ଆତ୍ମା ବ୍ଲକ୍‌ ଅଧ୍ୟକ୍ଷାଙ୍କ ସହ ମୃତା ଶାଶୂଙ୍କୁ ‘ଫନି’ ସହାୟତା

ପୁରୀ : ସରକାରୀ କଳ ଓ ରାଜନେତାଙ୍କୁ ହାତ କରି ଯୋଗ୍ୟଙ୍କ ବଦଳରେ ଅଯୋଗ୍ୟମାନେ କିଭଳି ‘ଫନି’ ସହାୟତା ଲୁଟି ନେଇଛନ୍ତି, ତାର ପୁଣି ଏକ କେଳେଙ୍କାରୀ ଲୋକଲୋଚନକୁ ଆସିଛି। ସବୁଠୁ ସମ୍ବେଦନଶୀଳ ଘଟଣା ହେଲା, ଏଠି ମୃତ ମହିଳା ବି ଫନି ସହାୟତା ପାଇଛନ୍ତି। ମୃତ ମହିଳାଙ୍କ ଆକାଉଣ୍ଟକୁ ୯୫ ହଜାର ଟଙ୍କାର ସହାୟତା ରାଶି ପଠାଯାଇଛି। କେବଳ ମୃତ ବ୍ୟକ୍ତି ନୁହଁନ୍ତି, ତାଙ୍କ ବୋହୂ ଯିଏକି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ଓ ବର୍ତ୍ତମାନର ଆତ୍ମା ଅଧ୍ୟକ୍ଷା ସେ ବି ପୂର୍ଣ୍ଣ ସହାୟତା ରାଶି (୯୫ ହଜାର) ଟଙ୍କା ପାଇଛନ୍ତି। କଣାସ ବ୍ଲକ୍‌ ସାହୁପଡ଼ା ପଞ୍ଚାୟତ ବେଢ଼ାତଣ୍ଡୁଳ ଗାଁ’ରେ ଏଭଳି ‘ଫନି’ କେଳେଙ୍କାରି ଦେଖିବାକୁ ମିଳିଛି।

ବେଢ଼ାତଣ୍ଡୁଳର ଦୋଳଗୋବିନ୍ଦ ବଳିଆରସିଂହଙ୍କ ସ୍ତ୍ରୀ ଗଗନି ବଳିୟାସିଂହଙ୍କୁ ‘ଫନି’ ସହାୟତା ପ୍ରଦାନ କରାଯାଇଛି। ସଂପୃକ୍ତ ରାଜସ୍ବ ନିରୀକ୍ଷକ ‘ଫନି’ ବିପନ୍ନ ତାଲିକାରେ ଏହି ନାଁ’ ଅନ୍ତର୍ଭୁକ୍ତ କରିବା ପରେ ଗଗନିଙ୍କୁ ୯୫ ହଜାର ଟଙ୍କା ପୂର୍ଣ୍ଣ ଘରଭଙ୍ଗା ସହାୟତା ପ୍ରଦାନ କରାଯାଇଛି। କିନ୍ତୁ ଗଗନିଙ୍କ ମୃତ୍ୟୁ ହୋଇସାରିଛି। ମୃତ୍ୟୁ ପରେ ବି ପ୍ରଶାସନ ଗଗନିଙ୍କ ଆକାଉଣ୍ଟଙ୍କୁ ୯୫ ହଜାର ଟଙ୍କାର ସହାୟତା ରାଶି ପଠାଇଛନ୍ତି। ଗଗନିଙ୍କ ବୋହୂ ମନସ୍ବିନୀ ବଳିୟାରସିଂହ ବି ଘରଭଙ୍ଗା ବାବଦକୁ ପୂର୍ଣ୍ଣ ସହାୟତା ପାଇଛନ୍ତି। ତାଙ୍କ ଆକାଉଣ୍ଟକୁ ୯୫ ହଜାର ଟଙ୍କାର ସହାୟତା ରାଶି ପଠାଯାଇଛି। ମନସ୍ବିନୀ ହେଉଛନ୍ତି କଣାସ ବ୍ଲକର ପୂର୍ବତନ ଅଧ୍ୟକ୍ଷା। ସେ ଏବେ କଣାସ ଆତ୍ମା ଅଧ୍ୟକ୍ଷା ଅଛନ୍ତି। ତଥାପି ତାଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗ ମୁତାବକ, ମନସ୍ବିନୀଙ୍କର କୋଠା ଘର ରହିଛି। ସେ ଏବେ ନୂଆ ଘର ବି ତିଆରି କରୁଛନ୍ତି। କ୍ଷତି କଥା ଦେଖିଲେ, ଯେଉଁ ଘର ରହିଥିଲା, ତା’ର ସେଭଳି କିଛି କ୍ଷତି ହୋଇନାହିଁ। ତଥାପି ତାଙ୍କୁ ପୂର୍ଣ୍ଣ ସହାୟତା ପ୍ରଦାନ କରାଯାଇଛି।

ଗୋଟିଏ ଘରେ ଦୁଇ ଦୁଇଜଣ ପୂର୍ଣ୍ଣ ସହାୟତା ପାଇବା ସରକାରୀ ଅର୍ଥ ପ୍ରଦାନରେ ଅନିୟମିତତାକୁ ପଦାରେ ପକାଇଛି। ସାହୁପଡ଼ା ପଞ୍ଚାୟତରେ ଏଭଳି ଶତାଧିକ ଲୋକ କୋଠଘର ଥାଇ ବି ପୂର୍ଣ୍ଣ ସହାୟତା ପାଇଥିବା ଅଭିଯୋଗ ‌ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ‘ଫନି’ ଅନିୟମିତତା ନେଇ ଆମେ ତଦନ୍ତ କରୁଛୁ। ଯଦି ଏପରି କିଛି ଅଭିଯୋଗ ଥିବ ତେବେ ତାହାର ମଧ୍ୟ ନିଶ୍ଚିତ ତଦନ୍ତ ହେବ।

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ଭିକାରି ବଳିୟାରସିଂହ ଏ ସଂପର୍କରେ କହିଛନ୍ତି, ଫନି ପରେ ମା’ଙ୍କ ମୃତ୍ୟୁ ହୋଇଥିଲା। ଦେଢ଼ ମାସ ତଳେ ତାଙ୍କର ମୃତ୍ୟୁ ହୋଇଛି। ଯଦି ସହାୟତା ଯାଇଥିବ, ତେବେ ମା’ଙ୍କ ଆକାଉଣ୍ଟକୁ ଯାଇଥିବ। ଏ ସଂପର୍କରେ ମୁଁ କିଛି ଜାଣିନି ବୋଲି ସେ କହିଛନ୍ତି। ଅନ୍ୟପଟେ ସ୍ତ୍ରୀ ମନସ୍ବିନୀ ସହାୟତା ପାଇବା ସଂପର୍କରେ ଶ୍ରୀ ବଳିୟାରସିଂହ କହିଛନ୍ତି, ଆମେ ଯେହେତୁ ଏହି ସହାୟତା ପାଇବାକୁ ଯୋଗ୍ୟ, ସେହି ଦୃଷ୍ଟିରୁ ଆମକୁ ଫନି ସହାୟତା ପ୍ରଦାନ କରାଯାଇଛି। ଏବେ ବି ଯେ କେହି ଗାଁ’କୁ ଆସିବ ଘରର ପ୍ରକୃତ ଚିତ୍ର ଦେଖିପାରିବ।

ସମ୍ବନ୍ଧିତ ଖବର