ଫନି ପ୍ରଭାବିତ ୧୪ ଜିଲ୍ଲାରେ ୧୨ ଲକ୍ଷ ପରିବାରକୁ ମିଳିବ ଘର

ଖୁବଶୀଘ୍ର ହିତାଧିକାରୀଙ୍କୁ ଘର ତିଆରି ଅର୍ଥ ପ୍ରଦାନ ଲାଗି ଆରମ୍ଭ ହେବ ଆପ୍, କେନ୍ଦ୍ରକୁ ପଠାଗଲା ହିତାଧିକାରୀଙ୍କ ତାଲିକା

ଭୁବନେଶ୍ବର : ଫନି ପ୍ରଭାବିତ ୧୪ଟି ଜିଲ୍ଲାରେ ୧୨ ଲକ୍ଷ ୭୫ ହଜାର କ୍ଷତିଗ୍ରସ୍ତ ପରିବାରକୁ ବାସଗୃହ ଯୋଗାଇଦିଆଯିବ। ହିତାଧିକାରୀ ଚୟନ କରି କେନ୍ଦ୍ର ସରକାରଙ୍କୁ ତାଲିକା ପଠାଇଛନ୍ତି ରାଜ୍ୟ ସରକାର। ଖୁବଶୀଘ୍ର ହିତାଧିକାରୀଙ୍କୁ ଘର ତିଆରି କରିବା ପାଇଁ ଅର୍ଥ ପ୍ରଦାନ କରାଯିବ। ଆଜି ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏପରି ନିଷ୍ପତ୍ତି ହୋଇଛି। କୌତୁହଳର କଥା ହେଉଛି, ଅବଶିଷ୍ଟ ୧୬ଟି ଜିଲ୍ଲାରେ ୧୦ ଲକ୍ଷ ପରିବାରକୁ ଚିହ୍ନଟ କରାଯାଇଥିଲେ ବି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଆପ୍ ବ୍ଲକ ହୋଇଥିବାରୁ ସେସବୁ ହିତାଧିକାରୀଙ୍କ ଫଟୋ କେନ୍ଦ୍ର ସରକାରଙ୍କୁ ପଠାଯାଇପାରୁନି।

ସମୀକ୍ଷା ବୈଠକରୁ ଜଣାପଡ଼ିଛି, ବିଜୁ ପକ୍କାଘର ଯୋଜନାରେ ବର୍ତ୍ତମାନ ସୁଦ୍ଧା ୭୫ ହଜାର ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି ଯୋଜନାରେ ୮ ଲକ୍ଷ ଘର ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ବିଜୁ ପକ୍କାଘର ଯୋଜନାରେ ଅଦ୍ୟାବଧି ଅସମ୍ପୂର୍ଣ୍ଣ ଥିବା ୨୧ ହଜାର ଘରକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ପ୍ରତି ସପ୍ତାହରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ। ଘର ସମ୍ପୂର୍ଣ୍ଣ ହେବା ପରେ ହିତାଧିକାରୀମାନେ ସେମାନଙ୍କ ଘରର ଫଟୋ ସହିତ ଅନ୍ୟାନ୍ୟ ସୂଚନା ଆପରେ ଅପଲୋଡ଼ କରିବେ। ଆପ୍ ଜରିଆରେ ହିତାଧିକାରୀଙ୍କୁ ବିଲ ପ୍ରଦାନର ସମସ୍ତ ସୂଚନା ପ୍ରଦାନ କରାଯିବ। ଘର ତିଆରି ବାବଦ ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଖାତକୁ ସିଧାସଳଖ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ୫’ଟି’ ଆଧାରରେ ଏହି ପକ୍କାଘର ଯୋଜନା କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଆମ ଗାଁ ଆମ ବିକାଶ, ଗ୍ରାମୀଣ ସଡ଼କ ଓ ସେତୁ ନିର୍ମାଣ ଓ ରୋଜଗାର, ଗ୍ରମାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ, ବିଜୁ ପକ୍କାଘର ଯୋଜନାରେ ୨୦୧୯-୨୦ରେ ବର୍ତ୍ତମାନର ସ୍ଥିତି ଏବଂ ରୁର୍ବାନ୍ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ଆମ ଗାଁ ଆମ ବିକାଶ ଯୋଜନାରେ ଯେତେ ପ୍ରକଳ୍ପ ହାତକୁ ନିଆଯାଇଛି ତାହାକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଏହି ଯୋଜନାରେ ପ୍ରକଳ୍ପ କାମ ଆରମ୍ଭ ହୋଇପାରିନଥିବା ତଥ୍ୟ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ସଂଗ୍ରହକରି ରିପୋର୍ଟ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଚତୁର୍ଦ୍ଦଶ ଅର୍ଥ କମିସନ ଓ ଚତୁର୍ଥ ରାଜ୍ୟ ଅର୍ଥ କମିସନ ସୁପାରିସ ଆଧାରରେ ଯେଉଁସବୁ ପ୍ରକଳ୍ପ ଗ୍ରହଣ କରାଯାଇଛି, ସେସବୁ ପ୍ରକଳ୍ପଗୁଡ଼ିକର ମନ୍ତ୍ରୀ ସମୀକ୍ଷା କରିଥିଲେ। ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ପଞ୍ଚାୟତିରାଜ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ଦାସ, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଏବଂ ସ୍ବତନ୍ତ୍ର ସଚିବ ଏସ.ଏନ.ଦାଶଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର