ପୂର୍ବ ସ୍ଥିତି ଫେରିବାକୁ ୩ ମାସ

0

(ପୁରୀରୁ କେଶବ ପାଣିଙ୍କ ରିପୋର୍ଟ), ପୁରୀ‌ରେ ଖୁବ୍‌ଶୀଘ୍ର ଲାଇଟ୍‌ ଜଳିବ। ବଡ଼ଦାଣ୍ଡ ଆଲୋକିତ ହେବ। ଶ୍ରୀମନ୍ଦିର ଓ ପର୍ଯ୍ୟଟକଙ୍କୁ ଗୁରୁତ୍ବ ଦେଇ କାମ ହାତକୁ ନିଆଯାଇଛି। ବାତ୍ୟା ପରଠାରୁ ୧୦ ଦିନ ମଧ୍ୟରେ ଏକାଧିକଥର ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ। କିଏ କହୁଛନ୍ତି କାଲି ସୁଦ୍ଧା ହୋଇଯିବ ତ ଆଉ କିଏ କହୁଛନ୍ତି ଦୁଇ ଦିନ ଭିତରେ। ତେବେ ବାସ୍ତବ ସ୍ଥିତି କିନ୍ତୁ ଅଲଗା କିଛି କହୁଛି।

ଏବେ ବି ପୁରୀ ସହରର ଗଳିକନ୍ଦିରେ ପଡ଼ି ରହିଛି ଖୁଣ୍ଟି। ରାସ୍ତା‌ରେ ଓହଳିଛି ତାର। ସ୍ଥିତିରେ ସୁଧାର ଆସିବାକୁ କେତେ ଯେ ସମୟ ଲାଗିବ, ତାହା ବି କହିବା ମୁସ୍କିଲ୍‌। ଗାଁ ଗଣ୍ଡା କଥା ନ କହିବା ଭଲ। ପିପିଲିଠାରୁ ପୁରୀ ହେଉ ଅଥବା ବ୍ରହ୍ମଗିରିରୁ ଡେଲାଙ୍ଗ। ସବୁଠି ସମାନ ଚିତ୍ର। ଗାଁ ରାସ୍ତାରେ ପଡ଼ି ରହିଛି ବିଦ୍ୟୁତ୍‌ ଖୁଣ୍ଟି ଓ ତାର(ଲୋ ଟେନସନ୍‌ ତଥା ଏଲ୍‌ଟି)। ବାତ୍ୟାର ୧୦ ଦିନ ପରେ ବି ରାସ୍ତାକୁ ଖୁଣ୍ଟ ଉଠିପାରିନି। ପବନ ମାଡ଼ରେ ବଙ୍କା ହୋଇଯାଇଥିବା ଖୁଣ୍ଟଗୁଡ଼ିକୁ ବି ସିଧା କରାଯାଇନି। ବିଲ ମଝିରେ ସେମିତି ପଡ଼ି ରହିଛି ବଡ଼ ବଡ଼ ଟାୱାର। ସ୍ଥିତି ଦେଖିଲେ ଲାଗୁଛି ପୁରୀ ଜିଲ୍ଲାର ପୂର୍ବ ସ୍ଥିତି ଫେରିବାକୁ ପ୍ରାୟ ତିନି ମାସ ସମୟ ଲାଗିଯିବ।

ସବୁଠାରୁ ବଡ଼ କଥା ହେଲା ଯେ ବାତ୍ୟାର ୧୦ ଦିନ ପରେ ବି ପୁରୀ ମେନ୍‌ ଗ୍ରୀଡ୍‌ରେ ବିଦ୍ୟୁତ୍‌ ପହଞ୍ଚିପାରି ନାହିଁ। ତିନୋଟି ବାଟ ଦେଇ ପୁରୀକୁ ବିଦ୍ୟୁତ୍‌ ‌ସଂଯୋଗ(ଡିଷ୍ଟ୍ରିବ୍ୟୁସନ) ହେଉଛି। ତେବେ ସବୁ ଲାଇନ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପାଣ୍ଡିଆଭିଲି-ସମଘରା ୨୨୦ କେଭି ଲାଇନ୍‌(ହାଇ ଟେନସନ୍‌ ତଥା ଏଚ୍‌ଟି) ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖୋର୍ଧା-ପୁରୀ ଲାଇନ୍‌ ଭାୟା ସାମୁକା ଓ ଚନ୍ଦକା-ନିମାପଡ଼ା-ପୁରୀ ଲାଇନ୍‌ ୧୩୨ କେଭି ମଧ୍ୟ ପ୍ରଭାବିତ ହୋଇଛି। ତିନୋଟି ଯାକ ଲାଇନ୍‌ରେ ୯୩ଟି ବିଦ୍ୟୁତ୍‌ ଟାୱାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ସର୍ଭେରୁ ଜଣାପଡ଼ିଛି। କେଉଁଠି ସମ୍ପୂର୍ଣ୍ଣ ଟାୱାର ଭାଙ୍ଗି ପଡ଼ିଛି ତ ଆଉ କେଉଁଠି ଅଧାରୁ ଟାୱାରକୁ ମୋଡ଼ି ଦେଇଛି ପ୍ରଳୟଙ୍କାରୀ ବାତ୍ୟା। ‌କେତେକ ସ୍ଥାନରେ ଏମିତି ସ୍ଥିତି ହୋଇଛି ଯେ ସମ୍ପୂର୍ଣ୍ଣ ଟାୱାରକୁ ନୂଆ ଭାବେ ନିର୍ମାଣ କରିବାକୁ ପଡ଼ିବ।

ଚନ୍ଦକା-ନିମାପଡ଼ା-ପୁରୀ ଲାଇନ୍‌ ଅନୁଧ୍ୟାନ କରିବା ସମୟରେ ନିମାପଡ଼ା, ଗୋପ ଅଞ୍ଚଳରେ ଏଭଳି କିଛି ଟାୱାର ଦେଖିବାକୁ ମିଳିଥିଲା, ଯାହାର ମରାମତି କରିବା ସମ୍ଭବପର ନୁହେଁ। ତେଣୁ ଅସ୍ଥାୟୀ ଭାବେ ବିକଳ୍ପ ଟାୱାର ଲଗାଯାଇଛି। ନିମାପଡ଼ା ଗ୍ରିଡ୍‌କୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଉଛି। ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ଚନ୍ଦକା-ନିମାପଡ଼ା ବିଦ୍ୟୁତ୍‌ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯଦ୍ବାରା ୧୫ ତାରିଖ ସନ୍ଧ୍ୟାରେ ପୁରୀ ସହରରେ ଅତି କମ୍‌ରେ ଲାଇନ୍‌ ପହଞ୍ଚିଯିବ।

ଓଡ଼ିଶା ପାୱାର ଟ୍ରାନ୍ସମିସନ୍‌ କର୍ପୋରେସନ ଲିମିଟେଡ୍‌(ଓପିଟିସିଏଲ୍‌) ତଥ୍ୟ କହୁଛି ପାଣ୍ଡିଆଭିଲି-ସମଘରା ୨୨୦ କେଭି ଲାଇନ୍‌ରେ ୬୦ରୁ ୬୫ଟି ଟାୱାର କ୍ଷତିଗ୍ରସ୍ତ ହୋଇଛି। ୧୩୨ କେଭି ବିଦ୍ୟୁତ୍‌ ସଂଯୋଗ ହୋଇଥିବା ଚନ୍ଦକା-ନିମାପଡ଼ା-ପୁରୀ ଲାଇନ୍‌ରେ ୧୫ଟି ଟାୱାର କ୍ଷତିଗ୍ରସ୍ତ ହୋଇଛି। ଚନ୍ଦକାରୁ ନିମାପଡ଼ା ମଧ୍ୟରେ ୯ଟି ଓ ନିମାପଡ଼ାରୁ ପୁରୀ ମଧ୍ୟରେ ୬ଟି ଟାୱାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଖୋର୍ଧା-ପୁରୀ ଲାଇନ୍‌ ଭାୟା ସାମୁକା ଲାଇନ୍‌ରେ ୧୮ଟି ଟାୱାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରୁ କମ୍‌ କ୍ଷତିଗ୍ରସ୍ତ ହୋଇଥିବା ଚନ୍ଦକା-ନିମାପଡ଼ା-ପୁରୀ ଲାଇନ୍‌କୁ ଗୁରୁତ୍ବ ଦିଆଯାଇ ପ୍ରାରମ୍ଭିକ ମରାମତି କରାଯାଉଛି।

ଓପିଟିସିଏଲ୍‌ ଡେପୁଟି ଜେନେ‌ରାଲ ମ୍ୟାନେଜର ନିହାର ରଞ୍ଜନ ରାଏଙ୍କ ସୂଚନା ଅନୁଯାୟୀ ପୁରୀକୁ ଗୋଟିଏ ଲାଇନ୍‌ ସଂଯୋଗ କରିବା ଉପରେ ପ୍ରାଧାନ୍ୟ ଦେଉଛୁ। ଏହି ଲାଇନ୍‌ରେ ୪୦ ମେଗାୱାଟ୍‌ ରହିବ। ଫଳରେ ସମ୍ପୂର୍ଣ୍ଣ ପୁରୀ ସହର ଲାଗି ହୋଇଯିବ। ଏହି ଲାଇନ୍‌ ମରାମତି କାମ ସରିବା କ୍ଷଣି ଖୋର୍ଧା-ପୁରୀ ଭାୟା ସାମୁକା ଲାଇନ୍‌ କାମ ଆରମ୍ଭ ହୋଇଯିବ। ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପାଣ୍ଡିଆଭିଲି-ସମଘରା ୨୨୦ କେଭି ଲାଇନ୍‌ କାମ କରାଯାଉ ନାହିଁ।

୫ ହଜାର ଶ୍ରମିକ ଭରସା
ପୁରୀକୁ ଆଲୋକିତ କରିବା ଲାଗି ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର ପ୍ରାୟ ୫ହଜାର କୁଶଳୀ ଶ୍ରମିକ ଲାଗି ପଡ଼ିଛନ୍ତି। ଚନ୍ଦକା-ନିମାପଡ଼ା-ପୁରୀ ଲାଇନ୍‌ରେ ଟାୱାର ମରାମତି ଲାଗି ଆନ୍ଧ୍ର ଓ ପଶ୍ଚିମବଙ୍ଗର ଶ୍ରମିକମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଓପିଟିସିଏଲ୍‌ର ମାନବ ସମ୍ବଳ ନିର୍ଦେଶକ ରାଜେନ୍ଦ୍ର ସେନାପତିଙ୍କ କହିବାନୁଯାୟୀ ସାଉଥ୍‌କୋ, ୱେଷ୍ଟକୋ ସମେତ ସେସୁର ଲୋକକୁ ଡେପୁଟେସନରେ ଅଣାଯାଇଛି। ଫେଡ୍‌କୋର ୪୫୦, ପିଜିସିଏଲ୍‌ରୁ ୧୬୦ ଲୋକ ରହିଛନ୍ତି। ଆନ୍ଧ୍ରରୁ ୨୨୦୦ ଓ ପଶ୍ଚିମବଙ୍ଗରୁ ୪୦୦ ଲୋକ ଆସିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ସେମାନଙ୍କ କୁଶଳୀ ଶ୍ରମିକଙ୍କ ସମେତ ଡିଜି ସେଟ୍‌ ପଠାଇଛନ୍ତି। ଓଡ଼ିଶାର ୧୨ଜଣ କଣ୍ଟ୍ରାକ୍ଟରଙ୍କ ଅଧୀନରେ ୫୦୦ ଲୋକ ଏବେ କାମରେ ଲାଗିଛନ୍ତି।

୬୦ ହଜାର ନୂଆ ଖୁଣ୍ଟ
ସମ୍ପୂର୍ଣ୍ଣ ପୁରୀ ଜିଲ୍ଲାରେ ପ୍ରାୟ ୬୫ ହଜାର ବିଦ୍ୟୁତ୍‌ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ୬୦ ହଜାର ଖୁଣ୍ଟ ମରାମତି କରିବା ସମ୍ଭବପର ନୁହେଁ। ତେଣୁ ୮୦ରୁ ୯୦ ପ୍ରତିଶତ ନୂଆ ଖୁଣ୍ଟ ପୋତିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀ ସେନାପତିଙ୍କ କହିବାନୁଯାୟୀ, ୨ରୁ ୩ ଦିନ ମଧ୍ୟରେ ଗୋଟିଏ ଗ୍ରିଡ୍‌କୁ ଲାଇନ୍‌ ଆସିଯିବ। ତେବେ ଡି‌ଷ୍ଟ୍ରିବ୍ୟୁସନ୍‌ ସମସ୍ୟା ହୋଇପାରେ। ଗଳିକନ୍ଦିରେ ଏବେ ତାର ପଡ଼ି ରହିଛି। ତାହାକୁ ଯାଞ୍ଚ କରାଯିବା ସହ ନୂଆ ଖୁଣ୍ଟ ପକାଯାଇ ବିଦ୍ୟୁତ୍‌ ସଂଯୋଗ ହେବ। ସମୟ ଲାଗୁ ପଛେ ଭଲ କାମ କରିବାକୁ ଉଦ୍ୟମ ଜାରି ରଖିଛୁ।

କାଳିଆ ପାଇଁ କାମ କରୁଛୁ
ପୁରୀକୁ ବିଜୁଳି ସଂଯୋଗ ଲାଗି ପଶ୍ଚିମବଙ୍ଗରୁ ଆସିଥିବା କୁଶଳୀ ଶ୍ରମିକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି। ଦିନ ରାତି ଏକ କରିଦେଇଛନ୍ତି। ସେମାନଙ୍କୁ ପଚାରିଲେ କହୁଛନ୍ତି ଆମେ କାଳିଆ ଲାଗି କାମ କରୁଛୁ। ଶ୍ରୀକ୍ଷେତ୍ରକୁ ବିଦ୍ୟୁତ୍‌ ସଂଯୋଗ ହେବ। ଅନ୍ଧାରରେ ରହୁଥିବା ବଡ଼ଦାଣ୍ଡ ପୁଣିଥରେ ଆଲୋକିତ ହେବ। ଜନଗହଳି ଲାଗି ରହିଛି। ତେଣୁ କାମ କରିବାକୁ ଆମେ କୁଣ୍ଠ‌ାବୋଧ କରୁନୁ। କାଳିଆ ନାଁ ଧରି ଆଗକୁ ବଢ଼ି ଚାଲିଛୁ। ଓପିଟିସିଏଲ୍‌ ପକ୍ଷରୁ ମଧ୍ୟ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଶ୍ରମିକଙ୍କ ଲାଗି ସେମାନଙ୍କ ମନପସନ୍ଦର ଖାଦ୍ୟ ପ୍ରସ୍ତୁତ କରି ଦିଆଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.