନ୍ଦରଧର ସାହୁ ଜଣେ ପେନ୍‌ସନ୍‌ଭୋଗୀ ଅବସରପ୍ରାପ୍ତ କର୍ମଚାରୀ। ତାଙ୍କ ପୁଅ ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ କୋଠାଘର ବି ରହିଛି। ସେହିପରି ମୀରାରାଣୀ ଦେଇଙ୍କ ସ୍ବାମୀ ଜଣେ ପେନ୍‌ସନ୍‌ଭୋଗୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ତାଙ୍କର ଏକ ବିରାଟ କୋଠାଘର ରହିଛି। ପୁଅ ନେମାଳ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ପ୍ରକୃତ ଘର ତିଳକଣା ହୋଇଥିଲେ ବି ଗ୍ରାମ ଭଗବାନପୁର ଦଶାର୍ଯାଇ ସରକାରୀ ରାଜକୋଷରୁ ଅର୍ଥ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ଭୋଇପଡ଼ା ଗ୍ରାମର ପ୍ରଭାତ କୁମାର ଜେନାଙ୍କ ବିରାଟ କୋଠାଘର ଥାଇ ମଧ୍ୟ ସମ୍ପୂର୍ଣ୍ଣ ଘରଭଙ୍ଗା ସହାୟତା ହାତେଇଥିବା ଜଣାପଡିଛି। ତିଳକଣା ଗ୍ରାମର ୱାର୍ଡମେମ୍ବର ରମେଶ ଚନ୍ଦ୍ର ଲେଙ୍କାଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଠାଘର ଥାଇ ସୁଦ୍ଧା ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ହାତେଇଥିବା ଜଣାଯାଇଛି। କୋଠାଘର ଥିଲେ ବି ସମ୍ପୂର୍ଣ୍ଣ ଘର ଭାଙ୍ଗିଯାଇଥିବା ଦର୍ଶାଇ ସରକାରୀ ରାଜକୋଷରୁ ପ୍ରତ୍ୟେକ ପରିବାରକୁ ୯୫ହଜାର ୧ଶହଟଙ୍କା ଲେଖାଏଁ ଘରଭଙ୍ଗା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଜାଲିଆତି ପଛରେ କିଛି ସ୍ଥାନୀୟ ନେତା, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କର୍ମଚାରୀ ଓ ତହସିଲ କର୍ମଚାରୀଙ୍କ ଭୂମିକା ସନ୍ଦେହରେ। ନିଶ୍ଚିନ୍ତକୋଇଲି ତହସିଲ ଅଧୀନ ବନ୍ଧକାଟିଆ, କେନ୍ଦୁପାଟଣା, ଓରତି ଆଦି ପଞ୍ଚାୟତରେ ଘରଭଙ୍ଗା ସାହାଯ୍ୟ ପ୍ରଦାନରେ ହୋଇଥିବା ଅନିୟମିତତାର ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ଦୁର୍ନୀତି ଓ ଜାଲିଆତି ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଉଲ୍ଲେଖ୍ୟ, ତିଳକଣା ପଞ୍ଚାୟତରେ ଶତାଧିକ ଗରିବ ଲୋକ ବାସହରା ହୋଇ ପଡ଼ିଥିଲେ। ହେଲେ, ସେମାନଙ୍କ ଭିତରୁ ଅନେକ ଘରଭଙ୍ଗା ସାହାଯ୍ୟ ଅର୍ଥ ତ ଦୂରର କଥା, ପଲିଥିନ ଖଣ୍ଡିଏ ବି ପାଇ ନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର