ବିପଦ ମୁହଁରେ ପୁରୀର ୮୮ ଗାଁ

ପେଣ୍ଠକଟାରେ ୨ ହଜାର ଲୋକ ସ୍ଥାନାନ୍ତର, କୋଣାର୍କ, ଅସ୍ତରଙ୍ଗ ଅଞ୍ଚଳରୁ ସ୍ଥାନାନ୍ତର ଆରମ୍ଭ, ଖୋଲିଲା ୨୪ ଘଣ୍ଟିଆ କ‌େଣ୍ଟ୍ରାଲ ରୁମ୍

ପୁରୀ : ସମୁଦ୍ର ଭିତରେ ‘ତିତ୍‌ଲି’ ଭୟଙ୍କର ରୂପ ନେଉଥିବା ଜଣାପଡ଼ିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଇତିମଧ୍ୟରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ପରିସ୍ଥିତିର ସମୀକ୍ଷା କରିଛନ୍ତି। ରେଡ୍ ଆଲର୍ଟ ଏରିଆରେ ପୁରୀ ଜିଲ୍ଲା ଆସୁଥିବାରୁ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ କିଭଳି ବିପର୍ଯ୍ୟୟରୁ ଉଦ୍ଧାର କରାଯାଇ ପାରିବ ସେ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ହୋଇଛି। ଆଜି ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କେଉଁ କେଉଁ ସ୍ଥାନରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ତାହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଏହା ଭିତରେ ଜିଲ୍ଲାର ବିପଦସଂକୁଳ ସ୍ଥାନମାନଙ୍କରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ‘ତିତ୍‌ଲି’ରେ ପୁରୀ ଜିଲ୍ଲାର ସଦର ବ୍ଲକ୍, ଅସ୍ତରଙ୍ଗ, କାକଟପୁର, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ଗୋପ ବ୍ଳକରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ଥିବାରୁ ଏଠାରେ ସତର୍କ ଦୃଷ୍ଟି ଦିଆଯାଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ବତନ୍ତ୍ର ଭାବେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ମତ୍ସ୍ୟଜୀବୀମାନେ ମଧ୍ୟ ନିିଜ ନିଜର ଡଙ୍ଗାଗୁଡ଼ିକୁ କୂଳକୁ ନେଇ ଆସିଛନ୍ତି। ଅନ୍ୟପକ୍ଷରେ ତିତ୍‌ଲି ଭୟରେ ଆଜି ପୁରୀ ସମୁଦ୍ର ବେଳାଭୂମି ଖାଁ ଖାଁ ଲାଗିଛି। ପର୍ଯ୍ୟଟକଙ୍କୁ ସମୁଦ୍ରରେ ଗାଧୋଇବାକୁ ବାରଣ କରାଯିବା ସହ ସମୁଦ୍ର ଭିତ‌େର ନାଲି ପତକା ଲଗାଯାଇଛି। ଏ ନେଇ ଲୋକମାନଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରି ଦିଆଯାଇଥିବା ବେଳେ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦେଶ ଦିଆଯାଇଛି।

ପୁରୀ ଜିଲ୍ଲାର ସଦର ବ୍ଲକ୍, ଅସ୍ତରଙ୍ଗ ବ୍ଲକ୍, କାକଟପୁର ବ୍ଲକ୍, ବ୍ରହ୍ମଗିରି ବ୍ଲକ୍, କୃଷ୍ଣପ୍ରସାଦ ବ୍ଲକ୍ ଓ ଗୋପ ବ୍ଲକର ୮୮ଟି ଗାଁ ସୁନାମୀପ୍ରବଣ ହୋଇଥିବାବେଳେ ଏଠାରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଉପରୋକ୍ତ ବ୍ଲକର ୮୮ଟି ଗାଁ ସମୁଦ୍ର ତଟବର୍ତୀ ଅଞ୍ଚଳରେ ଥିବାରୁ ଏଠାରେ ସତର୍କ ଦୃଷ୍ଟି ରଖିବାକୁ ବ୍ଲକ୍ ପ୍ରଶାସନ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ଦାସ ଆଜି ସମୁଦ୍ର ତଟବର୍ତୀ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ବୁଧବାର ସକାଳେ ଜିଲ୍ଲାପାଳ ପେଣ୍ଠକଟା ଓ ଚନ୍ଦ୍ରଭାଗା ନୋଳିଆ ସାହି ପରିଦର୍ଶନ କରିବା ପରେ ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳ ଓ ବିଦ୍ୟାଳୟକୁ ସ୍ଥାନାନ୍ତର ନିର୍ଦେଶ ଦିଆଯାଇଛି। ପେଣ୍ଠକଟାଠାରେ ପ୍ରାୟ ୨ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କୋଣାର୍କରେ ବି ସମୁଦ୍ର ତଟବର୍ତୀ ଅଞ୍ଚଳର ଲୋକଙ୍କୁ ନିକଟସ୍ଥ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ନିର୍ଦେଶ ଦିଆଯାଇଛି।

ଅଘଟଣକୁ ଏଡ଼ାଇବା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଜିଲ୍ଲା ଓ ବ୍ଲକ୍ସ୍ତରରେ ଏହି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବିଡ଼ିଓ ଏବଂ ତହସିଲଦାରମାନଙ୍କୁ ସଜାଗ ଦୃଷ୍ଟି ରଖିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର