କୃଷ୍ଣପ୍ରସାଦ ବ୍ଲକ୍‌ରେ ‘ଫନି’ ଦୁର୍ନୀତି : ଅଧ୍ୟକ୍ଷା, ସ୍ୱାମୀ ଓ ପୁଅକୁ ମିଳିଛି ସହାୟତା!

ସହାୟତା ପାଇ ନାହାନ୍ତି, କହିଲେ ଅଧ୍ୟକ୍ଷାଙ୍କ ସ୍ୱାମୀ
ନିଜ ଘର ଭାଙ୍ଗିଥିବା କହିଲେ ଅଧ୍ୟକ୍ଷା
ଆତ୍ମା ବ୍ଲକ୍‌ ଅଧ୍ୟକ୍ଷାଙ୍କ ସହ ମୃତା ଶାଶୂଙ୍କୁ ବି ସହାୟତା

ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ଫନି ସହାୟତା ବଣ୍ଟନ‌ରେ ଘୋର ଅନିୟମିତତା ହୋଇଛି। ପ୍ରଭାବଶାଳୀ ଓ ରାଜନେତାମାନେ ନିଜେ ଓ ତାଙ୍କ ପରିବାର ନାମରେ ଚଞ୍ଚକତା କରି ଫନି ସହାୟତା ହାତେଇ ନେଇଛନ୍ତି। କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସୌଦାମିନୀ ମାନସିଂହଙ୍କ ନାମରେ ଏଭଳି ଏକ ସଂଗିନ ଅଭିଯୋଗ ‌ଆସିଛି। ସାଧାରଣ ବିପନ୍ନଙ୍କ ଫନି ସହାୟତାକୁ ନିଜେ ବ୍ଲକ ଅଧ୍ୟକ୍ଷା ହାତେଇ ନେଇଛନ୍ତି। କେବଳ ବ୍ଲକ୍‌ ଅଧ୍ୟକ୍ଷା ନୁହନ୍ତି ତାଙ୍କ ସ୍ବ‌ାମୀ ଓ ପୁଅଙ୍କ ନାମ ମଧ୍ୟ ଫନି ସହାୟତା ତାଲିକାରେ ରହିଛି। ଫନି ସହାୟତା ନେବା ପାଇଁ ତଥ୍ୟରେ ଚଞ୍ଚକତା କରାଯାଇଛି। ବ୍ଲକ୍‌ ଅଧ୍ୟକ୍ଷା ଓ ତାଙ୍କ ଅଭିଅଡ଼ା ପୁଅ ଗୋଟିଏ ପଞ୍ଚାୟତରୁ ଫନି ସହାୟତା ନେଇଥିବା ବେଳେ ସ୍ବାମୀ ଆଉ ଏକ ପଞ୍ଚାୟତରୁ ସହାୟତା ନେଇଛନ୍ତି।

ବ୍ଲକ୍‌ ଅଧ୍ୟକ୍ଷ‌ାଙ୍କ ନାମ ମଧ୍ୟ ତାଲିକାରେ ସୌଦାମିନୀ ବଦଳରେ ସୁଧାମିନୀ ବୋଲି ଦର୍ଶାଯାଇଛି। ଏହାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଫନି ସହାୟତା ପାଇବା ପାଇଁ ଅଧ୍ୟକ୍ଷା ତଥ୍ୟରେ ଚଂଚକତା କରିଥିବା ଅଭିଯୋଗ ହୋଇଛି।

ବ୍ଲକ୍‌ ଅଧ୍ୟକ୍ଷ‌ା ଓ ତାଙ୍କ ସ୍ବାମୀଙ୍କ ଭିନ୍ନ ଠିକଣାରେ ଦୁଇଟି ପକ୍କାଘର ସଂପୂର୍ଣ୍ଣ ଭାଂଗିଯାଇଥିବା‌ ତ‌ାଲିକ‌ାରେ ଦର୍ଶାଯାଇଥିବା ବେଳେ ପୁଅର ଏକ କଚ୍ଚା ଘର ଥିବା ଦର୍ଶାଯାଇଛି। ବ୍ଲକ ଅଧ୍ୟକ୍ଷ‌ା, ତାଙ୍କ ସ୍ବାମୀ ଓ ପୁଅର ଘର ସଂପୂର୍ଣ୍ଣ ଭାଂଗିଯାଇଥିବା ତହସିଲ ରିପୋର୍ଟରେ ରହିଛି ଓ ଜଣ ପିଛା ୯୫ ହଜାର ୧୦୦ ଟଙ୍କା ମଂଜୁର ହୋଇଛି। ବ୍ଲକ ଅଧ୍ୟକ୍ଷାଙ୍କ ପରିବାର ଫନି ସହାୟତା ହାତେଇଥିବା ଜଣାପଡ଼ିବା ପରେ ଜିଲ୍ଲାରେ ଫନି ସହାୟତା ବଣ୍ଟନରେ ସାଂଘାତିକ ଦୁର୍ନୀତି ହୋଇଥିବା ଅଭିଯୋଗର ସତ୍ୟତା ପ୍ରମାଣିତ ହୋଇଛି । ଲକ୍ଷ ଲକ୍ଷ ଯୋଗ୍ୟ ବିପନ୍ନ ଫନି ସହାୟତା ପାଇବାରୁ ବଂଚିତ ହୋଇଥିବା ବେଳେ ପ୍ରଭାବଶାଳୀ, ସରକାରୀ ଚାକିରିଆ, ଜନ ପ୍ରତିନିଧିମାନେ ଯୋଗ୍ୟଙ୍କ ସହାୟତାକୁ ‌ହାତେଇ ନେଇଛନ୍ତି। ତଦନ୍ତ କରି ରିପୋର୍ଟ ଦେଇଥିବା ଅଧିକାରୀଙ୍କ ଜାଣତରେ ଏଭଳି କରାଯାଇଛି। ଜିଲ୍ଲାରେ ଫନି ସହାୟତା ଠିକ୍ ବଣ୍ଟନ ହୋଇଛି ବୋଲି ସଫେଇ ଦେଉଥିବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏବେ ଏଭଳି ଅଭି‌ଯୋଗରେ ଫସିବା ଏକ ପ୍ରକାର ନିଶ୍ଚିତ ହୋଇଛି।

ସୌଦାମିନୀ ମାନସିଂହଙ୍କ ସ୍ବାମୀ ସୁକାନ୍ତ ମାନସିଂହ, ପୁଅ ଆର୍ଯ୍ୟାନ ମାନସିଂହ ଫନି ସହାୟତା ହାତେଇଛନ୍ତି। କ୍ରମିକ ନମ୍ବର ୭୧, ୧୪୦ ଓ ୧୪୧ରେ ଏମାନେ ସହାୟତା ପାଇଛନ୍ତି। କୃ‌ଷ୍ଣପ୍ରସାଦ ବ୍ଲକ ଗମ୍ଭାରୀ ପଞ୍ଚାୟତର ସାନବସନ୍ତପୁର ଗ୍ରାମର ସୁଧାମିନୀ ମାନସିଂହ ପିତା ରାମକାଣ୍ଡି ଉଲ୍ଲେଖ ଥିବା ମହିଳାଙ୍କୁ ଫନି ସହାୟତା ମିଳିଛି। ତାଲିକାର ୧୪୦ ନମ୍ବର କ୍ରମିକରେ ‌ସୁଧାମିନୀଙ୍କ ନାମ ରହିଛି। ସାତପଡ଼ା ଷ୍ଟେଟ୍‌ ବ୍ୟାଙ୍କରେ ଥିବା ତାଙ୍କ ଆକାଉଣ୍ଟ୍‌ ନମ୍ବର ୨୦୨୯୧୨୪୫୭୫୫, ଆଇଏଫ୍‌ଏସ୍‌ସି କୋଡ୍‌ ଏସ୍‌ବିଆଇଏନ୍୦୦୧୭୭୭୪ରେ ତାଙ୍କ ଆକାଉଣ୍ଟ୍‌କୁ ଫନି ଟଙ୍କା ଦିଆଯାଇଛି। ତେବେ ଏହି ସୁଧାମିନୀ ନାମକ ମହିଳା ବ୍ଲକ ଅଧ୍ୟକ୍ଷା ସୌଦାମିନୀ ବୋଲି ଅଭିଯୋଗ ହେଉଛି। ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରିବାକୁ ଦାବି ହୋଇଛି। ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ସୁକାନ୍ତ ମାନସିଂହ ପିରିଜିପୁର ପଞ୍ଚାୟତର ଗରାପୁର ଗ୍ରାମ ଠିକଣା ଥାଇ କ୍ରମିକ ନମ୍ବର ୭୧ରେ ଫନି ସହାୟତା ଟଙ୍କା ହାତେଇଥିବା ଅଭିଯୋଗ ହୋଇଛି। ସୁକାନ୍ତ ମାନସିଂହ ପିତା ପୂର୍ଣ୍ଣଚନ୍ଦ୍ର ମାନସିଂହ ବୋଲି ତାଲିକାରେ ଉଲ୍ଲେଖ ରହିଛି। ତାଙ୍କର ସାତପଡ଼ା ଏସ୍‌ବିଆଇ ଶାଖାରେ ଥିବା ଆକାଉଣ୍ଟକୁ ଟଙ୍କା ଯାଇଛି।

ସେହିଭଳି ସିରିଏଲ ନମ୍ବର ୧୪୧ରେ ଆର୍ଯ୍ୟାନ ମାନସିଂହ ପିତା ସୁକାନ୍ତ ମାନସିଂହ ଗମ୍ଭାରୀ ପଞ୍ଚାୟତର ସାନବସନ୍ତପୁର ଗ୍ରାମ ଠିକଣା ଥାଇ ଫନି ସହାୟତା ତାଲିକାରେ ନାମ ରହିଛି। ତାଙ୍କର ଏକ କଚା ଘର ସଂପୂର୍ଣ୍ଣ ନଷ୍ଟ ବୋଲି ଉଲ୍ଲେଖ ରହିଛି। ଅର୍ଥାତ ବାପାଙ୍କ ଅନ୍ୟ ପଞ୍ଚାୟତରେ କୋଠା ଘର ଥିବା ବେଳେ ପୁଅର ଆଉ ଏକ ପଞ୍ଚାୟତରେ କଚା ଘର ରହିଥିବା ତାଲିକାରୁ ସ୍ପଷ୍ଟ ହେଉଛି। ତେବେ ଆର୍ଯ୍ୟାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି କି ନା‌ହିଁ ତାହା ସ୍ପଷ୍ଟ ହୋଇନାହିଁ। ଏ ସଂପର୍କରେ ବ୍ଲକ୍‌ ଅଧ୍ୟକ୍ଷା ସୌଦାମିନୀ ମାନସିଂହଙ୍କ ସ୍ବାମୀ ସୁକାନ୍ତ ମାନସିଂହଙ୍କୁ ପଚାରିବାରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଇନାହିଁ ବୋଲି କହିଛନ୍ତି । ତାଙ୍କର ଘର ଭାଂଗିଛି, ହେଲେ ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ସେଭଳି କିଛି ଟଙ୍କା ଆସିନଥିବା ସେ କହିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି କେହି ଏଭଳି ଅଭିଯୋଗ କରିଥାଇପାରନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବ୍ଲକ୍‌ ଅଧ୍ୟକ୍ଷା ‌ସୌଦାମିନୀ ମାନସିଂହ ମଧ୍ୟ ନିଜ ଆଡ଼ୁ ପ୍ରତିକ୍ରିୟା ରଖିଛନ୍ତି। ସେ ବ୍ଲକ୍‌ ଅଧ୍ୟକ୍ଷ‌ା ‌ହେଲେ ବୋଲି ତାଙ୍କର କ’ଣ ଘର ଭାଂଗିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର